ଭୁବନେଶ୍ୱର : କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ୨ଦିନିଆ ଓଡ଼ିଶା ଗସ୍ତରେ ଆସି ବୁଧବାର ଭୁବନେଶ୍ୱରରେ ପହଁଚିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ପରେ ସେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ବିଜେପି ନେତ୍ରୀ ସ୍ବର୍ଗତ ନିବେଦିତା ପ୍ରଧାନଙ୍କର ସ୍ମୃତି ସଭାରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ଓ ବହୁ ବିଜେପି ନେତୃବୃନ୍ଦ ଯୋଗ ଦେଇଥିଲେ। ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ପୁରୀ ଗସ୍ତ କରିଛନ୍ତି ।
କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି (ଗୁରୁବାର) କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପୁରୀ ଓ ଭୁବନେଶ୍ୱରରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
ଉଭୟ କେନ୍ଦ୍ର ମନ୍ତ୍ରୀ ଦେଶର ଐତିହ୍ୟ ଓ ପ୍ରଗତି ପ୍ରତି ସମର୍ପିତ ‘‘ମେରୀ ମାଟି ମେରା ଦେଶ’’ କାର୍ଯ୍ୟକ୍ରମରେ ଯୋଗ ଦେବେ। ଗୁରୁବାର ସକାଳ ପ୍ରାୟ ୭ଟାରେ ଉଭୟ କେନ୍ଦ୍ର ମନ୍ତ୍ରୀ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବା ସହିତ ଶହ ଶହ ବର୍ଷ ପୁରୁଣା ପରମ୍ପରା ପ୍ରତି ସମ୍ମାନ ବ୍ୟକ୍ତ କରିବେ। ଏହା ପରେ ସକାଳ ପ୍ରାୟ ୮ଟା ସମୟରେ ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ‘ମେରୀ ମାଟି ମେରା ଦେଶ’ ବିଷୟବସ୍ତୁ ଉପରେ ନିର୍ମିତ ବାଲୁକା କଳାକୃତି ପରିଦର୍ଶନ କରିବେ। ପୁରୀ ବ୍ଲୁ ଫ୍ଲାଗ୍ ବେଳାଭୂମି ଠାରେ ବାଲୁକା କଳାକୃତି ନିର୍ମାଣ କରାଯିବ । ସକାଳ ୯ଟା ସମୟରେ କେନ୍ଦ୍ର ମନ୍ତ୍ରୀମାନେ ପେଣ୍ଠକଟା ନିକଟସ୍ଥ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀ ଶଦାଶିବ କ୍ୟାମ୍ପସ ପରିସରରେ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବୃକ୍ଷରୋପଣ କରିବା ସହିତ ପଞ୍ଚ ପ୍ରାଣ ଶପଥ ଗ୍ରହଣ କରିବେ ।
ପୂର୍ବାହ୍ନ ପ୍ରାୟ ସାଢ଼େ ଦଶଟା ସମୟରେ ଦୁଇ କେନ୍ଦ୍ର ମନ୍ତ୍ରୀ ପୁରୀ ଜିଲ୍ଲା ବୀରହରେକୃଷ୍ଣପୁରସ୍ଥିତ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ ଏବଂ ସେଠାରୁ ଅମୃତ କଳା ଯାତ୍ରାର ଶୁଭାରମ୍ଭ କରିବେ। ଏହାପରେ ଉଭୟ କେନ୍ଦ୍ର ମନ୍ତ୍ରୀ ଭୁବନେଶ୍ୱର ଆସିବେ। ଭୁବନେଶ୍ୱରସ୍ଥିତ ହୋଟେଲ ମେ’ ଫେୟାର ଠାରେ କୁଇ ଓ ଦେଶିଆ ଭାଷାରେ ଦୁଇଟି ପୁସ୍ତକ ଉନ୍ମୋଚନ କରିବେ। ଏହି ଦୁଇଟି ପୁସ୍ତକ ଉଭୟ ଭାରତୀୟ ଭାଷାରେ ଜ୍ଞାନ ବିତରଣ ଦିଗରେ ସହାୟକ ହେବ।
ଆସନ୍ତାକାଲି ଅପରାହ୍ଣ ୫ଟା ସମୟରେ ଦୁଇ କେନ୍ଦ୍ର ମନ୍ତ୍ରୀ ସୋଆ ବିଶ୍ୱବିଦ୍ୟାଳୟ ସଭାଗୃହ ଠାରେ ବିଂଶତମ ଜାତୀୟ ଚାର୍ଟାର୍ଡ ଏକାଉଣ୍ଟାଣ୍ଟ ସମ୍ମିଳନୀକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ବୌଦ୍ଧିକ ଭାବ ବିନିମୟ ଓ ବୃତ୍ତିଗତ ବିକାଶ ପାଇଁ ବିଚାରବିମର୍ଶ କରାଯିବ।



