www.samajalive.in
Sunday, December 14, 2025
15.1 C
Bhubaneswar

ଉନ୍ନତ ସମାଜ ଗଠନ ପାଇଁ ସକାରାତ୍ମକ ପରିବର୍ତ୍ତନ ଲୋଡ଼ା : ରାଷ୍ଟ୍ରପତି

ସମ୍ବଲପୁର :  ନୈତିକ ଶିକ୍ଷା ଆମ ଜୀବନକୁ ଗଢ଼ିବାରେ ସହାୟକ ହୋଇଥାଏ ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିଥାଏ। ଏହା ଆମକୁ କରୁଣା, ଦୟା, ବନ୍ଧୁତା ଏବଂ ଭାଇଚାରା ଜୀବନର ମୂଲ୍ୟବୋଧ ବିଷୟରେ ସଚେତନ କରେ। ଏହି ଗୁଣଥିବା ବ୍ୟକ୍ତିଙ୍କଠାରେ ସକାରାତ୍ମକ ପରିବର୍ତ୍ତନ ଆସିଥାଏ। ବ୍ୟକ୍ତି ମଧ୍ୟରେ ସକାରାତ୍ମକ ପରିବର୍ତ୍ତନ ଫଳରେ ଉନ୍ନତ ସମାଜ ଗଠନ ହୋଇପାରିବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ସମ୍ବଲପୁର ଗସ୍ତର ଦ୍ବିତୀୟ ଦିନ ରାଷ୍ଟ୍ରପତି ପଧାନପାଲି ପାବନ ସରୋବରଠାରେ ସମ୍ବଲପୁର ବ୍ରହ୍ମାକୁମାରୀଙ୍କ ‘ନୂତନ ଭାରତ ପାଇଁ ନୂତନ ଶିକ୍ଷା’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଉନ୍ନତ ସମାଜ ପାଇଁ ମୂଲ୍ୟବୋଧ ସୃଷ୍ଟି କରିବା ଏବଂ ଛାତ୍ରଛାତ୍ରୀ ମାନଙ୍କ ଚେତନାକୁ ଉନ୍ନତ କରିବା ନିମନ୍ତେ ଏହି ଅଭିଯାନର ପରିକଳ୍ପନା କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ବ୍ରହ୍ମାକୁମାରୀର ଶିକ୍ଷା ପ୍ରଭାଗର ଉପାଧ୍ୟକ୍ଷା ବ୍ରହ୍ମାକୁମାରୀ ରାଜଯୋଗିନୀ ସିଲୁ ଭଉଣୀ, ବ୍ରହ୍ମାକୁମାରୀର ପଶ୍ଚିମ ଓଡ଼ିଶା ଉପକ୍ଷେତ୍ର ସମ୍ବଲପୁରର ସଂଚାଳିକା ରାଜଯୋଗିନୀ ପାର୍ବତୀ ଦିଦି, ରାଜଯୋଗିନୀ ବିନି ଭଉଣୀ ଓ ରାଜଯୋଗୀ ନଥମଲ ଭାଇ ପ୍ରମୁଖ ମଞ୍ଚାସୀନ ଥିଲେ।
ମାତୃଭାଷା ଶିକ୍ଷା ଉପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଲେ ଯେ, ମାତୃଭାଷା ପିଲାମାନଙ୍କର ସାବଳୀନ, ବୌଦ୍ଧିକ ବିକାଶରେ ପରମ ସହାୟକ ହୋଇଥାଏ। ଛାତ୍ରଛାତ୍ରୀମାନେ ମାତୃଭାଷାରେ ଶିକ୍ଷା ଲାଭ କଲେ ତାଙ୍କ ଭିତରେ ଗଭୀର ଚିନ୍ତନ ଓ ବି​‌େ​‌ଶ୍ଲଷଣାତ୍ମକ ଦକ୍ଷତା ବୃଦ୍ଧି ପାଇବ। ଜାତୀୟ ଶିକ୍ଷାନୀତି ୨୦୨୦ରେ ମାତୃଭାଷାରେ ଶିକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି। ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ପୂଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ର ନିର୍ମାତାମାନେ ମାତୃଭାଷାରେ ଶିକ୍ଷା ଉପରେ ଗୁରୁତ୍ବାରୋପ କରିଛନ୍ତି। ଆମ ପିଲାମାନେ ଏକାଧିକ ଭାଷା ଶିଖିବାର ଅସୁବିଧା ନାହିଁ କିନ୍ତୁ କୌଣସି ବିଦେଶୀ ଭାଷା ଆମ ମାତୃଭାଷାର ସ୍ଥାନ ନେବା ଉଚିତ ନୁହେଁ ବୋଲି ରାଷ୍ଟ୍ରପତି କହିଥିଲେ। ଏଠାରେ ଏହି ମାଟିର ସୁପୁତ୍ର ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ‘ଉଚ୍ଚ ହେବାପାଇଁ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃଭାଷା’ କୁ ସେ ଉଦ୍ଧାର କରିଥିଲେ। ଭାଷା ଓ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ନିଜ ମାତୃଭାଷାରେ ଶିକ୍ଷା ଲାଭ କରିବାବେଳେ ପିଲାଟି ନିଜ ସଂସ୍କୃତି ବିଷୟରେ ସମ୍ୟକ ଜ୍ଞାନ ଅର୍ଜନ କରିଥାଏ। ଜାତୀୟ ଶିକ୍ଷା ନୀତିରେ ଭାରତୀୟ ଆଚାର ବ୍ୟବହାର ଉପରେ ଆଧାରିତ ଶିକ୍ଷା ବ୍ୟବସ୍ଥାର ପରିକଳ୍ପନା କରାଯାଇଛି। ନୂଆ ଭାରତ ନିର୍ମାଣରେ ଏହି ଶିକ୍ଷା ନୀତିର ପ୍ରତ୍ୟକ୍ଷ ଯୋଗଦାନ ରହିବ।
ରାଷ୍ଟ୍ରପତି କହିଥିଲେ ଯେ, ସମାଜ ଗଠନରେ ଶିକ୍ଷା ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିଆସିଛି। ସେବା, ସମାନତା ଓ ସହାନୁଭୂତି ଭଳି ନୈତିକ ଏବଂ ମାନବିକ ମୂଲ୍ୟବୋଧ ଆମ ସଂସ୍କୃତିର ମୂଳଦୁଆ ଏବଂ ଯୁବପିଢ଼ି ଏହି ମହାନ ଆଦର୍ଶ ସହିତ ପରିଚିତ ହେବା ଉଚିତ। ଏକ ଉନ୍ନତ ସମାଜ ଗଠନ ପାଇଁ ସେମାନେ ନିଜ ବୃଦ୍ଧ ପିତାମାତା ଏବଂ ସମାଜର ବଞ୍ଚିତ ବର୍ଗର ଲୋକଙ୍କ ଯତ୍ନ ନେବା ଉଚିତ। ଶିକ୍ଷା ମାଧ୍ୟମରେ ପିଲାମାନଙ୍କ ମନରେ ଏହି ମୂଲ୍ୟବୋଧ ପ୍ରତି ସକାରାତ୍ମକ ମନୋଭାବ ସୃଷ୍ଟି ହେବା ଦରକାର ବୋଲି ସେ କହିଛନ୍ତି। ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଚରିତ୍ର ନିର୍ମାଣ, ଆତ୍ମ ଅନୁଭବ ଓ ଦିବ୍ୟ ଅନୁଭୂତି ମାଧ୍ୟମରେ ସୁଖ, ଶାନ୍ତି ଓ ଆନନ୍ଦର ମାର୍ଗକୁ ସୁଗମ କରୁଛି ବୋଲି ରାଷ୍ଟ୍ରପତି ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ଏମସିଏଲ ଅତିଥି ଭବନକୁ ଫେରି ଯାଇଥିଲେ। ଏମସିଏଲ ହେଲିପ୍ୟାଡରୁ ବାୟୁସେନା ହେଲିକେପ୍ଟର ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରକୁ ଯାଇ ରାଷ୍ଟ୍ରପତି ଫେରି ଯାଇଥିବା ସୂଚନା ମିଳିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories