www.samajalive.in
Saturday, December 6, 2025
26.1 C
Bhubaneswar

ସଚିବାଳୟରେ ସିବିଆଇ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ଦୁଇଟି ରାଜ୍ୟ ସିବିଆଇକୁ ବିନା ଅନୁମତିରେ ନିଜ ପ୍ରଦେଶରେ ପଶିବାକୁ ଦେବେ ନାହିଁ ବୋଲି ଘୋଷଣାନାମା ପ୍ରକାଶ କରିବା ପରେ ଜାତୀୟସ୍ତରରେ ଏ ସମ୍ପର୍କରେ ଚର୍ଚ୍ଚା ଜୋର ଧରିଛି। ଏହି ଉଭୟ ରାଜ୍ୟ ଉପରୋକ୍ତ ପ୍ରସଙ୍ଗରେ ନିଜର ସିବିଆଇ ଉପରେ ଲାଗୁ ହୋଇ ଆସୁଥିବା ‘ସାଧାରଣ ସମ୍ମତି’ ପ୍ରତ୍ୟାହାର କରିନେଇଛନ୍ତି। ଏହା ସହିତ ସିବିଆଇ ସକ୍ରିୟ ଥିବା ରାଜ୍ୟ ଓଡ଼ିଶା, ବିହାର, ତେଲଙ୍ଗାନା ଇତ୍ୟାଦି କ୍ଷେତ୍ରରେ ସ୍ଥାନୀୟ ସରକାରମାନେ କେଉଁ ପ୍ରକାର ଆଭିମୁଖ୍ୟ ଗ୍ରହଣ କରିବେ ସେଥି ନେଇ ମଧ୍ୟ ସରକାରୀସ୍ତରରେ ସମୀକ୍ଷା ହେଉଥିବାର ଖବର ମିଳିଛି। ବିଶେଷକରି ଓଡ଼ିଶାରେ ଅଣ-ବିଜେପି ଶାସନ ଚାଲିଥିବା ହେତୁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ଆଲୋଚନା ହୋଇଛି।
ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ସିବିଆଇର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି; କିନ୍ତୁ ଓଡ଼ିଶାରେ ସିବିଆଇ ନିର୍ବିଘ୍ନରେ କାର୍ଯ୍ୟ କରୁଛି। ଏପରିକି ଗତ ପ୍ରାୟ ୨୦ ଦିନ ତଳେ ରାଜ୍ୟ ସଚିବାଳୟରେ ସି-ଶୋର ଦୁର୍ନୀତି ଅଭିଯୋଗ ନେଇ ସେମାନେ ଜଣେ ମନ୍ତ୍ରୀଙ୍କୁୁ ପଚରାଉଚରା କରିଥିବାର ସୂଚନା ମିଳିଛି। ଗତ ଅକ୍ଟୋବର ୨୯ ତାରିଖ ଅପରାହ୍ଣ ଠିକ୍‍ ୪ ଘଣ୍ଟା ସମୟରେ ସିବିଆଇ ଏସ୍‍ପି କେ. ନାରାୟଣ ରଣାଙ୍କ ନେତୃତ୍ୱରେ ଏକ ତଦନ୍ତକାରୀ ଦଳ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ପ୍ରବେଶ କରି ତାଙ୍କୁ କେତେକ ପ୍ରଶ୍ନ କରିଥିଲେ। ପ୍ରାପ୍ତ ସୂଚନା ଅନୁଯାୟୀ, ୨୦୦୯-୧୦ରେ ରାଜ୍ୟ ସରକାର କଟକର ମହାନଦୀଠାରେ ନୌବିହାର କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ସି-ଶୋର କମ୍ପାନି ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଥିଲେ। ଏହି ଚୁକ୍ତିନାମା ହିଁ ତଦନ୍ତର କେନ୍ଦ୍ରବିନ୍ଦୁ ପାଲଟିଥିବା ଜଣାପଡ଼ଛି। ପରବର୍ତ୍ତୀ ଅବସ୍ଥାରେ ଏହାର ଦାୟିତ୍ୱ ଜଣେ ନୂଆ ମନ୍ତ୍ରୀ ନେଇଥିଲେ ଓ ଏହି ଚୁକ୍ତିକୁ ବାତିଲ କରିଥିଲେ; କିନ୍ତୁ ଯଥେଷ୍ଟ ସଂଖ୍ୟକ ଉଦ୍ୟୋଗୀ ଆଗ୍ରହୀ ନହେବା କାରଣରୁ ତାକୁ ମଧ୍ୟ ବାତିଲ କରାଯାଇଥିଲା।
ଏ ସମ୍ପର୍କରେ ତଦନ୍ତକାରୀ ଦଳ ଜାଣିବାକୁ ଚାହିଁଥିଲେ ଯେ ସରକାରଙ୍କ ପୂର୍ବ ଚୁକ୍ତି ବାତିଲ କରି ସେ ପୁଣି କାହିଁକି ଟେଣ୍ଡର କଲେ ଓ ତାକୁ ବାତିଲ କରିଥିଲେ। ଉତ୍ତରରେ ସେ ସ୍ପଷ୍ଟ କରିଥିଲେ ଯେ ଅଧିକ ସ୍ୱଚ୍ଛତା ରକ୍ଷା କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିଲା। ସିବିଆଇ ପକ୍ଷରୁ ପୁଣି ପଚରାଯାଇଥିଲା ଯେ ଏ ମାମଲାରେ ତାଙ୍କୁ ରାଜସାକ୍ଷୀ କରାଗଲେ ସେ ବୟାନ ଦେବେ କି? ଉତ୍ତରରେ ସମଗ୍ର ପ୍ରସଙ୍ଗ ସରକାରୀସ୍ତରରେ ଆଲୋଚନା କରି ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ। ଏହି ସାକ୍ଷାତ୍‍କାର ସମୟରେ ସିବିଆଇ ପକ୍ଷରୁ ପ୍ରସ୍ତୁତ ପ୍ରଶ୍ନୋତ୍ତର କାଗଜରେ ସ୍ୱାକ୍ଷର କରିବାକୁ ମଧ୍ୟ ସେ ମନା କରି ସରକାରୀସ୍ତରରେ ଆଲୋଚନା ପରେ ନିଷ୍ପତ୍ତି ହେବ ବୋଲି କହିଥିଲେ।
ସୂଚନାଯୋଗ୍ୟ ଯେ, ସି-ଶୋର କମ୍ପାନି ନିବେଶକମାନଙ୍କଠାରୁ ୫ ହଜାର କୋଟି ଟଙ୍କା ସଂଗ୍ରହ କରି ବେଆଇନ କାରବାର ଭଳି କିଛି ଅଭିଯୋଗ ଉପରେ ସିବିଆଇ ମାମଲା ଚଳେଇଛି। ୨୦୦୯-୧୦ରେ ମହାନଦୀ ନୌବିହାର ଚୁକ୍ତିନାମା ସତ୍ତ୍ବେ
ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ନଥିଲା। ଏହା ପରେ କେତେକ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ କମ୍ପାନିକୁ ଦାୟିତ୍ୱ ଦିଆଯାଇଥିଲା। କୃଷି ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ କେତେକ କାର୍ଯ୍ୟ ସି-ଶୋର କମ୍ପାନିକୁ ସରକାରଙ୍କ ପକ୍ଷରୁ ନ୍ୟସ୍ତ କରାଯାଇଥିଲା। ଏହି ମାମଲାରେ ପୂର୍ବରୁ ଜଣେ ବରିଷ୍ଠ ପ୍ରଶାସକଙ୍କୁ ସିବିଆଇ ଗିରଫ କରିଛି।
ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୨୪ ତାରିଖରୁ ଛୁଟିରେ ଯାଇଥିବା ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନା ଗତ ଜୁନ୍‍ ୧୮ ତାରିଖରେ ଭୁବନେଶ୍ୱର ଗସ୍ତରେ ଆସି ମାମଲାଗୁଡ଼ିକର ସମୀକ୍ଷା କରିଥିଲେ। ଏଥିରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଓ ପୁଲିସ ଅଧୀକ୍ଷକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଓଡ଼ିଶାରେ ମୋଟ ୪୪ଟି ଚିଟ୍‍ଫଣ୍ଡ କମ୍ପାନି କାର୍ଯ୍ୟ କରୁଥିଲେ। ସେମାନଙ୍କ ମଧ୍ୟରୁ ୩୦ରୁ ଊର୍ଦ୍ଧ୍ବ କମ୍ପାନି ବିରୋଧରେ ଚାର୍ଜଶିଟ୍‍ ଦାଖଲ ହୋଇଛି। ସ୍ୱତନ୍ତ୍ର ନିର୍ଦେଶକ ଶ୍ରୀ ଆସ୍ଥାନା ଅକ୍ଟୋବର ୨୪ ତାରିଖରେ ଛୁଟିରେ ଯିବା ପରେ ଏବେ ଗତ ଅକ୍ଟୋବର ୨୯ ତାରିଖ ଦିନ ସି-ଶୋର ପ୍ରସଙ୍ଗରେ ସିବିଆଇ ଖୋଳତାଡ଼ ଚଳେଇଛି।
ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ସିବିଆଇକୁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଉଛି। ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଂସଦା, ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ପ୍ରଭାତ ତ୍ରିପାଠୀ, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ, ହିତେଶ ବଗର୍ତ୍ତୀ ପ୍ରମୁଖଙ୍କ ବିରୋଧରେ ବିଭିନ୍ନ ମାମଲାରେ ସିବିଆଇ ଗିରଫ କରିଛି। ବିଜେଡି ମଧ୍ୟ ସେମାନଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ନେଇ ଏବେ ସୃଷ୍ଟି ହୋଇଥିବା ନୂଆ ବିତର୍କ ପରିପ୍ରେକ୍ଷୀରେ ବିଜେଡି କେଉଁ ପ୍ରକାର ଆଭିମୁଖ୍ୟ ଗ୍ରହଣ କରିପାରେ ସେ ସମ୍ପର୍କରେ ମଧ୍ୟ ନୂଆଦିଲ୍ଲୀରେ ସମୀକ୍ଷା ହୋଇଥିବା ଜଣାପଡ଼ିଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories