www.samajalive.in
Sunday, December 14, 2025
19.1 C
Bhubaneswar

ଅଖିଳ ଭାରତ ସାନ୍ତାଳୀ ଲେଖକ ମହାସଂଘର ସମ୍ମେଳନ ଓ ସାହିତ୍ୟ ଉତ୍ସବ ଉଦ୍‌ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ/ବାରପଦା :  ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ ଆଜି ଓଡିଶାର ବାରିପଦାଠାରେ ଅଖିଳ ଭାରତ  ସାନ୍ତାଳୀ ଲେଖକ ମହାସଂଘର ୩୬ତମ ବାର୍ଷିକ ସମ୍ମେଳନ ଓ ସାହିତ୍ୟ ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସାନ୍ତାଳୀ ଭାଷା ଏବଂ ସାହିତ୍ୟକୁ ସମୃଦ୍ଧ କରିଥିବା ଲେଖକ ତଥା ଗବେଷକଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି । ୧୯୮୮ରେ ପ୍ରତିଷ୍ଠା ହେବା କାଳରୁ ଅଖିଳ ଭାରତ ସାନ୍ତାଳୀ ଲେଖକ ମହାସଂଘ ସାନ୍ତାଳୀ ଭାଷାର ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟ କରି ଆସୁଛି ଏବଂ ଏଭଳି ଉଦ୍ୟମ ଧନ୍ୟବାଦା ଯୋଗ୍ୟ ବୋଲି ସେ କହିଛନ୍ତି ।

- Advertisement -

ସେ କହିଛନ୍ତି ଯେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ସାନ୍ତାଳୀ ଭାଷାର ବ୍ୟବହାର ବଢିଛି । ୨୦୦୩ ଡିସେମ୍ବର ୨୨ରେ ଏହି ଭାଷା ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ ହେବା ପରେ ଏହାର ବ୍ୟବହାର ଏବଂ ଗୁରୁତ୍ୱ ବୃଦ୍ଧି ପାଇଛି । ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ସାନ୍ତାଳୀ ଭାଷା ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନିତ ହୋଇଥିଲା ବୋଲି ଉଲ୍ଲେଖ କରି ରାଷ୍ଟ୍ରପତି ଅଟଳ ଜୀଙ୍କୁ ସ୍ମରଣ କରିଥିଲେ ।

ରାଷ୍ଟ୍ରପତି କହିଥିଲେ ଯେ ଅଧିକାଂଶ ସାନ୍ତାଳୀ ସାହିତ୍ୟ ଦୀର୍ଘକାଳ ଧରି ମୌଖିକ ପରମ୍ପରା ମଧ୍ୟରେ ବଂଚି ରହିଥିଲା । ପଣ୍ଡିତ ରଘୁନାଥ ମୁର୍ମୁ କେବଳ ଏହି ଭାଷାର ଲିପି “ଓଲ୍ ଟିକି”କୁ ଉଦ୍‌ଭାବନ କରି ନ ଥିଲେ । ସେ ମଧ୍ୟ ଅନେକ ସାନ୍ତାଳୀ ସାହିତ୍ୟ ରଚନା କରି ଏହି ଭାଷାକୁ ସମୃଦ୍ଧ କରିଥିଲେ । ତାଙ୍କ ରଚିତ ନାଟକ, ‘ବିଦୁ ଚନ୍ଦନ’, ‘ଖେରୱାଲ ବୀର’, ଦାରେଗେ ଧନ,’ ‘ ସିଦୁ-କାହ୍ନୁ-ସାନ୍ତାଳ ହୁଳ’ ଆଦି ସାନ୍ତାଳୀ ସାହିତ୍ୟର ଅମୂଲ୍ୟ କୃତି । ସେ ଆହୁରି କହିଥିଲେ ଯେ ସାନ୍ତାଳୀ ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ଅନେକ ସାହିତ୍ୟିଙ୍କର ଅବଦାନ ରହିଛି । ଦମୟନ୍ତୀ ବେଶ୍ରା ଓ କାଳୀପଦ ସରେନ (ଖେରୱାଲ ସରେନ)ଙ୍କୁ ଯଥାକ୍ରମେ ୨୦୨୦ ଓ ୨୦୨୨ରେ ଶିକ୍ଷା ଓ ସାହିତ୍ୟ ପାଇଁ ପଦ୍ମଶ୍ରୀ ସମ୍ମାନ ମିଳିବା ଗର୍ବ ଓ ଗୌରବର ବିଷୟ ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ ଯେ ଲେଖକମାନେ ସମାଜର ଜାଗ୍ରତ ପ୍ରହରୀ । ସେମାନେ ନିଜର ଲେଖା ମାଧ୍ୟମରେ ସମାଜକୁ  ସଚେତନ କରିବା ସହିତ ବାଟ କଢାଇଥାନ୍ତି । ସ୍ୱାଧୀନତା ସଂଗ୍ରାମ କାଳରେ ଅନେକ ସାହିତ୍ୟିକ ଓ ଲେଖକ ତାଙ୍କ ଲେଖା ମାଧ୍ୟମରେ ଦେଶର ମୁକ୍ତି ପାଇଁ ଲଢେଇ କରିବାକୁ ମାର୍ଗ ଦେଖାଇଥିଲେ ଓ ଲୋକଙ୍କୁ ଅନୁପ୍ରାଣିତ କରିଥିଲେ। ଲେଖକ ମାନେ ନିରବଚ୍ଛିନ୍ନ ଭାବେ ଲେଖନୀ ଚାଳନା କରି ସମାଜରେ ସଚେତନତା ସୃଷ୍ଟି କରିବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି ।

ରାଷ୍ଟ୍ରପତି କହିଛନ୍ତି ଯେ ନିରନ୍ତର ସଚେତନତା ସୃଷ୍ଟି ମାଧ୍ୟମରେ ହିଁ ଏକ ସତର୍କ ଓ ସୁଦୃଢ ସମାଜ ଗଠିତ ହୋଇପାରିବ। ସାହିତ୍ୟ ଏକ ସମୁଦାୟର ସଂସ୍କୃତିର ଦର୍ପଣ ସଦୃଶ । ଆଦିବାସୀ ଜୀବନଧାରାରେ ପ୍ରକୃତି ସହିତ ମଣିଷ ନିବିଡ ଭାବେ ବଂଚି ରହିବାର କଳା ନିହିତ ଏବଂ ଏହା ଏକ ପ୍ରାକୃତିକ ପ୍ରକ୍ରିୟା । ଆଦିବାସୀ ସମୁଦାୟର ବିଶ୍ୱାସ ଯେ ଜଙ୍ଗଲ ସେମାନଙ୍କର ନୁହେଁ, ବରଂ ସେମାନେ ଜଙ୍ଗଲର । ଏବେକାର ଜଳବାୟୁ ପରିବର୍ତ୍ତନ ସବୁଠୁ ବଡ ସମସ୍ୟା ଏବଂ ଏହାର ମୁକାବିଲା ପାଇଁ ପରିବେଶ ଅନୁକୂଳ ଜୀବନଯାପନ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଆଦିବାସୀ ସମ୍ପ୍ରଦାୟଙ୍କ ଜୀବନ ଶୈଳୀ ବିଷୟରେ ଲେଖିବାକୁ ସେ ଲେଖକ, ସାହିତ୍ୟିକ ମାନଙ୍କୁ ଆହ୍ୱାନ ଜଣାଇଛନ୍ତି । ଏହା ଦ୍ୱାରା ଅନ୍ୟମାନେ ଆଦିବାସୀ ସମାଜର ଜୀବନାଦର୍ଶ ଓ ମୂଲ୍ୟବୋଧ ସମ୍ପର୍କରେ ଜାଣି ପାରିବେ ବୋଲି ସେ କହିଛନ୍ତି ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ ଭାରତ ବିଭିନ୍ନ ଭାଷା ଓ ସାହିତ୍ୟର ଏକ ସୁନ୍ଦର ବଗିଚା । ଭାଷା ଓ ସାହିତ୍ୟ ରୂପି ସୂକ୍ଷ୍ମ ସୂତ୍ରରେ ଆମ ଦେଶ ବାନ୍ଧି ହୋଇ ରହିଛି । ବିଭିନ୍ନ ଭାଷାର ସାହିତ୍ୟର ଆଦାନ ପ୍ରଦାନ  ଦ୍ୱାରା ସାହିତ୍ୟ ସାମଗ୍ରିକ ଭାବେ ଋଦ୍ଧିମନ୍ତ ହୋଇଥାଏ । ଏଥି ପାଇଁ ଅନୁବାଦ ସାହିତ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଭିନ୍ନ ଭାଷାର ସାହିତ୍ୟର ଅନୁବାଦ ଦ୍ୱାରା ଏହି କାର୍ଯ୍ୟଟି କରି ହେବ । ସେ ଆହୁରି କହିଥିଲେ ଯେ ସାନ୍ତାଳୀ ଭାଷାର ପାଠକମାନଙ୍କୁ ଅନୁବାଦ ମାଧ୍ୟମରେ ଅନ୍ୟ ଭାଷାର ସାହିତ୍ୟ ଓ ସଂସ୍କୃତି ବିଷୟରେ ଅବଗତ କରିବାର ଆବଶ୍ୟକତା ରହିଛି । ସମାନ ପ୍ରକ୍ରିୟାରେ ଅନୁବାଦ ମାଧ୍ୟମରେ ସାନ୍ତାଳୀ ସାହିତ୍ୟକୁ ଅନ୍ୟ ଭାଷାଭାଷୀଙ୍କ ମଧ୍ୟରେ ଲୋକପ୍ରିୟ କରିବାକୁ  ଉଦ୍ୟମ ହେବା ଉଚିତ ବୋଲି ସେ କହିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ ପିଲାମାନଙ୍କୁ ଆରମ୍ଭରୁ ଆତ୍ମ ଅଧ୍ୟୟନରେ ଅଭ୍ୟସ୍ତ ରଖାଯିବା ଆବଶ୍ୟକ। ପିଲାଦିନରୁ ନିଜେ ପଢି ଲେଖି ଶିଖିଲେ ଓ ସେଥିପ୍ରତି ଆଗ୍ରହୀ ହେଲେ ଯେ କୌଣସି ଲୋକ ଜଣେ ଭଲ ପାଠକ ହୋଇପାରିବ। ଆମୋଦଦାୟକ  ଏବଂ ସରଳ ଶିଶୁ ସାହିତ୍ୟ ବ୍ୟାପକଭାବେ ସୃଷ୍ଟି ଉପରେ ସେ ଗୁରୁତ୍ୱ ଦେଇଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ ଯେ ସରଳ, ସାବଲୀଳ ଏବଂ ଆମୋଦ ଦାୟକ ଶିଶୁ ସାହିତ୍ୟ  କେବଳ ସାନ୍ତାଳୀ ଭାଷାରେ ନୁହେଁ ସବୁ ଭାରତୀୟ ଭାଷାରେ ବ୍ୟାପକ ଭାବେ ସୃଷ୍ଟି ହେବାର ଆବଶ୍ୟକତା ରହିଛି । ଏଥି ପ୍ରତି ଆମ ଲେଖକ ଓ ସାହିତ୍ୟିକମାନେ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories