ଛାତ୍ର ସଂସଦ ନିର୍ବାଚନ ବନ୍ଦ ମାମଲା, ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ନିର୍ଦେଶ

କଟକ : ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରସଂସଦ ନିର୍ବାଚନ ବନ୍ଦ ବିରୋଧ ଉଚ୍ଚ ନ୍ୟାୟାଳୟରେ ଆଗତ ମାମଲାର ଶୁଣାଣି ଗୁରୁବାର ହୋଇଛି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ଏମ୍‌‌.ଏସ୍‌‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ଉଚ୍ଚ ଶିକ୍ଷାନୁଷ୍ଠାନରେ କେବେଠାରୁ, କାହିଁକି ନିର୍ବାଚନ ବନ୍ଦ ହୋଇଛି, ସେ ସଂକ୍ରାନ୍ତରେ ଅଦାଲତଙ୍କୁ ଅବଗତ କରାଇବା ନିମନ୍ତେ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ଅାସନ୍ତା ସପ୍ତାହରେ ପରବର୍ତ୍ତୀ ଶୁଣାଣି ହେବ। ବିଗତ ୫ ବର୍ଷ ଧରି ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସଗୁଡ଼ିକ ଉଚ୍ଛୃଙ୍ଖଳ ତଥା ଅଶାନ୍ତ ରହିବା ଓ ଲିଙ୍ଗ୍‌‌ଡୋ କମିସନ ନିୟମ ପାଳନ କରାନଯିବା ଦର୍ଶାଇ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ କରାଉନାହାନ୍ତି। ହେଲେ ସମ୍ବିଧାନ ଓ ଲିଙ୍ଗଡ଼ୋ କମିସନ୍‌‌ଙ୍କ ରିପୋର୍ଟ ଅନୁଯାୟୀ ୧୮ବର୍ଷ ବୟସରେ ଜଣେ ବ୍ୟକ୍ତି ଜନପ୍ରତିନିଧି ଆଇନର ପରିସର ମଧ୍ୟରେ ଦେଶ ତଥା ରାଜ୍ୟର ନେତା ମନୋନୀତ କରିବାର ଅଧିକାର ପାଉଛନ୍ତି। ତେଣୁ ରାଜ୍ୟର ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ କରାଇବାକୁ ନିର୍ଦେଶ ଦେବା ନିମନ୍ତେ ପ୍ରାର୍ଥନା କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଗତ ସେପ୍ଟେମ୍ବର ୧୮ ତାରିଖରେ ଦାୟର ହୋଇଥିଲା। ଏବିଭିପିର ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ ଓ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଚଣ୍ଡୀ ପ୍ରସାଦ ସୁଆରଙ୍କ ପକ୍ଷରୁ ଏହି ମାମଲା ରୁଜୁ ହୋଇଥିଲା। ଅାବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସୌମିକ ତ୍ରିପାଠୀ ଏବଂ ସୁମନ ପ୍ରିୟଦର୍ଶିନୀ ପ୍ରମୁଖ ମାମଲା ପରିଚାଳନାରେ ସହଯୋଗ କରୁଛନ୍ତି।

Comments are closed.