ଫୁଲବାଣୀରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନେଇ ବୈଠକ
ଫୁଲବାଣୀ:ଭାରତର ନିର୍ବାଚନ ଆୟୋଗ ଫଟୋ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଘୋଷଣା କରିଛନ୍ତି। ତଦନୁଯାୟୀ ଆଜି ଭୋଟର ତାଲିକାର ଡ୍ରାଫ୍ଟ ପ୍ରକାଶନ କରାଯାଇଛି ଏବଂ ଆସନ୍ତା ୨୦୨୪ ଜାନୁୟାରୀ ୫ ତାରିଖରେ ଚୁଡ଼ାନ୍ତ ଭୋଟର ତାଲିକା ପ୍ରକାଶନ କରାଯିବ। ଏହି କ୍ରମରେ, କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଜାତୀୟ ଓ ରାଜ୍ୟ ସ୍ତରର ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍ ଏହି ରାଜନୈତିକ ଦଳର ମୁଖ୍ୟମାନଙ୍କୁ ୨୭ ତାରିଖ ଅର୍ଥାତ୍ ଶୁକ୍ରବାର ସୁଦ୍ଧା ପ୍ରକାଶନ ହୋଇଥିବା ସମନ୍ୱିତ ଡ୍ରାଫ୍ଟ ଭୋଟର ତାଲିକା ପ୍ରଦାନ କରିଥିଲେ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଜିଲାର ମୋଟ ଭୋଟ ଗ୍ରହଣ କେନ୍ଦ୍ର ସଂଖ୍ୟା ୬୩୭ରୁ ୬୫୯କୁ ବୃଦ୍ଧି ପାଇଥିଲା।
ସେହି ବୁଥ୍ ତାଲିକା ସହିତ ସମସ୍ତ ବିଏଲଓଙ୍କ ତାଲିକା ଓ ଫୋନ୍ ନମ୍ବର ଏହି ରାଜନୈତିକ ଦଳର ମୁଖ୍ୟମାନଙ୍କୁ ପ୍ରଦାନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଆଗାମୀ ସାଧାରଣ ନିର୍ବାଚନରେ ଅଧିକରୁ ଅଧିକ ସଂଖ୍ୟକ ଯୋଗ୍ୟ ମତଦାତାମାନଙ୍କୁ ଭୋଟଦାନ ପ୍ରକ୍ରିୟାରେ ସାମିଲ କରିବା ଲକ୍ଷ୍ୟ ନେଇ ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟ ୨୭ ତାରିଖ ଠାରୁ ଆସନ୍ତା ଡ଼ିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା।
ଏହି ସମୟ ସୀମା ମଧ୍ୟରେ ଭୋଟର ତାଲିକାରେ ଥିବା ବିଭିନ୍ନ ଭୁଲ ସଂଶୋଧନ ସହିତ ଦାବୀ ଓ ଆପତ୍ତି ଗ୍ରହଣ କରାଯିବ। ସେହିପରି, ଏହି ସମୟ ସୀମା ମଧ୍ୟରେ ଜନସାଧାରଣ ସେମାନଙ୍କର ଦାବୀ ଓ ଆପତ୍ତିକୁ ଅନଲାଇନ୍ ମାଧ୍ୟମରେ ମଧ୍ୟ ଦାଖଲ କରିପାରିବେ। ଏଥି ସହିତ ୦୧.୦୧.୨୦୨୪ ରିଖକୁ ଯୋଗ୍ୟତା ସୂଚକ ତାରିଖ ଭାବେ ଗ୍ରହଣ କରାଯାଇ ଏହି ତାରିଖ ସୁଦ୍ଧା ଯେଉଁମାନଙ୍କ ବୟସ ୧୮ ବର୍ଷ ହେଉଥିବ, ସେମାନଙ୍କ ନାମକୁ ଭୋଟର ତାଲିକାରେ ଅର୍ନ୍ତଭୁକ୍ତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।
ସେହିଭଳି ୦୫.୧୧.୨୦୨୩ ଓ ତା.୧୯.୧୧.୨୦୨୩ ଏବଂ ୧୧.୧୧.୨୦୨୩ ଓ ୨୫.୧୧.୨୦୨୩ ଏହି ୪ଦିନ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ତଥା ଦାବୀ ଓ ଆପତ୍ତି ଗ୍ରହଣ ପାଇଁ ରଖାଯାଇଛି। ୨୬.୧୨.୨୦୨୩ ରିଖ ସୁଦ୍ଧା ଦାବି ଓ ଆପତ୍ତିର ସମାଧାନ କରାଯିବ। ୦୧.୦୧.୨୦୨୪ ରିଖ ଦିନ ଚୁଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ପାଇଁ ସ୍ୱାସ୍ଥ୍ୟ ମାନଦଣ୍ଡ ଯାଞ୍ଚ ଏବଂ କମିଶନଙ୍କ ଅନୁମତି ନେବା ସହିତ ଡାଟାବେସ୍ ଅପଡେଟ୍ କରି ସପ୍ଲିମେଣ୍ଟ୍ ମୁଦ୍ରଣ କରାଯିବ ଏବଂ ୦୫.୦୧.୨୦୨୪ରିଖ ଦିନ ଚୁଡ଼ାନ୍ତ ଭୋଟର ତାଲିକା ପ୍ରକାଶନ କରାଯିବ ବୋଲି କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ସୂଚନା ଦେଇଛନ୍ତି। ଉକ୍ତ ବୈଠକରେ ଭୋଟ୍ ପଞ୍ଜିକରଣ ଅଧିକାରୀ ତଥା କନ୍ଧମାଳ ଉପ ଜିଲାପାଳ ଜ୍ୟୋତି ଶଙ୍କର ରାୟ, ଡେପୁଟି କଲେକ୍ଟର(ନିର୍ବାଚନ) ମାଲେସ୍ ପାତ୍ରୋ, ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କର ମୁଖ୍ୟ, ବିଭାଗୀୟ ପଦାଧିକାରୀ ମାନେ ଯୋଗଦେଇଥିଲେ।
Comments are closed.