ଧାମରାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା

ଧାମରା: ଧାମରା ପଞ୍ଚାୟତରେ ଥିବା ଧାମରାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟୁନା ମହାଳିକ ଏବଂ ମୋ ସ୍କୁଲ ଅଭିଯାନର ସଭାପତି ନରହରି ମଲିକ ପ୍ରଦ୍ୱୀପ ପ୍ରଜ୍ୱଳନ କରି ଏହି ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ। ଏହି ବିଦ୍ୟାଳୟର ୧୦ମ ଶ୍ରେଣୀରେ ଅଧ୍ୟୟନରତ ୧୩୦ଜଣ ଛାତ୍ରଛାତ୍ରୀ ୧୦ଟି ଗ୍ରୁପରେ ଭାଗ ହୋଇ ୧୦ଟି ପ୍ରକଳ୍ପ ନିର୍ମାଣ କରି ଏହି ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିଥିଲେ। ପ୍ରଥମ ପ୍ରକଳ୍ପ ଭାବେ ଭବିଷ୍ୟତର ସହରଟି ପ୍ରଥମ ସ୍ଥାନ ଗ୍ରହଣ କରିଥିବା ବେଳେ ବିଶ୍ୱ ତାପାୟନକୁ ଦ୍ୱିତୀୟ ଏବଂ ଅମ୍ଳ ବର୍ଷା ପାଇଁ ନିର୍ମାଣ ହୋଇଥିବା ପ୍ରକଳ୍ପଟି ତୃତୀୟ ସ୍ଥାନ ଅଧିକାର କରିଥିଲା। ଚୟନ ହୋଇଥିବା ଏହି ପ୍ରକଳ୍ପଗୁଡିକୁ ବ୍ଲକସ୍ତରୀୟ ବିଜ୍ଞାନ ମେଳା ପାଇଁ ଚୟନ କରାଯାଇଛି। ଗ୍ରୁପ ୧ ପ୍ରଥମ ସ୍ଥାନ, ଗ୍ରୁପ ୫ ଦ୍ୱିତୀୟ ସ୍ଥାନ ଏବଂ ଗ୍ରୁପ ୩ ତୃତୀୟ ସ୍ଥାନ ଗ୍ରହଣ କରିଛି। ଆଗାମୀ ବିଦ୍ୟାଳୟ ବାର୍ଷିକୋତ୍ସବ ଚୟନ ହୋଇଥିବା ପ୍ରକଳ୍ପ ଏବଂ ସେହି ଗ୍ରୁପମାନଙ୍କୁ ବିଦ୍ୟାଳୟ ପକ୍ଷରୁ ପୁରସ୍କୃତ କରାଯିବ। ବିଜ୍ଞାନ ଶିକ୍ଷକ ଗିରିଜା ଶଙ୍କର ଆଚାର୍ଯ୍ୟ ଏବଂ ଶିକ୍ଷୟିତ୍ରୀ ମନୀଷା ମହାଳିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୧୦ଟି ଗ୍ରୁପର ୧୩୦ଜଣ ଛାତ୍ରଛାତ୍ରୀ ଏହି ବିଜ୍ଞାନ ମେଳାରେ ସ୍ଥାନ ପାଇଥିବା ପ୍ରକଳ୍ପଗୁଡିକୁ ନିର୍ମାଣ କରିଥିଲେ। ବିଚାରପତି ରମେଶ ଚନ୍ଦ୍ର ନାୟକ ଏବଂ ଅଭିମନ୍ୟୁ ନାୟକ ଏହି ୩ଟି ପ୍ରକଳ୍ପକୁ ଚୟନ କରିଥିଲେ। ମୁଖ୍ୟ ଅତିଥି ଭାବେ ମୋ ସ୍କୁଲ ଅଭିଯାନର ସଭାପତି ନରହରି ମଲିକ, ଏସଏମସି ସଭାପତି ବିକାଶ ଜେନା, ସିଆରସିସି ରଣଜିତ ଜେନା ଆସନ ଅଳଂକୃତ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶ୍ରୀପତି ଦାସ, ସୁନୀଲ କୁମାର ମାରାଣ୍ଡି, କୁସୁମ ଲତା ସେଠୀ, ଶ୍ବାତୀ ଶୁଭରେଖା ମହାନ୍ତି, ରାମ ଚନ୍ଦ୍ର ମାରାଣ୍ଡି, ପ୍ରଶାନ୍ତ କୁମାର ଦାସ ଏବଂ ପ୍ରଧାନଶିକ୍ଷକ ଟୁନା ମହାଳିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

 

Comments are closed.