www.samajalive.in
Friday, December 12, 2025
17.1 C
Bhubaneswar

ଇସ୍ରାଏଲ-ହମାସ ଯୁଦ୍ଧ : ଆଜିଠୁ ସାମୟିକ ଅସ୍ତ୍ରବିରତି

ତେଲ୍ ଆବିଭ୍‌ : ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ସାମୟିକ ଭାବେ ବନ୍ଦ କରିବା ଲାଗି ଉଭୟ ପକ୍ଷଙ୍କ ମଧ୍ୟରେ ବୁଝାମଣା ଚୁଡାନ୍ତ ହୋଇଛି। ବୁଧବାର ଇସ୍ରାଏଲ କ୍ୟାବିନେଟ ଅନୁମୋଦନ କରିଥିବା ବୁଝାମଣା ଅନୁଯାୟୀ ଗୁରୁବାର ଠାରୁ ପଣବନ୍ଦୀଙ୍କ ମୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ହମାସ ଆତଙ୍କବାଦୀମାନେ ପଣବନ୍ଦୀ କରି ରଖିଥିବା ନାଗରିକଙ୍କ ମଧ୍ୟରୁ ୫୦ଜଣଙ୍କୁ ମୁକ୍ତ କରିବେ। ପ୍ରତିବଦଳରେ ଇସ୍ରାଏଲ ଗୁରୁବାର ଠାରୁ ୪ଦିନ ପାଇଁ ଯୁଦ୍ଧ ବନ୍ଦ କରିବ। ଇସ୍ରାଏଲ ବୈଦେଶିକ ମନ୍ତ୍ରୀ ଏଲି କୋହେନଙ୍କ ସୂଚନା ଅନୁଯାୟୀ ହମାସ ଆତଙ୍କବାଦୀମାନେ ପର୍ଯ୍ୟାୟକ୍ରମେ ୫୦ଜଣ ମହିଳା ଓ ଶିଶୁ ପଣବନ୍ଦୀଙ୍କୁ ମୁକ୍ତ କରିବେ। ଗୁରୁବାର ଠାରୁ ଦୈନିକ ୧୨-୧୩ ଜଣ ପଣବନ୍ଦୀଙ୍କୁ ମୁକ୍ତ କରାଯିବ। ବୁଝାମଣାରେ ରହିଥିବା ଅନ୍ୟ ସମସ୍ତ ତଥ୍ୟକୁ ସାର୍ବଜନୀନ କରାଯାଇ ନାହିଁ। ଯୁଦ୍ଧ ବନ୍ଦ କରିବା ସହିତ ଇସ୍ରାଏଲ ନିକଟରେ ବନ୍ଦୀ ହୋଇ ରହିଥିବା ପଲେଷ୍ଟାଇନ ମହିଳା ଓ ଶିଶୁଙ୍କୁ ମୁକ୍ତ କରାଯିବ। ଇସ୍ରାଏଲ ନିକଟରେ ଏବେ ପ୍ରାୟ ୩୦୦ ପାଲେଷ୍ଟାଇନ ନାଗରିକ ବନ୍ଦୀ ଅଛନ୍ତି। ସେହିପରି ହମାସ ଆତଙ୍କବାଦୀଙ୍କ କବଳରେ ଏବେ ୨୪୦ଜଣ ପଣବନ୍ଦୀ ରହିଛନ୍ତି। ଆଗାମୀ ଦିନରେ ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ ଲାଗି ଇସ୍ରାଏଲ ଯୁଦ୍ଧବିରତି ବୁଝାମଣା କରିବ। ଗୋଟିଏ ଦିନ ଯୁଦ୍ଧ ବିରତି ବଦଳରେ ହମାସ ୧୦ଜଣ ପଣବନ୍ଦୀଙ୍କୁ ମୁକ୍ତ କରିବ।
ଅକ୍ଟୋବର ୭ରୁ ଯୁଦ୍ଧ ଆରମ୍ଭ ପରଠାରୁ ପ୍ରଥମ କରି ଯୁଦ୍ଧ ବନ୍ଦ ଲାଗି ବୁଝାମଣା ହୋଇଛି। ଆନ୍ତର୍ଜାତିକ ସମୁଦାୟର ଚାପକ୍ରମେ ଇସ୍ରାଏଲ ଏହି ଯୁଦ୍ଧ ବନ୍ଦ କରିବାକୁ ବାଧ୍ୟ ହୋଇଛି। ଏହି ବୁଝାମଣାରେ କାତାର ପ୍ରମୁଖ ଭୂମିକା ନିର୍ବାହ କରିଛି। ବୁଝାମଣାର ଅନ୍ୟ ଏକ ଦିଗ ଅନୁଯାୟୀ ଇସ୍ରାଏଲ ଗାଜାକୁ ଅଧିକ ମାନବିକ ସହାୟତା ଓ ଇନ୍ଧନ ଯୋଗାଣକୁ ଅନୁମତି ଦେବ। ଖାଦ୍ୟ ପଦାର୍ଥ, ଔଷଧ ଓ ଇନ୍ଧନ ଭଳି ସାମଗ୍ରୀ ଗାଜାକୁ ଯୋଗାଣ କରାଗଲେ ଏହା ହମାସ ଆତଙ୍କବାଦୀଙ୍କୁ ଶକ୍ତି ଯୋଗାଇବ। ହମାସ ଆତଙ୍କବାଦୀମାନେ ପଣବନ୍ଦୀଙ୍କୁ ପ୍ରଥମେ ରେଡ୍‌ କ୍ରସ ଅଧିକାରୀଙ୍କୁ ହସ୍ତାନ୍ତର କରିବେ। ପରେ ସେମାନଙ୍କୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌)କୁ ହସ୍ତାନ୍ତର କରାଯିବ। ପଣବନ୍ଦୀମାନଙ୍କୁ ସେମାନଙ୍କ ପରିବାର ସହିତ ସାକ୍ଷାତ କରାଯିବା ପରେ ଆଇଡିଏଫ୍ ସେମାନଙ୍କୁ ପଚରାଉଚରା କରିବ। ପଣବନ୍ଦୀ ମୁକ୍ତି ବୁଝାମଣାକୁ କ୍ୟାବିନେଟ ଅନୁମୋଦନ କରିବା ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଥିଲେ ଯେ ହମାସ ଆତଙ୍କବାଦୀଙ୍କୁ ସମୂଳ ନିପାତ କରିବା ପର୍ଯ୍ୟନ୍ତ ଯୁଦ୍ଧ ଚାଲୁ ରହିବ। ସେ କହିଛନ୍ତି ଯେ ଆମେ ଏବେ ଚଳାଇଛୁ। ଯୁଦ୍ଧରେ ବିଜୟୀ ହେବା ପର୍ଯ୍ୟନ୍ତ ଆମେ ଏହାକୁ ଜାରି ରଖୁବୁ। ପଣବନ୍ଦୀଙ୍କ ନିରାପଦ ମୁକ୍ତି ଏକ ବଡ ଆବଶ୍ୟକତା। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଗାଲାଣ୍ଟ କହିଛନ୍ତି ଯେ ଗାଜାର ସ୍ଥଳ ମାର୍ଗରେ ଯେଉଁ ଆକ୍ରମଣ କରାଯାଇଛି ତାହା ହମାସ ଆତଙ୍କବାଦୀଙ୍କୁ ବୁଝାମଣା ନିମନ୍ତେ ବାଧ୍ୟ କରିଛି। ଇସ୍ରାଏଲ ସେନାର ଆକ୍ରମଣ ପରଠାରୁ ଗାଜାରେ ୧୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ଏହି ଯୁଦ୍ଧବିରତି ବୁଝାମଣା ମଧ୍ୟରେ ଆସନ୍ତା ସପ୍ତାହରେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିକେନ ଇସ୍ରାଏଲ ଗସ୍ତ କରିବାକୁ ଯୋଜନା କରିଛନ୍ତି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories