ଏ ବନ୍ଧନ ସମ୍ପର୍କର: ରାହୁଲ – ବରୁଣ

ନୂଆଦିଲ୍ଲୀ: ଦୁଇ ଭାଇ ଏକଦା ଲଣ୍ଡନରେ ଏକାଠି ପଢ଼ୁଥିଲେ; କିନ୍ତୁ ପାରବାରିକ ବିବାଦ ଓ ରାଜନୀତି ସେମାନଙ୍କୁ ‘ଭିନ୍ନେ’ କରି ଦେଇଥିଲା। ପ୍ରାୟ ତିନି ଦଶନ୍ଧି ଧରି କେହି କାହା ସହିତ କଥା ହେଉନଥିଲେ। ସେମାନଙ୍କୁ ନେଇ କେତେବେଳେ କେମିତି ରାଜନୈତିକ ଚର୍ଚ୍ଚା ହେଉଥିଲେ ମଧ୍ୟ କେହି କାହାକୁ ସମାଲୋଚନା କରୁନଥିଲେ। ବ୍ୟକ୍ତିଗତ ତଥା ପାରିବାରିକ ପ୍ରସଙ୍ଗରେ ସର୍ବଦା ସଂଯମ ରହୁଥିଲେ। ଏବେ ଦୈବୀ ଯୋଗକୁ ସେମାନେ କେଦାରନାଥ ତୀର୍ଥାଟନରେ ଏକାଠି ହେବା ଓ କଥାବାର୍ତ୍ତା କରିବା କେବଳ ଭାରତୀୟ ରାଜନୀତିକୁ ସରଗରମ କରିଦେଇ ନାହିଁ; ରକ୍ତର ସମ୍ପର୍କକୁ ନେଇ ଦେଶବାସୀଙ୍କ ମଧ୍ୟରେ ରୋମାଞ୍ଚ ଭରିଦେଇଛି।

prayash

ଏହି ଦୁଇ ଭାଇ ହେଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ବିଜେପି ନେତା ବରୁଣ ଗାନ୍ଧୀ। ମଙ୍ଗଳବାର ବଡ଼ ଭାଇ ରାହୁଲ କେଦାରନାଥ ଦର୍ଶନ ପରେ ବିମାନବନ୍ଦରରେ ଅପେକ୍ଷା କରିଥିବା ବେଳେ ତାଙ୍କଠାରୁ ପ୍ରାୟ ୧୦ବର୍ଷ ସାନ ଭାଇ ବରୁଣ ଓ ତାଙ୍କ ପତ୍ନୀ- କନ୍ୟାଙ୍କ ସହ ଦେଖା ହୋଇଯାଇଥିଲା। ଏହି ସାକ୍ଷାତ୍‌କୁ କିଏ କେମିତି ରଙ୍ଗ ଦେଇପାରେ; ହେଲେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଏହା ସମ୍ପୂର୍ଣ୍ଣ ଦୈବାତ୍‌ ଥିଲା। ​କେଦାରନାଥ ଯେମିତି ଉଭୟଙ୍କୁ ଏକାଠି କରିଦେଇଥିଲେ। ଉଭୟ ପ୍ରାୟ ୪୦ ମିନିଟ ଧରି କଥାବାର୍ତ୍ତା ହୋଇଥିଲେ। ସେମାନଙ୍କ ମଧ୍ୟରେ ରାଜନୀତି ନୁହେଁ; କେବଳ ଖୁସି ଗପ ହୋଇଥିଲା। ବରୁଣଙ୍କ ପତ୍ନୀ ଯାମିନୀ ରାୟ ​ଚୌଧୁରୀ ମଧ୍ୟ ରାହୁଲଙ୍କ ସହ କଥା ହୋଇଥିଲେ। ବରୁଣ ଓ ଯାମିନୀ ରାହୁଲଙ୍କ ‘ଫିଟ୍‌ନେସ୍‌’ର ମନ୍ତ୍ର କ’ଣ ବୋଲି ପଚାରିଥିଲେ। ବରୁଣଙ୍କ ଝିଅ ଅନସୂୟା ସହ ରାହୁଲ ଖୁବ୍‌ ଗପିଥିଲେ। ରାହୁଲଙ୍କୁ ତାଙ୍କ ପସନ୍ଦ ଓ ଅଭ୍ୟାସ କଥା ପଚାରିଥିଲା ଝିଆରୀ। ରାହୁଲ ତାକୁ କିଛି ଫଟୋ ଦେଖାଇଥିଲେ। ଫେରିଲାବେବେଳେ ଦୁଇ ଭାଇ ପରସ୍ପରଙ୍କୁ ଘରକୁ ନିମନ୍ତ୍ରଣ କରିଥିଲେ। ରାହୁଲ କହିଥିଲେ ତାଙ୍କର ଘର ନାହିଁ…, ପ୍ରିୟଙ୍କାଙ୍କ ଘରେ ଦେଖାହେବ।

ସୂଚନାଯୋଗ୍ୟ ଯେ ଇନ୍ଦିରାଙ୍କ ଦୁଇ ବୋହୂ ସୋନିଆ ଓ ମେନକା ଅଲଗା ହୋଇଯିବା ପରେ ସେମାନଙ୍କ ପିଲାଙ୍କ ମଧ୍ୟରେ ଦୂରତ୍ବ ବଢ଼ିଥିଲା। କଦବା କ୍ବଚିତ୍‌ ପିଲାମାନେ କଥା ହୁଅନ୍ତି; କିନ୍ତୁ କେହି କାହା ବିରୋଧରେ କେବେ କହିବା ଶୁଣାଯାଏ ନାହିଁ। ଭଉଣୀ ପ୍ରିୟଙ୍କାଙ୍କ ସହ ବରୁଣଙ୍କର ଭଲ ସମ୍ପର୍କ ରହିଥିବା କୁହାଯାଏ; ହେଲେ ୨୦୧୪ ନିର୍ବାଚନବେଳେ ଦୁହେଁ ଦୁହିଁଙ୍କୁ ଥରେ ମୃଦୁ ସମାଲୋଚନା କରିଥିଲେ। ପ୍ରିୟଙ୍କା କହିଥିଲେ- ବରୁଣ ନଷ୍ଟ ହୋଇଯାଇଛନ୍ତି। ଏହାର ଜବାବରେ ବରୁଣ କହିଥିଲେ- ପ୍ରିୟଙ୍କା ସୌଜନ୍ୟର ଲକ୍ଷ୍ମଣ ରେଖା ଅତିକ୍ରମ କରୁଛନ୍ତି। ବାସ୍‌, ଏତିକିରେ ଉଭୟ ଚୁପ୍‌ ହୋଇଯାଇଥିଲେ। ୨୦୧୧ରେ ବରୁଣ ବିବାହ ସମୟରେ ବଡ଼ ମା’ ସୋନିଆ, ରାହୁଲ ଓ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କରିଥିଲେ। ଝିଅ ଜନ୍ମ ହେଲାବେଳେ ମଧ୍ୟ ଡାକିଥିଲେ। ରାହୁଲ ଥରେ କହିଥିଲେ ଯେ ‘ବରୁଣ ଯେଉଁ ଆଦର୍ଶରେ ଅନୁପ୍ରାଣିତ ତାହା ବିଭାଜନକାରୀ; ତେଣୁ ସେମାନେ ଏକାଠି ହେବା ସମ୍ଭବ ନୁହେଁ।’ ସମ୍ପ୍ରତି ବିଜେପିରେ ବରୁଣଙ୍କ ସ୍ଥିତି ଭଲ ନାହିଁ। ସେ କଂଗ୍ରେସକୁ ଫେରିପାରନ୍ତି ବୋଲି ଅନେକ ଚର୍ଚ୍ଚା ଦେଉଛି। ସେ ବିଜେପି ଛାଡ଼ିଲେ ହୁଏତ ଦୁଇ ଭାଇ ଏକାଠି ହୋଇପାରନ୍ତି। ସାମ୍ପ୍ରତିକ ସାକ୍ଷାତ୍‌ରୁ ଦୁଇ ଭାଇଙ୍କ ପୁନର୍ମିଳନର ସୂଚନା ମିଳୁଛି। ବରୁଣଙ୍କ ଦକ୍ଷତା ସର୍ବଜନବିଦିତ। ୨୦୨୪ ନିର୍ବାଚନ ପୂର୍ବରୁ ଯଦି ଦୁଇ ଭାଇ ଏକାଠି ହୁଅନ୍ତି; ତେବେ ଭାରତୀୟ ରାଜନୀତିରେ ଏକ ନୂଆ ଶକ୍ତି କେନ୍ଦ୍ରର ଉଦ୍ଭବ ହେବ। ଏହା ମଧ୍ୟ ଦୈବୀ ଯୋଗ ବୋଲି କୁହାଯାଇପାରେ। ତେବେ ଉତ୍ତରାଖଣ୍ଡ ବିଜେପି ସଭାପତି ମହେନ୍ଦ୍ର ଭଟ୍ଟଙ୍କ କହିବାନୁସାରେ ବରୁଣଙ୍କଠାରେ ରାହୁଲଙ୍କୁ ସନାତନ ଧର୍ମ ପ୍ରତି ଆକୃଷ୍ଟ କରିବାର ଦକ୍ଷତା ଥିବା ଦେଖିବାକୁ ମିଳିଛି। ଏହା ଗୁରୁତ୍ବପୂର୍ଣ୍ଣ। କଂଗ୍ରେସ ମଧ୍ୟ ସନାତନ ପ୍ରତି ଢଳୁଥିବା ସେ କହିଛନ୍ତି।

kalyan agarbati

Comments are closed.