‘ଆମ ଓଡିଶା ନବୀନ ଓଡିଶା’ : ପିପିଲିର ୨୫ ପଞ୍ଚାୟତରେ ୪୧୮ ପ୍ରକଳ୍ପର ଶୁଭାରମ୍ଭ

ପୁରୀ ଜିଲାରେ ‘ଆମ ଓଡିଶା ନବୀନ ଓଡିଶା’ର ଶୁଭାରମ୍ଭ

ପିପିଲି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ଆଭାସୀ ମାଧ୍ୟମରେ ପୁରୀ ଜିଲାରେ ‘ଆମ ଓଡିଶା ନବୀନ ଓଡିଶା’ର ଶୁଭାରମ୍ଭ କରିଛନ୍ତି। ୧୩୪ କୋଟି ଟଙ୍କା ବ୍ୟୟରେ ଜିଲାର ୧୧ଟି ବ୍ଲକରେ ୪ହଜାର ୧୩୦ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ। ଏଥି ମଧ୍ୟରୁ ପିପିଲି ବ୍ଲକର ୨୫ଟି ପଞ୍ଚାୟତ ପାଇଁ ଅନୁମୋଦନ ହୋଇଥିବା ୧୨କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ୪୧୮ଟି ଉନ୍ନୟନ ମୂଳକ ପ୍ରକଳ୍ପର କାର୍ଯ୍ୟ କରାଯିବ।
ଦାଣ୍ଡମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବାଲିପଡିଆ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିବା ଅବସରରେ ସ୍ୱଚ୍ଛତାର ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ପ୍ରକଳ୍ପ ଗୁଡିକର କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ କହିଥିଲେ। ଏହି ଯୋଜନା ଦ୍ୱାରା ପ୍ରତି ଗାଁ ହେବ ସଶକ୍ତ ଓଡିଶାର ପ୍ରତିଛବି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଏହି ଅବସରରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଆଭାସୀ ମାଧ୍ୟମରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଁ ପିପିଲିକୁ ଆସିଥିବା ବେଳେ ଆପଣମାନେ ପିପିଲିର ବିଦ୍ୟୁତ୍‌‌ ସମସ୍ୟା, ଚାନ୍ଦୁଆ କାରିଗରଙ୍କ ସମସ୍ୟା ସଂପର୍କରେ ଅଭିଯୋଗ କରି ଥିଲେ। ପିପିଲି ବିଦ୍ୟୁତ୍‌‌ ସମସ୍ୟାର ସମାଧାନ ମୁଖ୍ୟମନ୍ତ୍ରୀ କରିସାରିଛନ୍ତି। ପିପିଲିର ଚାନ୍ଦୁଆ କାରିଗର ଓ ଚାନ୍ଦୁଆ ବ୍ୟବସାୟୀଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ୧୨.୫ କୋଟି ଟଙ୍କା ମଂଜୁର କରିଛନ୍ତି। କୁରୁକେଶ୍ୱର ମନ୍ଦିରର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୧କୋଟି ଟଙ୍କା ମଂଜୁର କରିଥିବା ବେଳେ ଡେଲାଙ୍ଗର ଅରାଗଡ ସ୍ଥିତ ବୌଦ୍ଧ ପୀଠର ବିକାଶ ପାଇଁ ୧କୋଟି ଟଙ୍କା ମଂଜୁର କରିଛନ୍ତିି। ଦାଣ୍ଡମୁକୁନ୍ଦପୁର ସ୍ଥିତ ଗୋପୀନାଥଦେବଙ୍କ ମନ୍ଦିରର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ଅନୁମୋଦନ କରିଥିବା ସଂପର୍କରେ ଶ୍ରୀ ପାଣ୍ଡିଆନ ସୂଚନା ଦେବା ସହ ସ୍ୱଚ୍ଛତାର ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଭଲ ଭାବରେ ସମସ୍ତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।
ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ଅଞ୍ଚଳବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ଅବସରରେ କହିଥିଲେ ଯେ, ନିର୍ବାଚନମଣ୍ଡଳୀର ଦୁଇଟି ବଡ ସମସ୍ୟାକୁ ଖୁବ୍‌‌ କମ୍‌‌ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ସମାଧାନ କରିଛନ୍ତି । ପିପିଲିର ବିଦ୍ୟୁତ୍‌‌ ସମସ୍ୟା ଥିଲା ବଡ ସମସ୍ୟା। ତାହାର ଆଜି ସମାଧାନ ହୋଇପାରିଛି । ନିକଟବର୍ତ୍ତୀ ଠଣଠଣା ଗ୍ରୀଡ୍‌‌ରୁ ପିପିଲିକୁ ୩୩କେଭି ବିଦ୍ୟୁତ୍‌‌ ସଂଯୋଗୀକରଣ ହେବା ଫଳରେ ପିପିଲିର ୧୬ଟି ପଞ୍ଚାୟତ ଓ ଏନ୍‌‌ଏସି ଅଞ୍ଚଳର ୩୫ହଜାର ଉପଭୋକ୍ତା ଉପକୃତ ହୋଇଛନ୍ତି। ସେହିପରି ଡେଲାଙ୍ଗ ବ୍ଲକରେ ପାନୀୟ ଜଳ ସମସ୍ୟା ସବୁଠାରୁ ବଡ ସମସ୍ୟା ଥିଲା। ଏହାର ସମାଧାନ ପାଇଁ ୯୧ କୋଟି ଟଙ୍କା ବ୍ୟୟରେ ମେଗା ପାଇପ ଜଳ ଯୋଗାଣ ଯୋଜନା ଫଳରେ ଉକ୍ତ ବ୍ଲକର ୧୬ଟି ପଞ୍ଚାୟତର ୭୮ଟି ଗ୍ରାମର ଅଧିବାସୀଙ୍କ ପାନୀୟ ଜଳ ସମସ୍ୟାର ସମାଧାନ ହେବାକୁ ଯାଉଛି। ପିପିଲିର ଚାନ୍ଦୁଆ କାରିଗରଙ୍କ ପାଇଁ ଏକ ଆପ୍ଲିକ ହବ୍‌‌ ନିର୍ମାଣ ପାଇଁ ୧୨.୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଂଜୁର କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁଁ ଆଜି ଡେଲାଙ୍ଗକୁ ମୋ ବସ୍‌‌ ଯାଉଛି । ପିପିଲି ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ମନ୍ଦିର, ଗୀର୍ଜା, ମସ୍‌‌ଜିଦ ଓ କମ୍ୟୁନିଟି ହଲ୍‌‌ ଆଦି ୧୧୦ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୪.୭କୋଟି ଟଙ୍କା ମଂଜୁର କରିଛନ୍ତି। ‘ଆମ ଓଡିଶା ନବୀନ ଓଡିଶା’ ଜରିଆରେ ଆମ ନିର୍ବାଚନମଣ୍ଡଳୀରେ ଥିବା ୪୬ଟି ପଞ୍ଚାୟତକୁ ୨୩ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଯାହା ଆପଣଙ୍କ ଲକ୍ଷ୍ୟ ରହିଛି ତାହା ନିଶ୍ଚିତ ରୂପେ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀମହାରଥୀ ପ୍ରତିଶ୍ରୁତି ଦେବା ସହ ଆମ ଗାଁରେ ମଧ୍ୟ ସହର ଭଳି ସବୁ ସୁବିଧା ଉପଲବ୍ଧ ହେବ ବୋଲି ଆଶା ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁରୀର ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ପିପିଲି ବିଡିଓ ରଶ୍ମିତା ନାଥ, ତହସିଲଦାର ପୁନମ ମହାପାତ୍ର, ଅତିରିକ୍ତ ତହସିଲଦାର ନିଶା ଗୋଏଙ୍କା, ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଳ ସ୍ୱାଇଁ, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ସୁଶାନ୍ତ କୁମାର ମଲ୍ଲିକ, ସୁଶ୍ରୀ ସଙ୍ଗିତା ବେହେରା, ପିପିଲି ପୌରାଧ୍ୟକ୍ଷ ସେକ୍‌‌ ବାବୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ୫ହଜାରରୁ ଉର୍ଦ୍ଧ ମହିଳା ଓ ପୁରୁଷ ଯୋଗଦେଇଥିଲେ। ପୁରୀର ଅତିରିକ୍ତ ଏସ୍‌‌ପି ସୁଶୀଲ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାନ୍ତି ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ୍‌‌ ନିୟନ୍ତ୍ରଣ ପାଇଁ ପିପିଲି ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ, ଏସ୍‌‌ଆଇ ସନ୍ଦୀପ କୁମାର ଦାସଙ୍କ ସମେତ ପୁଲିସ ଅଧିକାରୀ ଓ ଫୋର୍ସ ବିଭିନ୍ନ ସ୍ଥାନରେ ମୂତୟନ ଥିଲେ।

Comments are closed.