ଡେସ୍କ: ଆଜି ୭୭ତମ ସ୍ୱାଧୀନତା ଦିବସ ଦୈନିକ ସମ୍ବାଦପତ୍ର ‘ସମାଜ’ ଓ ‘ସମାଜଲାଇଭ୍’ କାର୍ଯ୍ୟାଳୟ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି। ‘ସମାଜ’ର ସମ୍ପାଦକ ପ୍ରମୋଦ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମଚାରୀ, ସ୍ଥାନୀୟ ଅଧିବାସୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଜାତୀୟ ସଂଗୀତ ଗାନ କରିଥିଲେ। ଏହି ଅବସରରେ ଉଦବୋଧନ ଦେଇ ‘ସମାଜ’ର ସମ୍ପାଦକ ଶ୍ରୀ ମହାପାତ୍ର କଷ୍ଟ ଲବଧ ସ୍ୱାଧୀନତା ବିଷୟରେ କହିଥିଲେ। ସେ କହିଥିଲେ ଯେ ସମୟ ସହ ପରିବର୍ତ୍ତନ ହେବା ଏକ ସ୍ୱାଭାବିକ ପ୍ରକ୍ରିୟା କାରଣ ତାହା ଆମକୁ ବିକାଶ ଆଡକୁ ଅଗ୍ରସର କରାଇ ଥାଏ। କିନ୍ତୁ ଆମେ ଭାରତୀୟ ବୋଲି ବିଶ୍ୱରେ ଯେଉଁ ସ୍ୱତନ୍ତ୍ର ପରିଚୟ ରହିଛି ତାହାର ମୁଳୁଦୁଆ ଆମ ପରମ୍ପରା, ସଂସ୍କୃତି ଏବଂ ଐତିହ୍ୟକୁ ସର୍ବଦା ମାନେ ରଖିବାକୁ ପଡିବ।
ଏହି କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ଅବସରପ୍ରାପ୍ତ ପ୍ରଶାସକ ସୁରେଶ ଚନ୍ଦ୍ର ମନ୍ତ୍ରୀ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ଯୁବ ପିଢ଼ି ଆମ ସ୍ୱାଧୀନତା ସଂଗ୍ରାମର ମୂଲ୍ୟବୋଧକୁ ଅନୁଭବ କରିବାର ଆବଶ୍ୟକତା ରହିଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ‘ସମାଜ’ ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଗୋପୀନାଥ ବାରିକ, ଶାଖା ପରିଚାଳକ ନିହାର ପଟ୍ଟନାୟକ, ସମାଜଲାଇଭ୍ ପୋର୍ଟାଲର କପି ଏଡିଟର ସତ୍ୟବ୍ରତ ବେହୁରା, ଭିଡିଓ ଏଡିଟର ପ୍ରଦୀପ କୁମାର ଜେନା ଓ ଶାଖା କର୍ମଚାରୀ ତାପସ କୁମାର ପତି, ଶୁଭ୍ରସ୍ମିତା ଦାସ, ଦେବବ୍ରତ ଦାଶ, ସନ୍ଦୀପ ମହାପାତ୍ର, ଭରତ ଦାସ, ଲଲାଟ କୁମାର ସାହୁ, ପ୍ରଦୀପ କୁମାର ମହାନ୍ତି, ପ୍ରଦୀପ ମିଶ୍ର, ଦିଲ୍ଲୀପ ଦାଶ, ପ୍ରତାପ ମେକାପ, ଅଖିଳ ନାୟକ, ଯୋଗେଶ୍ୱର ବିଶ୍ୱାଳ, ରବୀନ୍ଦ୍ର ମଲ୍ଲିକ ଓ ଜନ୍ମେଞ୍ଜୟ ସ୍ୱାଇଁ ଉପସ୍ଥିତ ଥିଲେ।



