www.samajalive.in
Monday, December 8, 2025
14.1 C
Bhubaneswar

ବଣିଜ ବନ୍ଧୁ

ଆମେରିକା ଓ ଚୀନ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ପରସ୍ପରକୁ କେତେ ବିଶ୍ବାସଭାଜନ କରିବ, ତାହା ଭବିଷ୍ୟତ କହିବ

ବୁଧବାର ସାନ୍‌ଫ୍ରାନ୍‌ସିସ୍କୋ​‌େ​‌ର ଅନୁଷ୍ଠିତ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ସହଯୋଗ (ଆପେକ୍‌) ଶିଖର ସମ୍ମିଳନୀ ଅବସରରେ ବିଶ୍ବର ଦୁଇ ପ୍ରମୁଖ ଶକ୍ତି ଆମେରିକା ଓ ଚୀନର ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ ଆଲୋଚନା କେବଳ ସେହି ଦୁଇ ଦେଶ ନୁହେଁ, ବରଂ ଅନ୍ୟ ଦେଶଗୁଡ଼ିକ ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ବିଶେଷକରି ରୁଷ-ୟୁକ୍ରେନ୍‌ ଓ ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ଚାଲିଥିବାବେଳେ ବିଶ୍ବର ଭୂ-ରାଜନୈତିକ ପରିସ୍ଥିତି ଦିନକୁ ଦିନ ବଦଳି ଚାଲିଥିବା ପରିପ୍ରେକ୍ଷୀରେ ଏହି ଦୁଇ ଦେଶ ଆଲୋଚନା ପାଇଁ ରାଜି ହେବା ଘଟନାକୁ ସହଜରେ ଏଡ଼ାଇ ଦେଇହେବ ନାହିଁ। ବର୍ଷକ ତଳେ ବାଲି ଜି-୨୦ ସମ୍ମିଳନୀରେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ହୋଇଥିବା ଆଲୋଚନାକୁ ବର୍ତ୍ତମାନ ପରିପ୍ରେକ୍ଷୀରେ ସଫଳ ବୋଲି କୁହାଯାଇପାରିବ; କାରଣ ନିକଟ ଅତୀତରେ ଉଭୟ ଦେଶ ମଧ୍ୟରେ କଟୁ ସମ୍ବନ୍ଧ ଗଢ଼ିଉଠିଥିଲା। ଏପରିକି ଗତବର୍ଷ ଆମେରିକାର ହାଉସ୍‌ ବାଚସ୍ପତି ନାନ୍‌ସି ପେଲୋସି ତାଇୱାନ ଗସ୍ତ କରିବା ପରେ ଚୀନ ତାକୁ ‘ଅନାବଶ୍ୟକ ଉତ୍ତେଜନା’ ଏବଂ ‘ହସ୍ତକ୍ଷେପ’ ଆଖ୍ୟା ଦେଇ ଆମେରିକା ସହ ତା’ର ସମସ୍ତ ସାମରିକ ସମ୍ବନ୍ଧ ଚ୍ଛିନ୍ନ କରିଥିଲା। ଏହା ସତ୍ତ୍ବେ ସଂପ୍ରତି ଦୁଇ ରାଷ୍ଟ୍ରପତିଙ୍କ ଦୀର୍ଘ ଚାରିଘଣ୍ଟା ଧରି ଆଲୋଚନା ଉଭୟ ଦେଶର ସାମରିକ ସମ୍ବନ୍ଧକୁ ପୁଣିଥରେ ବାହାଲ୍‌ କରିବାରେ ସମର୍ଥ ହୋଇଛି। ଆହୁରି ମଧ୍ୟ ଚୀନ ମାରାତ୍ମକ ନିଶାଔଷଧ ‘ଫେଣ୍ଟାନାଇଲ୍‌’ର ତିଆରି ଓ ରପ୍ତାନି ଉପରେ କଟକଣା ଲଗାଇବାକୁ ରାଜି ହୋଇଛି। ଦୁଇନେତା ପାଲେଷ୍ଟାଇନ ସଙ୍କଟ ଓ ତାଇୱାନ ସମେତ ଉଭୟ ଦେଶ ମଧ୍ୟରେ ରହିଥିବା ଅନ୍ୟାନ୍ୟ ସମସ୍ୟା ନେଇ ମଧ୍ୟ ଆଲୋଚନା କରିଥିଲେ। ଆଗାମୀ ଜାନୁଆରୀରେ ତାଇୱାନରେ ରାଷ୍ଟ୍ରପତୀୟ ଓ ସଂସଦୀୟ ନିର୍ବାଚନ ହେବାକୁ ଥିବାବେଳେ ଏବେମଧ୍ୟ ଏହାର ଚତୁର୍ଦ୍ଦିଗରେ ଆମେରିକା ତା’ର ସାମରିକ ବ୍ୟବସ୍ଥା ମୁତୟନ କରିଛି। ତାଇୱାନର ନିର୍ବାଚନରେ ବାଧା ନ ଉପୁଜାଇବାକୁ ବାଇଡେନ୍ ଜିନପିଙ୍ଗ୍‌ଙ୍କୁ କହିଥିଲେ। ଅପରପକ୍ଷେ, ତାଇୱାନ ଚୀନର ଅବିଚ୍ଛେଦ୍ୟ ଅଂଶ ବୋଲି କହି ତାକୁ କୌଣସି ଅସ୍ତ୍ରଶସ୍ତ୍ର ବିକ୍ରୟ ନ କରିବାକୁ ଜିନପିଙ୍ଗ୍ ଆହ୍ବାନ ଦେଇଥିଲେ। ସେହିପରି ଆମେରିକାର ପ୍ରଶାନ୍ତ ମହାସାଗରୀୟ ସେନାଧ୍ୟକ୍ଷଙ୍କ ସହିତ ଚୀନ ପ୍ରତିପକ୍ଷ ଓ ଅନ୍ୟ ସାମରିକ ଅଧିକାରୀଙ୍କ ମଧ୍ୟରେ ପାରସ୍ପରିକ ସମ୍ବନ୍ଧ ରକ୍ଷା କରିବା ପାଇଁ ଉଭୟ ଦେଶ ରାଜି ହେବା ମହତ୍ତ୍ବପୂର୍ଣ୍ଣ।

- Advertisement -

ଆମେରିକା ଚୀନକୁ ଆଲୋଚନା ବୈଠକକୁ ଆଣି ତା’ର କୂଟନୈତିକ ଚତୁରତାର ପ୍ରମାଣ ଦେଇଛି। ବାଣିଜ୍ୟ ଓ ସାମରିକ କ୍ଷେତ୍ରରେ ଆମେରିକା ପୂର୍ବରୁ ଚୀନ ଉପରେ ଯେଉଁ କଟକଣା ଲଗାଇଛି, ତାକୁ ବଳବତ୍ତର ରଖି ଏପରି କରିବା ଏକ ଉଲ୍ଲେଖନୀୟ ଘଟନା। ଆମେରିକା ରଣନୀତି ତିଆରି କରି କ୍ବାଡ୍‌, ଅଉକୁସ୍‌ ଭଳି ସଂଗଠନ ସହିତ ଅଂଶୀଦାର ହୋଇଛି ଏବଂ ଏସୀୟ ମାମଲାରେ ଫାଇଦା ଉଠାଇବାକୁ ଉଦ୍ୟମ କରୁଛି। ଜାପାନ ଭଳି ପୁରୁଣା ବନ୍ଧୁ ସହିତ ତା’ର ବନ୍ଧୁତାକୁ ଆହୁରି ମଜଭୁତ କରୁଛି। ତେଣୁ ବିଭିନ୍ନ ବିବାଦରେ ଛନ୍ଦି ହୋଇରହିଥିବା ଏହି ଦୁଇ ବିରୋଧୀ ଶକ୍ତି କିଭଳି ପରସ୍ପରର ବିଶ୍ବାସଭାଜନ ହେଉଛନ୍ତି, ତାହା ଆଗାମୀ ଦିନରେ ଜଣାପଡ଼ିବ। ତେବେ ନିଜର ସ୍ବାର୍ଥ ପାଇଁ ବ୍ୟବସାୟୀ ସବୁକିଛିକୁ ଆପଣାଇପାରେ ବୋଲି ଯେଉଁ ଲୋକବିଶ୍ବାସଟି ରହିଛି, ଏ କ୍ଷେତ୍ରରେ ମଧ୍ୟ ତାହା ସତ୍ୟ ସାବ୍ୟସ୍ତ ହୋଇପାରେ; କାରଣ ଚୀନ ଆମେରିକା ସହ ସବୁ ପ୍ରକାରର ବାଣିଜ୍ୟିକ ସୁସମ୍ବନ୍ଧ ରଖିବ ବୋଲି ସ୍ପଷ୍ଟ କରିଛି; ଏପରିକି ପ୍ରଲୋଭନ ଦେଖାଇବାକୁ ମଧ୍ୟ ଭୁଲିନାହିଁ। ଜିନପିଙ୍ଗ୍ କହିଛନ୍ତି ଯେ ଚୀନ-ଆମେରିକା ସମ୍ବନ୍ଧର ଦ୍ବାର ଏବେ ଖୋଲିଛି ଏବଂ ପୁନର୍ବାର ଏହା ବନ୍ଦ ହେବନାହିଁ; ବରଂ ଆମେ ଅଧିକରୁ ଅଧିକ ରାସ୍ତା ଓ ସେତୁ ନିର୍ମାଣ କରିବାର ଆବଶ୍ୟକତା ରହିଛି। ଚଳିତମାସ ପ୍ରାରମ୍ଭରେ ହଂକଂରେ ଅନୁଷ୍ଠିତ ‘ଗ୍ଲୋବାଲ୍‌ ଫାଇନାନ୍ସିଆଲ୍‌ ଲିଡର୍ସ’ ସମ୍ମିଳନୀରେ ଚୀନ ଆମେରିକା ଓ ବିଶ୍ବର ଅନ୍ୟ ପୁଞ୍ଜିବାଦୀ ରାଷ୍ଟ୍ରକୁ ଦେଇଥିବା ଆମନ୍ତ୍ରଣର ଏହା କେବଳ ଅନ୍ୟତମ ପଦକ୍ଷେପ ବୋଲି କୁହାଯାଇପାରେ। ଉଦାରୀକରଣର ବିଶ୍ବରେ କର୍ପୋରେଟ୍‌ ଆମେରିକା ଚୀନକୁ ଯେ ଅଧିକ ଦିନ କଟକଣାଯୁକ୍ତ କରି ରଖିପାରିବ, ତାହା ସମ୍ଭବ ନୁହେଁ। ଅବଶ୍ୟ ଆମେରିକାର ଚେମ୍ବର୍‌ ଅଫ୍ କମର୍ସ ଅନୁଯାୟୀ ୧୯୯୯ ମସିହା ପରେ ଚୀନ ଉପରେ ଆମେରିକୀୟ ପୁଞ୍ଜିନିବେଶକାରୀଙ୍କ ବିଶ୍ବାସ ସର୍ବାଧିକ ହ୍ରାସ ପାଇଛି। ତେବେ ଏହା ମୂଳରେ ରହିଛି କୋଭିଡ଼ ସମୟରେ ଚୀନ ସରକାରଙ୍କ ଅତ୍ୟଧିକ ଅନାବଶ୍ୟକ କଟକଣା, ଚୀନ ଅର୍ଥନୀତିର ମନ୍ଥର ଗତି ଏବଂ ଅନ୍ୟାନ୍ୟ ଭୂ-ରାଜନୈତିକ ବିବାଦ। ତେବେ ଜିନପିଙ୍ଗ୍‌ଙ୍କ ସାମ୍ପ୍ରତିକ ମନୋଭାବ ଆମେରିକାକୁ ମଧ୍ୟ ପ୍ରଭାବିତ କରିବ, ତାହା ନିଃସନ୍ଦେହ। ତେଣୁ ଭାରତ ମଧ୍ୟ ଏହି ବାଣିଜ୍ୟିକ ବନ୍ଧୁଙ୍କ ଉପରେ ସତର୍କ ଦୃଷ୍ଟି ରଖିବା ଆବଶ୍ୟକ। ଆମେରିକା ସହିତ କୂଟନୈତିକ, ସାମରିକ ଓ ବାଣିଜ୍ୟିକ ସମ୍ବନ୍ଧକୁ କିଭଳି ଦୃଢ଼ ରଖିପାରିବ ଏବଂ ଏହା ଆକର୍ଷଣୀୟ ପୁଞ୍ଜିନିବେଶର ସ୍ଥାନ ହୋଇପାରିବ, ସେଥିପ୍ରତି ଭାରତ ଯତ୍ନବାନ ହେବା ଜରୁରୀ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories