www.samajalive.in
Monday, December 15, 2025
27.1 C
Bhubaneswar

ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ କର

ଭୁବନେଶ୍ବର : ଜାତୀୟ ଶିକ୍ଷାନୀତି-୨୦୨୦ ଲାଗୁ ପାଇଁ ଏକ ନୀତି ନିର୍ଘଣ୍ଟ ପ୍ରଣିତ ହେବା ଦରକାର। ପ୍ରଥମ ପର୍ଯ୍ୟାୟରେ ଚାରିବର୍ଷିଆ ସ୍ନାତକ ଶିକ୍ଷା ପ୍ରଚଳନ ପାଇଁ ବ୍ୟବସ୍ଥା ହେବା ଆବଶ୍ୟକ। ଏଥିନିମନ୍ତେ ପାଠ୍ୟକ୍ରମ, ସଂରଚନା, ଦକ୍ଷତା ବିକାଶ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପ୍ରସ୍ତୁତ ହେବା ଜରୁରୀ। ଜାତୀୟ ଶିକ୍ଷାନୀତି-୨୦୨୦ ଅନ୍ତର୍ଗତ ପ୍ରଶିକ୍ଷଣ, ପ୍ରୋଜେକ୍ଟ କାର୍ଯ୍ୟ ଓ ଇଣ୍ଟର୍ଣ୍ଣସିପ୍ ସହ ଶିଳ୍ପ ସଂଯୋଗର ଭିତ୍ତି ପ୍ରସ୍ତୁତ କରିବାକୁ ରାଜ୍ୟପାଳ ତଥା କୁଳାଧିପତି ରଘୁବର ଦାସ ପରାମର୍ଶ ଦେଇଛନ୍ତି।
ରାଜଭବନରେ ରାଜ୍ୟର ସରକାରୀ ବିଶ୍ବବିଦ୍ୟାଳୟର କୁଳପତି ସମ୍ମିଳନୀରେ ଉଦ୍‌ବୋଧନ ଦେଇ କୁଳାଧିପତି କହିଛନ୍ତି ଯେ, ଓଡ଼ିଶାରେ ବହୁ ଉଚ୍ଚମାନର ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଅଛି। ଭୁବନେଶ୍ବର ପୂର୍ବ ଭାରତର ଶୈକ୍ଷିକ କେନ୍ଦ୍ର। ପ୍ରମୁଖ ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଦିଗରେ ପ୍ରୟାସ କରିବାକୁ କୁଳାଧିପତି ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି। କୁଳାଧିପତି ଶ୍ରୀ ଦାସ ଆହୁରି କହିଛନ୍ତି ଯେ, ପ୍ରତ୍ୟେକ ବିଶ୍ବବିଦ୍ୟାଳୟରେ ସ୍ନାତକ ଶିକ୍ଷାସ୍ତରରେ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଲ୍ ପ୍ରତିଷ୍ଠା ହେବା ଦରକାର ଏବଂ ବହୁ ସଂଖ୍ୟାରେ ପ୍ୟାଟେଣ୍ଟ ହାସଲ ପାଇଁ ଉଦ୍ୟମ କରିବାକୁ କୁଳାଧିପତି କହିଛନ୍ତି। ବ୍ୟାପକ ବୈଷୟିକ ଜ୍ଞାନକୌଶଳ, ପ୍ରଯୁକ୍ତିବିଦ୍ୟା, ଇ-ଅଫିସ୍, ଡିଜିଟାଲ୍ ମାଧ୍ୟମର ବିପୁଳ ଉପଯୋଗ ଓ ନିୟମିତ ଅଡ଼ିଟ୍ ଉପରେ କୁଳାଧିପତି ଗୁରୁତ୍ବ ଦେଇଛନ୍ତି। ଓଡ଼ିଶାରେ ୬୨ ଜନଜାତି ସମ୍ପ୍ରଦାୟ ରହୁଛନ୍ତି, ଯେଉଁମାନେ ଓଡ଼ିଶାର ଜନସଂଖ୍ୟାର ପ୍ରାୟ ୨୩ ଶତାଂଶ। ସେମାନଙ୍କ ଭାଷା, ସଂସ୍କୃତି, ଗୀତସଙ୍ଗୀତ, ଜୀବନଶୈଳୀ ଓ ଆଚାରବ୍ୟବହାର ସମ୍ପର୍କରେ ସ୍ଥାନୀୟ ବିଶ୍ବବିଦ୍ୟାଳୟ ତଥ୍ୟ ସଂଗ୍ରହ, ଗବେଷଣା, ମ୍ୟୁଜିୟମ ପ୍ରତିଷ୍ଠା ଉପରେ ଧ୍ୟାନ ଦେବା ଦରକାର ବୋଲି କୁଳାଧିପତି ପରାମର୍ଶ ଦେଇଛନ୍ତି।
ଭାରତ ସରକାର ଉଚ୍ଚ ଶିକ୍ଷାର ବିକାଶ ନିମନ୍ତେ ବିବିଧ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି। ରାଜ୍ୟ ସରକାର ମଧ୍ୟ ପର୍ଯ୍ୟାପ୍ତ ସହଯୋଗ କରୁଛନ୍ତି। ଏସବୁର ଉପଯୋଗ କରି ଭଲ ଗ୍ରେଡ୍ ହାସଲ କରିବାକୁ ତଥା ଶିକ୍ଷା ଓ ଗବେଷଣାକୁ ପ୍ରାଧାନ୍ୟ ଦେବା ନିମନ୍ତେ କୁଳାଧିପତି କହିଛନ୍ତି। ଠିକଣା ସମୟରେ ପରୀକ୍ଷା ସହ ଠିକ୍ ସମୟରେ ଫଳ ପ୍ରକାଶନ ଓ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିବାକୁ କୁଳପତିଙ୍କୁ ନିର୍ଦେଶ ଦିଆଯାଇଛି। କୁଳପତି ସମ୍ମିଳନୀରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ ଓଡ଼ିଶାରେ ବିଶ୍ବବିଦ୍ୟାଳୟଗୁଡ଼ିକର ସ୍ଥିତି ଓ ପରିଚାଳନା ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢ଼ୀ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଶାଳିନୀ ପଣ୍ଡିତ, ଉଚ୍ଚଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ଗଙ୍ଗାଧର ସାହୁ, ଓକାକ୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ମନୋଜ ପଟ୍ଟନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ସଚିବ ମଧୁସୂଦନ ଦାସ ପ୍ରମୁଖ ନିଜ ବିଭାଗ ଅନ୍ତର୍ଗତ ବିଶ୍ବବିଦ୍ୟାଳୟର ସ୍ଥିତି ଓ ପ୍ରଗତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କୁଳପତିମାନେ ବିଶ୍ବବିଦ୍ୟାଳୟର ପ୍ରଗତି, ଭବିଷ୍ୟତର ଯୋଜନା, କାର୍ଯ୍ୟାନ୍ୱୟନ ବିଷୟରେ ତଥ୍ୟ ସୂଚନା ଦେବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ସରକାରଙ୍କ ସହ ସମନ୍ୱୟ ରଖି ବିଶ୍ବବିଦ୍ୟାଳୟର କାର୍ଯ୍ୟଧାରା ତ୍ବରାନ୍ୱିତ କରିବାକୁ କୁଳାଧିପତି ପରାମର୍ଶ ଦେଇଥିଲେ। ସମ୍ମିଳନୀରେ କୁଳପତିଙ୍କ ସହ କୁଳସଚିବ ଓ ବିତ୍ତ ନିୟନ୍ତ୍ରକ ତଥା ରାଜଭବନର ଅଧିକାରୀମାନେ ଯୋଗ ଦେଇଥିଲେ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories