୧୬,୫୦୦କୋଟିର ବ୍ୟୟ ମଞ୍ଜୁରୀ ବିଧେୟକ ପାରିତ

0

ଭୁବନେଶ୍ୱର :  ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ଅପରାହ୍ନ ଅଧିବେଶନରେ ୨୦୧୮-୧୯ବର୍ଷ ବଜେଟ୍‍ର ଏପ୍ରିଲ ମାସ ପାଇଁ ଆବଶ୍ୟକ ପଡୁଥିବା ୧୬ହଜାର ୫୦୦କୋଟି ଟଙ୍କାର ଲେଖାନୁଦାନ ଉପରେ ବ୍ୟୟମଞ୍ଜୁରୀ ବିଧେୟକ ଆଗତ ହୋଇଥିଲା। ବିରୋଧୀ ଓ ଶାସକ ସଦସ୍ୟଙ୍କ ମଧ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏସମ୍ପର୍କରେ ଆଲୋଚନା ହେବା ପରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବିଧେୟକ ପାରିତ କରିବାପାଇଁ ଗୃହର ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ଏହାପରେ ବାଚସ୍ପତି ପ୍ରଦୀପ କୁମାର ଅମାତ ବାଚନିକା ଭୋଟକ୍ରମେ ବ୍ୟୟମଞ୍ଜୁରୀ ବିଲ୍‍ ପାରିତ ହୋଇଥିଲା।
ବିଧାନସଭାରେ ବଜେଟ୍‍ର ଲେଖାନୁଦାନ ବ୍ୟୟମଞ୍ଜୁରୀ ବିଧେୟକ ଆଲୋଚନାବେଳେ ବିରୋଧୀଦଳ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ବିରୋଧୀଦଳ ନେତା ନରସିଂହ ମିଶ୍ର ‘ପାଣି ବିନା ଜୀବନ’ ଯେଭଳି ଛଟପଟ ହୋଇଥାଏ, ଠିକ୍‍ ସେହିପରି ବିରୋଧୀଦଳ ବିନା ଗଣତନ୍ତ୍ରର ମାନେ କିଛି ନାହିଁ ବୋଲି କହିଥିଲେ। ସେ କହିଥିଲେ ଯେ ଗଣତନ୍ତ୍ର ପ୍ରତି ଏବେ ଘୋର ସଙ୍କଟ ଦେଖାଦେଇଛି। କେନ୍ଦ୍ରର ଏନ୍‍ଡିଏ ସରକାରରେ ଯେଭଳି ନ୍ୟାୟପାଳିକା ଉପରେ ବ୍ୟବସ୍ଥାପିକାର ହସ୍ତକ୍ଷେପ ବଢ଼ି ଚାଲିଛି ରାଜ୍ୟରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଦେଶପାଇଁ କେବେ ହେଲେ ଶୁଭଙ୍କର ନୁହେଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ବ୍ୟୟମଞ୍ଜୁରୀ ବିଧେୟକ ଆଗତ ହୋଇଛି ସେଥିରେ ଚାଷୀଙ୍କ ପ୍ରାଇସ୍‍, ପ୍ରେଷ୍ଟିଜ୍‍ ଓ ପେନ୍‍ସନ ନଥିବାବେଳେ ବିଧାୟକଙ୍କ ହାତପାଣ୍ଠି ବୃଦ୍ଧି ନେଇ କୌଣସି ବ୍ୟବସ୍ଥା ହୋଇନାହିଁ। କେନ୍ଦ୍ରରେ ଏନ୍‍ଡିଏ ସରକାରରେ ପଦାତିକ ବାହିନୀରେ ଉଚ୍ଚପଦାଧିକାରୀ ନିଯୁକ୍ତିରେ ଅନିୟମିତତା,ସୁପ୍ରିମକୋର୍ଟ ପ୍ରଧାନବିଚାରପତିଙ୍କ କାର୍ଯ୍ୟକଳାପରେ ହସ୍ତକ୍ଷେପ ଏବଂ ଭାରତର ନିର୍ବାଚନ ଆୟୋଗଙ୍କ କାର୍ଯ୍ୟରେ ହସ୍ତକ୍ଷେପ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଗୋଟିଏ ପଟେ କେନ୍ଦ୍ର ସରକାର ଜନତାଙ୍କ ଅପେକ୍ଷା ନିଜଦଳର ଅସ୍ଥିତ୍ୱ ପ୍ରତି ବେଶି ଚିନ୍ତା ପ୍ରକଟ କରୁଥିବାବେଳେ ରାଜ୍ୟ ସରକାର ମଧ୍ୟ ଅନୁରୂପ ଭାବେ ତାଙ୍କର ମନମାନି ଚଳାଇଛନ୍ତି। ବାର୍ଦ୍ଧକ୍ୟ ଭତ୍ତା ବଢ଼ାଇବାପାଇଁ ବାରମ୍ବାର ଗୃହରେ ଦାବି କରାଯାଇଥିଲେ ମଧ୍ୟ ସରକାର ଶୁଣୁ ନାହାନ୍ତି। ଶିକ୍ଷକ ଅଭାବରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଗତି କରୁଥିବାବେଳେ ଡାକ୍ତର ଅଭାବ ସ୍ୱାସ୍ଥ୍ୟକ୍ଷେତ୍ରକୁ ବିପର୍ଯ୍ୟସ୍ତ କରୁଛି। ଲୋକାୟୁକ୍ତ ନିଯୁକ୍ତି ନେଇ ଗୃହ ୩ଦିନ ବନ୍ଦ ରହିଲା। ହେଲେ ଏନେଇ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଉତ୍ତର ମିଳୁନାହିଁ। ବିରୋଧୀ ଦଳ ପ୍ରତି ଅସମ୍ମାନ ବଢ଼ି ଚାଲିଛି, ଯାହାଦ୍ୱାରା କି ଗଣତନ୍ତ୍ର ପ୍ରତି ଲୋକଙ୍କର ଆସ୍ଥା ତୁଟି ଯାଉଛି ବୋଲି ବାର୍ତ୍ତା ଯାଉଛି। ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କ ଏହି ସ୍ୱରରେ ସ୍ୱର ମିଳାଇ ବିଧାୟକ ଭୁଜବଳ ମାଝି ଓ ବିଜେପି ବିଧାୟକ ରବିନାରାୟଣ ନାୟକ ଉକ୍ତ ବଜେଟଟିକୁ ବିଭିନ୍ନ ଦିଗରୁ ସମାଲୋଚନା କରି ଏହା ଏକ ଜନବିରୋଧୀ ବଜେଟ୍‍ ବୋଲି ଅଭିହିତ କରିଥିଲେ।
ଏନେଇ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ତାଙ୍କ ଉତ୍ତରରେ ଦର୍ଶାଇଥିଲେ ଯେ ଚଳିତ ବଜେଟ୍‍ ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ବଜେଟ୍‍। ଏଥିରେ ମହିଳା, ଯୁବବର୍ଗ, ଛାତ୍ରଛାତ୍ରୀ, ଅନୁସୂଚିତ ଜାତି ଓ ଜନଜାତି, କୃଷିକ୍ଷେତ୍ର, ଜଳସେଚନ ଭଳି ସବୁ ଦିଗକୁ ଦୃଷ୍ଟିରେ ରଖି ସରକାର ବଜେଟ୍‍ ପ୍ରସ୍ତୁତ କରିଛନ୍ତି। ବଜେଟରେ କେବଳ ଯେ କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି ତାହା ନୁହେଁ ଜଳସେଚନ, ସାମାଜିକ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ ନିରାପତ୍ତା, ପାନୀୟ ଜଳଯୋଗାଣ, ପକ୍କାଘର ଓ ଅନ୍ୟାନ୍ୟ ଉନ୍ନତିକରଣକୁ ସରକାର ଗୁରୁତ୍ୱ ଦେଇଛନ୍ତି।
ଆଲୋଚନାର ଅନ୍ତିମ ପର୍ଯ୍ୟାୟରେ ଶ୍ରୀ ବେହେରା କହିଥିଲେ ଯେ ଏହି ବଜେଟ୍‍ରେ ଜନସାଧାରଣଙ୍କ କଲ୍ୟାଣ ଲାଗି ‘ଆମ ଗାଁ ଆମ ବିକାଶ’ଯୋଜନା ହାତକୁ ନେଇଛନ୍ତି। ଯେଉଁଥିରେ କି ଗ୍ରାମର ପ୍ରତ୍ୟେକ ଲୋକ ସିଧାସଳଖ ଉପକାର ପାଇପାରିବେ। ଏଥିପାଇଁ ସରକାର ୧୨୫୦କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ସେହିପରି ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ସୁନେତ୍ର, ନିମଳ, ନିଦାନ, ସହାୟ ତଥା ଡିଜିଟାଲ ହେଲଥ୍‍ ଭଳି ବହୁ ଯୋଜନା ପ୍ରଣୟନ କରିଛନ୍ତି। ପ୍ରତ୍ୟେକ ଘରକୁ ୪ଟି ଏଲଇଡଲ୍ଲାଇଟ ଯୋଗାଇବାକୁ ସରକାର ୧୨୫କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ରାଜ୍ୟରେ ହସ୍ତଶିଳ୍ପର ବିକାଶ ଓ ସମୃଦ୍ଧି ଲାଗି ୨୦କୋଟି ଟଙ୍କାର ବ୍ୟୟ ବରାଦ କରିଥିବାବେଳେ ମହାନଦର ଜଳଧାରଣ କ୍ଷମତା ବୃଦ୍ଧି ଲାଗି ୩୦କୋଟି ଟଙ୍କା, ମିଲେଟ ମିଶନରେ ୧୦୦କୋଟି ଟଙ୍କା, ଯୁବକମାନଙ୍କ ବିକାଶ ଲାଗି ବିଜୁ ଯୁବବାହିନୀ’ଯୋଜନାରେ ୯୦ କୋଟି ଟଙ୍କା, ପଛୁଆବର୍ଗ, ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ୧୦୦ଟି ଛାତ୍ରାବାସ ଲାଗି ୩୦କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହାସହିତ ମହିଳା ଓ ପୁରୁଷ କଳାକାରଙ୍କୁ ୧୨୫୦ଟଙ୍କାର ଭତ୍ତା, ବକୁଳବନର ବିକାଶ ପାଇଁ ୭କୋଟି ଟଙ୍କା, କୃଷିକୁ ପ୍ରାଧାନ୍ୟ ଦେଇ ୧୬ହଜାର ୭୬୫କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବାବେଳେ ଶିକ୍ଷା ପାଇଁ ୧୯ହଜାର ୬୭୮କୋଟି ପୁଞ୍ଜି ଖର୍ଚ୍ଚ ପାଇଁ ୨୪ହଜାର ୫୬୭କୋଟି ମହିଳା ଓ ଯୁବ ସଶକ୍ତୀକରଣ ଲାଗି ବଜେଟ୍‍ରେ ୧୩୦ ପ୍ରତିଶତ ଅର୍ଥ ବରାଦ ହୋଇଛି। ସବୁ ଦୃଷ୍ଟିରୁ ବଜେଟ୍‍ଟି ଏକ ଯୁଗାନ୍ତକାରୀ ବଜେଟ ବୋଲି ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ଅଭିଭାଷଣରେ କହିଥିଲେ।
ବଜେଟ୍‍ ଆଲୋଚନାରେ ଭାଗ ନେଇ ଶାସକ ଦଳ ବିଧାୟକ ପଦ୍ମନାଭ ବେହେରା କହିଥିଲେ ଯେ କେନ୍ଦ୍ର ସରକାର ପୂର୍ବରୁ ଯେଉଁ ଅନୁଦାନ ଦେଉଥିଲେ ତାହା ଏବେ କମାଇ ଦେଇଛନ୍ତି। ପୂର୍ବରୁ ବିଭିନ୍ନ ଯୋଜନାରେ ୯୦ପ୍ରତିଶତ ଅର୍ଥ ଦେଉଥିବାବେଳେ ଏବେ ଏହାକୁ ୬୦ ପ୍ରତିଶତକୁ କମାଇଛନ୍ତି। ତେଣୁ କେନ୍ଦ୍ରର ଅନୁଦାନ ବଢ଼ୁଛି ବୋଲି ବିଜେପି ସଦସ୍ୟ ଯେଉଁ କହୁଛନ୍ତି ତାହା ଠିକଣା ଭାବେ ଯାଞ୍ଚ କଲେ ଜାଣି ପାରିବେ। ତେବେ ପ୍ରଧାନମନ୍ତ୍ରୀ ୨୦୧୪ରେ ସ୍ୱଚ୍ଛ ଭାରତ ମିଶନ ଯୋଜନା ହାତକୁ ନେଇଛନ୍ତି। ଏହା ଏକ ସଂପୂର୍ଣ୍ଣ ବେକାର ଯୋଜନା ବୋଲି ଶ୍ରୀ ବେହେରା କହିଛନ୍ତି। ସେ କହିଛନ୍ତି ଯେ ଏଥିରେ ଯୋଜନା ବାବଦ ଅର୍ଥ ଖାଲି ଯେ କେନ୍ଦ୍ର ସରକାର କମାଇଛନ୍ତି ତାହା ନୁହେଁ ଏହି ଯୋଜନାରେ ଯେତିକି ପାଇଖାନା ନିର୍ମାଣ ହେଉଛି ତାହା ଆଉ କିଛି ବର୍ଷ ପରେ ମାଟିରେ ମିଶି ଯାଇଥିବ। ସେହିପରି ଆଦିବାସୀବର୍ଗର ଛାତ୍ରଛାତ୍ରୀଙ୍କୁ ଷ୍ଟାଇପେଣ୍ଡ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର କେନ୍ଦ୍ରକୁ ଅବଗତ କରାଗଲେ ମଧ୍ୟ ଏପର୍ଯ୍ୟନ୍ତ ଅନୁଦାନ ମିଳୁନାହିଁ। ୨୦ବର୍ଷ ତଳେ ରାଜ୍ୟରେ ନିଅଣ୍ଟିଆ ପରିସ୍ଥିତି ଥିବାବେଳେ ଏବେ ରାଜ୍ୟ ବଳକା ବଜେଟ୍‍ରେ ପହଞ୍ଚିଛି। ସେହିପରି କୃଷକମାନଙ୍କୁ ଭତ୍ତା ଦେବାପାଇଁ ବିରୋଧୀ ଯେଉଁ ଦାବି କରୁଛନ୍ତି ସେମାନେ ବୁଝିବା ଦରକାର ଯେ ଯେଉର୍ମାନେ ବାର୍ଦ୍ଧକ୍ୟ ଭତ୍ତା ନେଉଛନ୍ତି ସେଥିମଧ୍ୟରେ ବହୁତ ଚାଷୀ ବର୍ଗର ଲୋକ ଅଛନ୍ତି। ଯାହାକୁ କି ବିଜୁ ପଟ୍ଟନାୟକଙ୍କ ଅମଳରେ ଭତ୍ତା ଦେବାପାଇଁ ଚିନ୍ତା କରାଯାଇଥିଲା। ବିରୋଧୀମାନେ ବିରୋଧ କରିବା କଥା ବୋଲି କହୁଛନ୍ତି, ନଚେତ୍‍ ରାଜ୍ୟ ସରକାରଙ୍କ ବଜେଟ୍‍ଟି ଏକ ଐତିହାସିକ ବଜେଟ୍‍ ବୋଲି ଶ୍ରୀ ବେହେରା କହିଥିଲେ। ଆଲୋଚନାରେ ବିଧାୟକ ବେଦପ୍ରକାଶ ଅଗ୍ରୱାଲ, ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ଭାଗ ନେଇ ଚଳିତ ବଜେଟ୍‍ଟିକୁ ସ୍ୱାଗତ କରିଥିଲେ।

Leave A Reply