www.samajalive.in
Monday, December 8, 2025
24.1 C
Bhubaneswar

ସମ୍ବଲପୁରରେ ବିଜେଡିର ପ୍ରସ୍ତୁତି ବୈଠକ

ସମ୍ବଲପୁର: ଆଗାମୀ ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକ ନିଜର ସାଙ୍ଗଠନିକ ଦକ୍ଷତାକୁ ଆହୁରୀ ବୃଦ୍ଧି କରିବାରେ ଜୋରସୋରରେ ଲାଗି ପଡ଼ିଛନ୍ତି। ଏହି କ୍ରମରେ ପଶ୍ଚିମ ଓଡ଼ିଶାର ପ୍ରମୁଖ ରାଜନୈତିକ ପେଣ୍ଠସ୍ଥଳି ସମ୍ବଲପୁର ଠାରେ ରାଜ୍ୟ ଶାସକ ଦଳ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରସ୍ତୁତି ବୈଠକ କରିଛନ୍ତି। ଜିଲାରେ ବିଗତ ଦିନରେ ନୂତନ ସଭାପତି ରୂପେ ରେଢ଼ଖୋଲ ବିଧାୟକ ଇଂ ରୋହିତ ପୂଜାରୀଙ୍କୁ ନିଯୁକ୍ତି ଦେବା ପରେ ଦଳକୁ ଜିଲାରେ ଆହୁରୀ ସଙ୍ଗଠିତ କରିବା ପାଇଁ ରାଜନୈତିକ ଦୃଷ୍ଟିରୁ ଏହି ବୈଠକକୁ ବହୁ ଗୁରୁତ୍ୱପୁର୍ଣ୍ଣ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ସ୍ଥାନୀୟ ମୁଦିପଡ଼ା ସ୍ଥିତ ଡ. ରାଧାନାଥ ରଥ କମ୍ୟୁନିଟି ସେଣ୍ଟରରେ ଗୁରୁବାର ସନ୍ଧ୍ୟାରେ ଆୟୋଜିତ ବୈଠକରେ ଜିଲା ସଭାପତି ତଥା ବିଧାୟକ ଇଂ ରୋହିତ ପୂଜାରୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଆଗାମୀ ଦିନରେ ସମ୍ବଲପୁର ଠାରେ ଆୟୋଜିତ ହେବାକୁ ଥିବା ପଦଯାତ୍ରାକୁ କିଭଳି ସଫଳ କରାଯିବ ସେ ନେଇ ଆଲୋଚନା କରିଥିଲେ। ଏଥି ସହ ସମ୍ବଲପୁର ଜିଲାରେ ଥିବା ୪ଟି ବିଧାନସଭା ସମେତ ଲୋକସଭା ଆସନକୁ କିଭଳି ଭାବରେ ଆସନ୍ତା ନିର୍ବାଚନରେ ଜିଣିବାକୁ ହେବ, ସେଥି ପାଇଁ ସାଙ୍ଗଠନିକ ସମ୍ପାଦକ ଶ୍ରୀ ଦାସଙ୍କ ସମେତ ସାମିଲ ହୋଇଥିବା ନେତା ମାନେ ନିଜସ୍ୱ ମତ ଦେଇଥିଲେ। ଏହି ବୈଠକରେ ସବୁଠାରୁ ବେଶି ଆଲୋଚନାର କେନ୍ଦ୍ରରେ ସମ୍ବଲପୁର ବିଧାନସଭା ସିଟରେ କିଭଳି ଭାବରେ ବିରୋଧି ଦଳ ନେତା ତଥା ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ପରାସ୍ତ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା। ଏକତାରେ ହିଁ ଶକ୍ତ ଅଛି ବୋଲି ନେତା ମାନେ କର୍ମୀ ମାନଙ୍କ କହିବା ସହିତ ସମ୍ବଲପୁର ଜିଲାର ସମସ୍ତ ୪ଟି ବିଧାନସଭା ଆସନ ସହିତ ଲୋକସଭା ଆସନକୁ ବିଜେଡି ନିଜ ଅକ୍ତିୟାରରେ ଆଗାମୀ ସାଧାରଣ ନିର୍ବାଚନ ସମୟରେ ନେବ, ସେଥି ପାଇଁ ଜୋରସୋରରେ କାର୍ଯ୍ୟକ୍ଷେତ୍ରକୁ ଓହ୍ଲାଇବାକୁ ଆହ୍ନାନ ଦେଇଥିଲେ।

ବୈଠକ ପରେ ସାମ୍ବାଦିକ ମାନଙ୍କ ସହିତ ଆଲୋଚନା ସମୟରେ ଜିଲା ସଭାପତି ତଥା ବିଧାୟକ ଇଂ ରୋହିତ ପୂଜାରୀ କହିଛନ୍ତି ଯେ, ମୁଁ ସଭାପତି ରୂପେ ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ବୈଠକ ଅଟେ। ପ୍ରଥମ ବୈଠକରେ ସାଙ୍ଗଠନିକ ସମ୍ପାଦକ ବବି ଦାସ ନିଜେ ଆସି କର୍ମୀ ମାନଙ୍କୁ ଦିଗଦର୍ଶନ ଦେଇ ଉତ୍ସାହିତ କରିଥିବାରୁ ବିଶେଷ ଧନ୍ୟବାଦ ଦେଉଛି। ଏହା ଦ୍ୱାରା ଆଗାମୀ ଦିନରେ ତାଙ୍କର ନେତୃତ୍ୱରେ ଯେଉଁ କାର୍ଯ୍ୟକ୍ରମ ଗୁଡିକ ନିର୍ଦ୍ଧାରିତ କରାଯାଉଛି ଯେ ମୋର ଦୃଢ଼ ବିଶ୍ୱାସ ଦଳ ଆହୁରୀ ମଜବୁତ ହେବ। ନବୀନ ପଟ୍ଟନାୟକଙ୍କ ସମ୍ବଲପୁରବାସୀଙ୍କ ଯେଉଁ ଭଲ ପାଇବାର ଅଛି, ସେଥି ପାଇଁ ଆମେ ଆଗାମୀ ଦିନରେ ୪ଟି ଯାକ ବିଧାନସଭା ଆସନ ସମେତ ଲୋକସଭା ଆସନ ଜିଣି ଏକ ରେକର୍ଡ ସୃଷ୍ଟି କରିବୁ। ଆମର କାହାରି ସହିତ ପ୍ରତିଯୋଗିତା ନାହିଁ, ଆମର କେବଳ ଗୋଟିଏ ଲକ୍ଷ୍ୟ ଯେ, ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଭୋଟରେ ପରିଣତ କରି ଜିଲାର ସମସ୍ତ ଆସନ ଜିଣିବା। ବିରୋଧି ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମ୍ପର୍କରେ ପ୍ରଶ୍ନର ଉତ୍ତର ଦେଇ ଇଂ ପୂଜାରୀ କହିଛନ୍ତି ଯେ, ଆମେ କାହାରିକୁ ଡରୁ ନାହୁଁ, ତାଙ୍କର ତ ନିଜର କୌଣସି ଆତ୍ମବିଶ୍ୱାସ ନାହିଁ ଏବଂ ଆମେ ଶୁଣୁଛୁ ଯେ, ବାହାର ଜିଲାରୁ ନେତୃତ୍ୱ ଆଣି ଆଗକୁ ଏଠାରେ ନିର୍ବାଚନ ଲଢ଼ିବ ବୋଲି ଖୋଜୁଛନ୍ତି।

- Advertisement -

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ଯେ, ସାରା ଓଡ଼ିଶାରେ ଆମର ଏକ ପ୍ରଶିକ୍ଷଣ ଶିବିର ସହିତ ପଦଯାତ୍ରା ପାଇଁ କାର୍ଯ୍ୟକ୍ରମ ଜାରି ରହିଛି। ପ୍ରତି ନିର୍ବାଚନ ମଣ୍ଡଳୀରେ ୩ଟି ସ୍ଥାନରେ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ। ଆଗାମୀ ଦିନରେ ଦଳ କିଭଳି ଆହୁରୀ ମଜବୁତ ହେବ, ସେଥିପାଇଁ କାର୍ଯ୍ୟକ୍ରମ ମାନ କରାଯାଉଛି। ସମସ୍ତଙ୍କୁ ନେଇ ଆଗାମୀ ଦିନରେ ପଦଯାତ୍ରା କରାଯିବ। ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିଥିବାରୁ ସମ୍ବଲପୁର ଜିଲାରେ ବିଗତ ଜିଲା ପରିଷଦ ନିର୍ବାଚନ ଜିଣିବା ସହିତ ଆମର ସଭାପତି ରହିଛନ୍ତି। ସେହିଭଳି ଆଗାମୀ ଦିନରେ ମଧ୍ୟ ସମସ୍ତଙ୍କୁ ସାଥିରେ ନେଇ ସମ୍ବଲପୁର ଜିଲା ସମେତ ପଶ୍ଚିମ ଓଡ଼ିଶାରେ ଅଧିକ ସିଟ ଜିଣିବୁ ବୋଲି ବିଧାୟକ ଶ୍ରୀ ସିଂ କହିଛନ୍ତି।

ଯୁବ ନେତା ବିଶାଲ ଦାସ ଏହି ଅବସରରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁଯାୟୀ, ବିଜେଡି ଦଳ ଚାଲୁଥିବା ବେଳେ ଆମକୁ ଯାହା ଯେତେବେଳେ ନିର୍ଦ୍ଦେଶ ଦେଉଛନ୍ତି, ସେହିଭଳି ଆମେ କାମ କରି ଚାଲିଛୁ। ଆଗକୁ ବିଜେଡି ସମ୍ବଲପୁର ଜିଲାରେ ଆହୁରୀ ମଜବୁତ ଭାବରେ ଉଭା ହେବ ଏବଂ ଆମେ ସମସ୍ତେ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସମସ୍ତେ ଲଢ଼ିବୁ। ସମ୍ବଲପୁରରୁ ନିର୍ବାଚନ ଲଢ଼ିବା ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ଏବଂ ଆଦେଶ ଦେବେ, ଆମେ ଜଣେ କର୍ମୀ ଭଳି ନିଶ୍ଚିତ ରୂପେ ଲଢ଼େଇ କରିବୁ।

ଏହି ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, କୁଚିଣ୍ଡା ବିଧାୟକ କିଶୋର ନାୟକ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ, ପୂର୍ବତନ ସାଂସଦ ପ୍ରମିଳା ବହିଦାର, କୁମୁଦିନୀ ନାୟକ, ଯୁବ ନେତା ବିଶାଲ ଦାସ, ସଞ୍ଜୟ ବାବୁ, ସିଦ୍ଧାର୍ଥ ଦାସ, ଭୋଲା ଶଙ୍କର ମହତ୍ତମ, ସତିଶ ବିଶି ଙ୍କ ସମେତ ଦଳର ନେତା ଓ କର୍ମୀ ମାନେ ଉପସ୍ଥିତ ରହିଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories