ଚୌଦ୍ୱାରରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ
ଚୌଦ୍ୱାର : ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଚୌଦ୍ୱାରରେ ପାଳିତ ହୋଇ ଯାଇଛି । ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ ଶିଶୁ ସଦନର ଅନ୍ତେବାସୀ ମାନଙ୍କ ସହିତ ରାମଧୂନ କରି ଶୋଭାଯାତ୍ରାରେ ଯାଇ ଗାନ୍ଧୀଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୁତ୍ତିରେ ମାଲ୍ୟାର୍ପଣ କରିଥିଲେ । ପିଲାମାନଙ୍କ ଦ୍ୱାରା ଗୀତାପାଠ, ସମୂହ ବେଦ ଆବୃତ୍ତି, ସର୍ବଧର୍ମ ପ୍ରାର୍ଥନା, ଗାନ୍ଧୀ ବାଣୀ ଆଦି ମାଧ୍ୟମରେ ଦୁଇ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଚୌଦ୍ୱାର ପୌର ପାଳିକା ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଚୌଦ୍ୱାର କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଗାନ୍ଧୀଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଗାନ୍ଧୀଜୀଙ୍କ ନୀତି ଆଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ବିଜେଡ଼ି କଟକ ଜିଲା ଉପ ସଭାପତି ପ୍ରେମଚାନ୍ଦ ନାୟକ, ନଗର ସଭାପତି ବିଷ୍ଣୁ ଚରଣ ପରିଡ଼ା, ସମସ୍ତ କାଉନସିଲର, ପୌର କର୍ମଚାରୀ ଏବଂ ବହୁ ବରିଷ୍ଠ ନାଗରିକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସେହିପରି ଓଟିଏମ କଲୋନୀ ଓ ନିକଟରେ ଥିବା ବସ୍ତିବାସିନ୍ଦା ଅହିଂସାର ବାର୍ତ୍ତା ନେଇ ଏକ ବିରାଟ ଶୋଭାଯାତ୍ରାରେ ଆସି ଗାନ୍ଧିଜୀଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ବିଶ୍ୱ ରଞ୍ଜନ କର, ଜୟ ସିଂହ, ସରିତା ଦାସ,ବିଶ୍ୱଜିତ୍ ଭଞ୍ଜ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ । ଏଥି ସହିତ ସ୍ଥାନୀୟ ବିଭିନ୍ନ ବିଦ୍ୟାଳୟ ଓ ବିଭିନ୍ନ ଅନୁଷ୍ଠାନରେ ଗାନ୍ଧୀ ଜୟନ୍ତୀ, ଆଲୋଚନା ଚକ୍ର ଓ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ପରେ ପରେ ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳ ଦଳୀୟ ନେତା ଓ କର୍ମୀ ମାନଙ୍କ ଗହଣରେ ଯାଇ ବିରୁପା ନଦୀ କୁଳରେ ଥିବା ବିଜୁବାବୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରି ଆଗାମୀ ଦିନରେ ହେବାକୁ ଥିବା ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ କରିଥିଲେ।
Comments are closed.