bjd gruha runa

ହସ୍ତୀ ସୁରକ୍ଷାର ଆବଶ୍ୟକତା ସମସ୍ତେ ବୁଝିବା

ବିଶ୍ବ ହସ୍ତୀ ଦିବସ ଉପଲକ୍ଷେ

BJD Bijuli 480×75 Mob

ହାତୀମାନଙ୍କ ବିଷୟ ପ୍ରାୟ ପ୍ରତି ଦିନ ଖବର କାଗଜ ଅବା ଗଣ ମାଧ୍ୟମର ଏକ ଶିରୋନାମା ଖବର ପାଲଟିଛି। ଏହା ଏପରି ଖବର ଯେ ହାତୀଙ୍କ ଆତଙ୍କ, ୭ ଘର ଭାଙ୍ଗିଲା ହାତୀ, ଦନ୍ତା ହାତୀ ଆକ୍ରମଣରେ ଅତିଷ୍ଠ ଗ୍ରାମବାସୀ, ହାତୀ ଆକ୍ରମଣରେ ବୃଦ୍ଧ କିମ୍ବା ବୃଦ୍ଧାଙ୍କ ମୃତ୍ୟୁ, ହାତୀ ଦଳି ଦେବାରୁ ବାଟୋଇଙ୍କ ମୃତ୍ୟୁ, ଭୋରୁ ମହୁଲ/ପାଚିଲା ଆମ୍ବ ଗୋଟାଇବା ସମୟରେ ହାତୀ ଆକ୍ରମଣର ଶିକାର, ହାତୀ ଚାଷ ଜମିରୁ ସବୁ ଖାଇ ଦେଲା, ରାଜପଥରେ ହାତୀ ଦଳ ଅତିକ୍ରମ କରୁଥିବା ସମୟରେ ଯାନବାହନ ଚଳାଚଳ ଠପ୍‌ ଇତ୍ୟାଦି । ପୁଣି ଲୋକେ ହାତୀକୁ ତୀରରେ ମାରିଦେଲେ, ଅତିଷ୍ଠ ହୋଇ ହାତୀ ଦେହରେ ଅଗ୍ନି ସଂଯୋଗ କାଲେ । ବିଦ୍ୟୁତ୍‌ ଆଘାତ/ରେଳ ଦୁର୍ଘଟଣାରେ/ କୂଅରେ ପଡି/ନିଜ ପରିବାରରେ ଲ​‌େ​‌ଢ଼ଇରେ ମୃତ୍ୟୁ ବରଣ କରୁଥିବାର ଖବର, ହାତୀର ଗଳିତ ଶବ ମିଳିଲା, ଏପରି ଅନେକ ଖବର । ଏହି ହାତୀ ମଣିଷର ଲଢେଇ ଦିନକୁ ଦିନ ବଢିବାରେ ଲାଗିଛି । ଏହାର ପ୍ରକୃତ କାରଣ ଓ ନିରାକରଣ ଏକାନ୍ତ ଆବଶ୍ୟକ, ବହୁ ଲୋକେ ହାତୀର ବଞ୍ଚି ରହିବା ଦ୍ବାରା କିପରି ଏହା ଜଙ୍ଗଲ ବୃଦ୍ଧି ଓ ପରିବେଶ ସୁରକ୍ଷାରେ ସାହାଯ୍ୟ କରେ ତାହା ଜାଣି ନପାରି ସବୁ ହାତୀଙ୍କୁ କାହିଁକି ମାରି ଦିଆନଯାଉଛି ତାହା କୁହାକୁହି ହୁଅନ୍ତି।
ହସ୍ତୀ ସ୍ଥଳଭାଗର ବୃହତ୍ତମ ଜୀବ। ଏସିଆ ଓ ଆଫ୍ରିକା ମହାଦେଶରେ ଏମାନେ ବିପୁଳ ସଂଖ୍ୟାରେ ଦେଖାଯା’ନ୍ତି। ଏହାର ବିଶାଳକାୟ ଚେହେରାକୁ ଦେଖି ଏହାର ଖାଦ୍ୟ ମଧ୍ୟ ଚିନ୍ତା କରି ହେବ ନାହିଁ। ଦିନକୁ ଏକ ବୟସ୍କ ହାତୀ ପ୍ରାୟ ୨୫୦୦-୩୦୦୦ କିଲୋ ଘାସ, ଡାଳ, ପତ୍ର, ଫୁଲ, ଫଳ, ବାଉଁଶ ଗଛ, ପ୍ରାୟ ୧୦୦୦ ଲି ପିଇବା ପାଣି, ଗାଧୋଇବା ପାଇଁ ୧୦୦୦-୨୦୦୦ ଲି ପାଣି ଆବଶ୍ୟକ କରେ। ଏହା ରାତ୍ରି ସମୟରେ ବହୁ ରାସ୍ତା ଅତିକ୍ରମ କରି ଖାଦ୍ୟ ଓ ପାନୀୟ ସଂଗ୍ରହ କରେ, ପ୍ରାୟ ୧୨ ରୁ ୧୫ କି:ମି, ମାତ୍ର ଦିନରେ ୫ରୁ ୬ କି:ମି ଚଲାବୁଲା କରି ଜଙ୍ଗଲର ବିଭିନ୍ନ ନିଭୃତ ଅଞ୍ଚଳରେ ବିଭିନ୍ନ ଗଛରୁ ଡାଳ ଭଙ୍ଗାଭାଙ୍ଗି କରି ଖାଏ, ଗାଧାଏ, ସବୁ ଖାଦ୍ୟ ହଜମ ପରେ ଚଲା ପଥରେ ୧୫-୨୦ ବାର ଗୋବର ପକାଇ ପକାଇ ଯାଏ, ବିଭିନ୍ନ ସମୟରେ ହଜମ ହୋଇନଥିବା ଚାଷ ଜମିରୁ ଖାଇଥିବା ଧାନ, ବିଭିନ୍ନ ଗଛର ମଞ୍ଜି ଗୋବରରେ ଦେଖାଯାଏ। ଅନୁକୂଳ ପରିସ୍ଥିତିରେ ସେହି ମଞ୍ଜିରୁ ନୂତନ ଚାରା ଓ ପରେ ବଡ ଗଛ ହୋଇ ଜଙ୍ଗଲର ପ୍ରାକୃତିକ ବଂଶ ବୃଦ୍ଧି କରେ। ବୀଜ ବିକ୍ଷେପ ଓ ପରାଗ ସଂଗମରେ ମଧ୍ୟ ଏମାନଙ୍କର ଅବଦାନ ଅଛି। ତେଣୁ ଜଙ୍ଗଲର ବୃଦ୍ଧି ହୁଏ। ଏହିପରି ଅନ୍ୟାନ୍ୟ ଜୀବଜନ୍ତୁ, ପକ୍ଷୀ, କୀଟ ପତଙ୍ଗମାନଙ୍କ ଗୋବର, ବୀଜ ବିକ୍ଷେପ ଓ ପରାଗ ସଂଗମ ଦ୍ବାରା କାହିଁ କେଉଁ କାଳରୁ ଜଙ୍ଗଲର ସୃଷ୍ଟି। ହାତୀ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ସଂଖ୍ୟା ହ୍ରାସ ଯୋଗୁଁ ଜଙ୍ଗଲରେ ପ୍ରାକୃତିକ ବୃକ୍ଷରାଜି ଆଉ ଅଧିକ ସଂଖ୍ୟାରେ ଦେଖା ଯାଉ ନାହିଁ। ସେଗୁଡିକ ଲଗାଇ ବଞ୍ଚାଇବା ମଧ୍ୟ କଷ୍ଟସାଧ୍ୟ। ପୁଣି ହାତୀ ଘଞ୍ଚ ଜଙ୍ଗଲରେ ଯିବା ବେଳେ ଦେହରେ ଘଷି ରାସ୍ତା ତିଆରି କରି କରି ଯିବାରୁ ମାଟିରେ ପଡୁ ନଥିବା ସୂର୍ଯ୍ୟ କିରଣ ମାଟିରେ ଭଲ ଭାବରେ ପଡେ ଓ ପ୍ରାକୃତିକ ଜଙ୍ଗଲ ସୃଷ୍ଟିରେ ବଡ ସହାୟକ ହୁଏ। ଆହୁରି ମଧ୍ୟ ଏହାର ଗୋବର ଉର୍ବର ପ୍ରାକୃତିକ ସାର ହୋଇ ମାଟିରେ ମିଶି ମାଟିକୁ ଉର୍ବର କରେ ଏବଂ ପ୍ରାକୃତିକ ଜଙ୍ଗଲ ସୃଷ୍ଟିରେ ବଡ ସହାୟକ ହୁଏ। ବୀଜ ବିକ୍ଷେପ କାର୍ଯ୍ୟ ଏହା କରି ପ୍ରତିଦିନ ହାରାହାରି ୧୦୦ ରୁ ୨୦୦ ଗଛ ଗୋଟିଏ ହାତୀ ଗୋବର ଦ୍ବାରା ଲଗାଇଥାଏ । ତେଣୁ ହାତୀ ଜଙ୍ଗଲ ସୃଷ୍ଟି, ବୃଦ୍ଧି, ସୁରକ୍ଷା ଓ ଜଳ ସଂରକ୍ଷଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ। ଏବେ ବିଭିନ୍ନ ସ୍ଥାନରେ ଗୋବର କିମ୍ବା ଉର୍ବର ମାଟିରେ ମଞ୍ଜି ଗୋଳାଇ ଗୋଲ ଗୋଲ କରି ଜଙ୍ଗଲର ବିଭିନ୍ନ ଖୋଲା ଜାଗାମାନଙ୍କରେ ଗଛ ଉଠିବା ପାଇଁ ବର୍ଷା ଋତୁ ପୂର୍ବରୁ ଫୋପାଡି ଦିଆ ଯାଉଛି। ଏଥିରେ ଅଳ୍ପ ଖର୍ଚ୍ଚ ଅଧିକ ସଫଳତା ମିଳିପାରୁଛି ।
ହାତୀମାନଙ୍କର ଖାଦ୍ୟ, ପାନୀୟ, ସୁରକ୍ଷା ଅଭାବରୁ ସେମାନଙ୍କ ଚଲାପଥରେ ସେମାନେ ଜଙ୍ଗଲ ବାହାରକୁ ବାହାରି ଆସନ୍ତି । ହାତୀ ମଣିଷର ସଂଘର୍ଷ ଯୋଗୁଁ ସେମାନଙ୍କୁ ବିଷ, ଶର ପ୍ରୟୋଗ, ଦାନ୍ତ ପାଇଁ ଶିକାରୀଙ୍କ ଗୁଳିଗୋଳା ପ୍ରୟୋଗ, ପୁଣି ରୋଗାକ୍ରାନ୍ତ, ଗ୍ରାମାଭିମୁଖୀ ଓ ଅନ୍ୟାନ୍ୟ କାରଣ ଯୋଗୁଁ ସେମାନଙ୍କ ସଂଖ୍ୟା ଦିନକୁ ଦିନ କମି ଯାଉଛି। ଏ ପରିସ୍ଥିତିରେ ଜଙ୍ଗଲର ସାନ୍ଧ୍ରତା ମଧ୍ୟ କମିଯାଇଛି, ମୁଖ୍ୟତଃ ସେମାନଙ୍କର ଖାଦ୍ୟ, ପାନୀୟ ଓ ସୁରକ୍ଷାରେ ସେମାନଙ୍କର ବଂଶ ବୃଦ୍ଧି ହୋଇପାରିବ। ଏଥିପାଇଁ ଜନ ସଚେତନତା ସଂପୂର୍ଣ୍ଣ ଆବଶ୍ୟକ। ଶିକାରୀମାନଙ୍କ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ଅଛି। ହାତୀ ଦ୍ବାରା ମୃତ୍ୟୁ କିମ୍ବା ଆଘାତ ପ୍ରାପ୍ତ ମନୁଷ୍ୟ ଓ ଗୃହ ପାଳିତ ପଶୁମାନଙ୍କ ପାଇଁ ସରକାରଙ୍କ ତରଫରୁ କ୍ଷତି ପୂରଣ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ହାତୀ ଚଲାପଥର ପୂର୍ଣ୍ଣ ସୁରକ୍ଷା, ଗୁପ୍ତ ଖବର ଯୋଗାଣକାରୀଙ୍କ ପାଇଁ ପୁରସ୍କାରର ବ୍ୟବସ୍ଥା ମଧ୍ୟ କରାଯାଇଛି । ହସ୍ତୀମାନଙ୍କର ସୁରକ୍ଷା ଜଙ୍ଗଲର ଓ ପରିବେଶର ସୁରକ୍ଷା ସହ ସମାନ। ଏହା ବର୍ତ୍ତମାନର ବିଶ୍ବ ତାପନ କମାଇବା ସହ ଋତୁ ପରିବର୍ତ୍ତନରେ ମଧ୍ୟ ରୋକ ଲଗାଇ ପାରିବ। ଏହି ବାର୍ତ୍ତା ଆଜିର ବିଶ୍ବ ହସ୍ତୀ ସୁରକ୍ଷା ଦିବସ ଅବସରରେ ସମସ୍ତଙ୍କ ପାଇଁ ଏକ ବଡ ଆହ୍ବାନ ।

ପ୍ରକାଶ ଚନ୍ଦ୍ର ମିଶ୍ର,ଖଣ୍ଡଗିରି , ଭୁବନେଶ୍ବର

Comments are closed.