ବିଜେପି କୃଷକମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଓଡିଶାର ଚାଷୀ ସବୁକ୍ଷେତ୍ରରେ ଅବହେଳିତ

ଆଠଗଡ :  ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତା ଏବଂ ଦୂରଦୃଷ୍ଟି ଅଭାବରୁ ଓଡିଶାର ଚାଷୀ ସବୁକ୍ଷେତ୍ରରେ ଅବହେଳିତ ହେବା ସହ ବ୍ୟାପକ କ୍ଷତି ସହୁଛନ୍ତି ବୋଲି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି । ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶଙ୍କର୍ଷଣ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କୁ ସାକ୍ଷାତ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସନକୁ ଆସିବା ପରେ ଭାରତର ଚାଷୀମାନଙ୍କ ଆୟକୁ ଦୁଇଗୁଣିତ କରିବା ପାଇଁ ବହୁ କୃଷକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ଉଦାସୀନତା ଓ ହୀନ ରାଜନୈତିକ ଚକ୍ରାନ୍ତ ଯୋଗୁଁ ରାଜ୍ୟର ଚାଷୀମାନେ ଏଥିରୁ ବଞ୍ଚିତ ହେଉଛନ୍ତି । ତା’ର ଏକ ଉଦାହରଣ ହେଲା ରେମୁଣାର ବିଜେଡି ବିଧାୟକ ଧାନ ଅମଳ ମେସିନ କିଣାରେ କୋଟି କୋଟି ଟଙ୍କା ଆତ୍ମସାତ୍‌‌ କରିଥିବା ଅଭିଯୋଗ ଆସିଥିବା ବେଳେ ରାଜ୍ୟ ସରକାର ତାଙ୍କ ବିରୁଦ୍ଧରେ ଏ ପର୍ଯ୍ୟନ୍ତ ଗୋଟିଏ ବି ମାମଲା ରୁଜୁ କରିନାହାଁନ୍ତି । ସେହିପରି ଆଠଗଡ ବିଧାୟକ ସମବାୟ ମନ୍ତ୍ରୀ ଥିବାବେଳେ ଶହ ଶହ ଚାଷୀଙ୍କ ନାମରେ କୃଷି ଋଣର ବ୍ୟାପକ ଜାଲିଆତି କରାଯାଇଥିବା ଅଭିଯୋଗ ହୋଇଛି । ରାଜ୍ୟର ଚାଷୀମାନେ ମଣ୍ଡି ସୁବିଧା ପାଉନଥିବା ଏବଂ ପନିପରିବା ମହଜୁଦ୍‌‌ ରଖିବା ପାଇଁ ଶୀତଳଭଣ୍ଡାର ନଥିବାରୁ ଅଭାବୀ ବିକ୍ରିର ଶିକାର ହେଇ ବ୍ୟାପକ କ୍ଷତି ସହୁଛନ୍ତି । ରାଜ୍ୟର ଚାଷୀ ଅଭାବୀ ବିକ୍ରି ଯୋଗୁଁ ବ୍ୟାପକ କ୍ଷତି ସହି ଅନେକ ସ୍ଥାନରେ ଆତ୍ମହତ୍ୟା କରିବାର ନଜିର ରହିଛି। ରାଜ୍ୟ ସରକାର ସେପ୍ଟେମ୍ବର ୧ତାରିଖରୁ ଧାନମଣ୍ଡି ଖୋଲାଯିବ ବୋଲି ଘୋଷଣା କରିଥିଲେ ମଧ୍ୟ ଏବେ ଡିସେମ୍ବର ମାସ ହେବାକୁ ବସିଲାଣି ଅନେକ ସ୍ଥାନରେ ମଣ୍ଡି ଖୋଲି ନାହିଁ । ଯଦ୍ୱାରା ଚାଷୀମାନେ ସେମାନଙ୍କର ବଳକା ଧାନକୁ ଏବେ କୁଇଣ୍ଟାଲ ପିଛା ୧୩୦୦-୧୪୦୦ଟଙ୍କାରେ ଦଲାଲଙ୍କୁ ବିକ୍ରି କରି ବ୍ୟାପକ କ୍ଷତି ସହୁଛନ୍ତି। ସ୍ମାରକପତ୍ରରେ ସେମାନେ ୫ଟି ଦାବି ଯଥା ରାଜ୍ୟ ସରକାର ଅତିଶୀଘ୍ର ଧାନମଣ୍ଡି ଖୋଲନ୍ତୁ, ଧାନମଣ୍ଡି ସବୁଦିନ ଖୋଲା ରହୁ, ଧାନ କିଣା କାରବାରରେ କାଣ୍ଟଛାଣ୍ଟ ବନ୍ଦ କରାଯାଉ, ମିଲର ମାନଙ୍କ ମନମାନୀ ବନ୍ଦ କରିବା ସହ ସେମାନଙ୍କୁ ମଣ୍ଡିକୁ ଆସିବାରେ ବାରଣ କରାଯାଉ ଓ ଧାନକିଣା କାରବାରରେ ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଉ ଆଦି ଅନ୍ତର୍ଭୁକ୍ତ ରହିଛି । ଏହି ପ୍ରତିନିଧି ଦଳରେ ବରିଷ୍ଠ ବିଜେପି ନେତା ଜଗଦାନନ୍ଦ ତ୍ରିପାଠୀ, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିବେକାନନ୍ଦ ବେଉରା, ପ୍ରକାଶ କୁମାର ସେଠୀ, ବିଜୟ କୁମାର ପରିଡା, ଦେବରାଜ ସ୍ୱାଇଁ, ପ୍ରଶାନ୍ତ ମହାପାତ୍ର, ପିତବାସ ନାଏକ, ଦିଲ୍ଲୀପ କୁମାର ସେଠୀ, ଅଜୟ ମହାନ୍ତି ଓ ଜଗଦୀଶ ପ୍ରସାଦ କବିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Comments are closed.