ଆତଙ୍କବାଦୀ ଓ ଗଧ ପରେ ଭିକାରି ରପ୍ତାନି କରୁଛି ପାକିସ୍ତାନ
ନୂଆଦିଲ୍ଲୀ : ପଡ଼ୋଶୀ ପାକିସ୍ତାନ ବିଶ୍ବକୁ କେବଳ ଆତଙ୍କବାଦୀ ଓ ଗଧ (ଡଙ୍କି) ରପ୍ତାନି କରୁଥିବାର ରେକର୍ଡ ଥିଲା; କିନ୍ତୁ ଏବେ ଭିକାରି ରପ୍ତାନି କରୁଛି। ପଶ୍ଚିମ ଏସିଆର ବିଭିନ୍ନ ଦେଶରେ ଥିବା ଭିକାରିଙ୍କ ମଧ୍ୟରୁ ୯୦ ପ୍ରତିଶତ ପାକିସ୍ତାନୀ ବୋଲି ଜଣାପଡ଼ିବା ପରେ ଏହା ସାବ୍ୟସ୍ତ ହୋଇଛି। ଏହି ଭିକାରୀଙ୍କ ମଧ୍ୟରୁ ଅଧିକାଂଶ ଏବେ ଇରାକ ଓ ସାଉଦି ଆରବ କାରାଗାରରେ ବନ୍ଦୀ ଅଛନ୍ତି। ପାକିସ୍ତାନର ଦରିଆପାର ବିଭାଗ ସଚିବଙ୍କ ରିପୋର୍ଟରୁ ଏହା ଜଣାପଡ଼ିଛି। ତୀର୍ଥଯାତ୍ରୀ (ଜିରାତ୍) ଓ ପର୍ଯ୍ୟଟକର ପରିଚୟ ଦେଇ ‘ଉମ୍ରା ଭିସା’ରେ ପାକିସ୍ତାନୀ ଇରାକ ଓ ସାଉଦି ଆରବରେ ପହଞ୍ଚିବା ପରେ ସେଠାରେ ଭିକ୍ଷାବୃତ୍ତି ଆରମ୍ଭ କରନ୍ତି ବୋଲି ଦୁଇ ଦେଶର ରାଷ୍ଟ୍ରଦୂତ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ନିକଟରେ ଅଭିଯୋଗ କରିଛନ୍ତି।
ପାକିସ୍ତାନ ବିଶେଷ ଭାବେ ଭାରତକୁ ଆତଙ୍କବାଦୀ ଓ ଚୀନ୍କୁ ଗଧ ରପ୍ତାନି କରୁଥିବା ଜଣାଯାଏ। ପାକିସ୍ତାନୀ ଗଧଙ୍କ ଦ୍ବାରା ଚୀନ୍ ଉପକୃତ ହେଉଥିବାବେଳେ ଆତଙ୍କବାଦୀଙ୍କ ଦ୍ବାରା ଭାରତ କ୍ଷତିଗ୍ରସ୍ତ ହେଉଛି। ସେହିଭଳି ଭିକାରିଙ୍କ ଯୋଗୁଁ ଇରାକ ଓ ସାଉଦି ଆରବ ଭଳି ରାଷ୍ଟ୍ର ଅସୁବିଧାରେ ପଡ଼ୁଛନ୍ତି। ସେମାନେ ସେଠାରେ ଭିକ୍ଷା ବୃତ୍ତି ସହ ଛୋଟ ମୋଟ ଚୋରି କରୁଛନ୍ତି। ପବିତ୍ର ମକ୍କାସ୍ଥିତ ମସ୍ଜିଦ ପରିସରରେ ହେଉଥିବା ବ୍ୟାପକ ପକେଟ୍ମାର୍ ଘଟଣାରେ ମଧ୍ୟ ସେମାନେ ସମ୍ପୃକ୍ତ ରହୁଛନ୍ତି। ବିମାନବନ୍ଦରରେ ମଧ୍ୟ ପାକିସ୍ତାନୀ ଭିକାରି ରୂପକ ଚୋରଙ୍କ ପ୍ରାଦୁର୍ଭାବ ଖୁବ୍ ବେଶି। ପୁଲିସ କାର୍ଯ୍ୟାନୁଷ୍ଠାନ ଦ୍ବାରା କାରାଗାରରେ ସ୍ଥାନାଭାବ ସମସ୍ୟା ସୃଷ୍ଟି ହେଉଛି। ବିଭିନ୍ନ ବିଦେଶ ରାଷ୍ଟ୍ରରେ ପ୍ରାୟ ୧୦ ଲକ୍ଷ ପାକିସ୍ତାନୀ ବସବାସ କରୁଛନ୍ତି; ତେବେ ପଶ୍ଚିମ ଏସୀୟ ରାଷ୍ଟ୍ରରେ ଏମାନଙ୍କ ସଂଖ୍ୟା ସର୍ବାଧିକ। ସଂଯୁକ୍ତ ଆରବରେ ପ୍ରାୟ ୧୬ ଲକ୍ଷ ଓ କାତାରରେ ୨ଲକ୍ଷ ପାକିସ୍ତାନୀ ରହୁଛନ୍ତି। ଅଧିକାଂଶ ଭିକ୍ଷା ବୃତ୍ତି କରୁଛନ୍ତି। ଏହାକୁ ନିୟନ୍ତ୍ରଣ ପାଇଁ ସେମାନେ ପାକିସ୍ତାନ ସରକାରଙ୍କୁ ବାରମ୍ବାର ତାଗିଦା କରିଆସୁଥିଲେ ମଧ୍ୟ ସୁଫଳ ମିଳୁନାହିଁ।
ପାକିସ୍ତାନ ସମ୍ପ୍ରତି ଅାର୍ଥିକ ଦେବାଳିଆ ସ୍ଥିତିରେ ରହିଛି। ଦେଶରେ ପ୍ରାୟ ୪୦ପ୍ରତିଶତ ଜନତା ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଛନ୍ତି। ସେମାନଙ୍କ ସଂଖ୍ୟା ପ୍ରାୟ ୧୩ ନିୟୁତ ବୋଲି ନିକଟରେ ବିଶ୍ବବ୍ୟାଙ୍କ ଦର୍ଶାଇଛି। ଦର ବୃଦ୍ଧି ଆକାଶ ଛୁଆଁ ହୋଇଥିବାବେଳେ ଖାଦ୍ୟାଭାବ ମଧ୍ୟ ସୃଷ୍ଟି ହୋଇଛି। ଭାରତକୁ ଆତଙ୍କବାଦୀ ପଠାଇ ଏହା ଆର୍ଥିକ ଦୁଃସ୍ଥିତିର ସମ୍ମୁଖୀନ ହୋଇଥିବାବେଳେ ଚୀନ୍କୁ ଗଧ ପଠାଇ କିଛି ଆୟ କରୁଛି। ସେ ଦୃଷ୍ଟିରୁ ପାକିସ୍ତାନରେ ଗଧଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷରେ ଏହି ସଂଖ୍ୟା ପୂର୍ବ ବର୍ଷ ତୁଳନାରେ ୫୭ ଲକ୍ଷରୁ ୫୮ ଲକ୍ଷକୁ ବୃଦ୍ଧି ପାଇଥିବାଥିବା ଦେଶର ଅର୍ଥନୈତିକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଚୀନ୍ରେ ପାକିସ୍ତାନୀ ଗଧଙ୍କ ଚାହିଦା ଥିବାରୁ ଏହାର ଉତ୍ପାଦନ ବୃଦ୍ଧି ପାଇଥିବା ଏଥିରେ ଦର୍ଶାଯାଇଛି।
Comments are closed.