www.samajalive.in
Monday, December 8, 2025
24.1 C
Bhubaneswar

ମରୁଡ଼ି ପାଇଁ ସ୍ୱତନ୍ତ୍ର ପ୍ୟାକେଜ

-୩୩% ପ୍ରଭାବିତ ଅଣଜଳସେଚିତ ପାଇଁ ହେକ୍ଟର ପିଛା ୬୮୦୦, -ନିଶ୍ଚିତ ଜଳସେଚିତ ଅଞ୍ଚଳ ପାଇଁ ୧୩,୫୦୦ ହଜାର ସହାୟତା
-ବର୍ଷବ୍ୟାପୀ ଫସଲ ନଷ୍ଟ ପାଇଁ ହେକ୍ଟର ପିଛା ୧୮ହଜାର ଟଙ୍କା, -ସ୍ୱଳ୍ପ ଅବଧି ଋଣକୁ ମଧ୍ୟମ ଅବଧିରେ ପରିଣତ କରାଯିବ
-କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା, ରିଆତିରେ ପାଣି ପମ୍ପ, ରବି ଋଣ, -ପ୍ରଭାବିତ ଅଞ୍ଚଳ ଛାତ୍ରଛାତ୍ରୀଙ୍କ ପରୀକ୍ଷା, ଟ୍ୟୁସନ ଫି ’ ଛାଡ଼
-ମନରେଗାରେ ଅତିରିକ୍ତ ୫୦ ଶ୍ରମଦିବସ ସୃଷ୍ଟି କରାଯିବ,- ୩୩% ଫସଲ ହାନି ହୋଇଥିଲେ ଖଜଣା, ଜଳକର ଛାଡ଼

ଭୁବନେଶ୍ୱର : ତିତ୍‍ଲି ଦ୍ୱାରା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ଘୋଷଣା ପରେ ମରୁଡ଼ି ଦ୍ୱାରା ପ୍ରଭାବିତ ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ସ୍ୱତନ୍ତ୍ର ପ୍ୟାକେଜରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଋଣ, ବୀମା ସହାୟତା, ଛାତ୍ରଛାତ୍ରୀଙ୍କ ପରୀକ୍ଷାଓ ଟ୍ୟୁସନ ଫି ଏବଂ ଚାଷୀମାନଙ୍କ ପାଇଁ ଖଜଣା ଓ ଜଳକର ଛାଡ଼ କରାଯିବା ଭଳି ବ୍ୟବସ୍ଥା ରହିଛି।
ବୃଷ୍ଟିପୁଷ୍ଟ/ଅଣଜଳସେଚିତ ଅଞ୍ଚଳର ୩୩ପ୍ରତିଶତ ବା ତଦୁର୍ଦ୍ଧ୍ବ ଫସଲ କ୍ଷତି ସହିଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଛା ୬୮୦୦ଟଙ୍କା, ନିଶ୍ଚିତ ଜଳସେଚିତ ଅଞ୍ଚଳ ଚାଷୀଙ୍କୁ ୧୩,୫୦୦ ଓ ବର୍ଷବ୍ୟାପୀ ଫସଲ ନିମନ୍ତେ କ୍ଷତିଗ୍ରସ୍ତ ଚାଷୀଙ୍କୁ ହେକ୍ଟର ପ୍ରତି ୧୮ହଜାର ଟଙ୍କା ପ୍ରଦାନ କରାଯିବ। ପ୍ରତି ଚାଷୀଙ୍କ ପାଇଁ ସର୍ବାଧିକ ୨ହେକ୍ଟର ପର୍ଯ୍ୟନ୍ତ ସହାୟତା ଦେବାର ବ୍ୟବସ୍ଥା ହୋଇଛି। ବର୍ଷବ୍ୟାପୀ ଫସଲ ନିମନ୍ତେ ସର୍ବନିମ୍ନ ୨ହଜାର ଟଙ୍କା ଓ ଅନ୍ୟାନ୍ୟ ଫସଲ ନିମନ୍ତେ ହେକ୍ଟର ପ୍ରତି ସର୍ବନିମ୍ନ ୧୦୦୦ଟଙ୍କା ଇନପୁଟ ରିଆତି ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ୨୦୧୮-୧୯ ରବିରେ ୧ଲକ୍ଷ ଡାଲି ମିନି କିଟ୍‍, ୩୦ହଜାର ତୈଳବୀଜ ମିନିକିଟ୍‍ ଓ ୨୦ହଜାର ପନିପରିବା ବିହନ ମିନିକିଟ୍‍ ପ୍ରଭାବିତ ଚାଷୀଙ୍କୁ ମାଗଣାରେ ଯୋଗାଇଦିଆଯିବ।
ଶତକଡ଼ା ୫୦ଭାଗ ଓ ସର୍ବାଧିକ ୧୫ହଜାର ଟଙ୍କା ରିଆତିରେ ୩ ହଜାର ପାଣି ପମ୍ପ(୦.୫ଏଚପି) ଏବଂ ୯୦ପ୍ରତିଶତ ଓ ସର୍ବାଧିକ ୫୪ହଜାର ଟଙ୍କା ରିଆତିରେ ସୌର ଜଳନିଧି ଯୋଜନାରେ ୧୦୦୦ଟି ସୌରଚାଳିତ ପାଣି ପମ୍ପ ଯୋଗାଇଦିଆଯିବ। ମରୁଡ଼ି ପ୍ରଭାବିତ ଅଞ୍ଚଳର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ, ମହାବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଓ ଟ୍ୟୁସନ ଫିସ ସମ୍ପୂର୍ଣ୍ଣ ଛାଡ଼ କରାଯିବ।
୨୦୧୮-୧୯ ରବି ଫସଲରେ ୫୦ପ୍ରତିଶତ କିମ୍ବା ସର୍ବାଧିକ ୩୮୦୦ ଟଙ୍କା ରିଆତିରେ ବ୍ୟାଟେରି ଚାଳିତ ସିଞ୍ଚନ ଯନ୍ତ୍ର ଓ ସର୍ବାଧିକ ୬୦୦ଟଙ୍କା ରିଆତିରେ ହସ୍ତଚାଳିତ ସିଞ୍ଚନ ଯନ୍ତ୍ର ସମୁଦାୟ ୩୦୦୦ଟି ପ୍ରଦାନ କରାଯିବ। ମରୁଡ଼ି ଅଞ୍ଚଳରେ ତୁରନ୍ତ ଉନ୍ନତ ମାନର ଅଧିକ ଅମଳକ୍ଷମ ବିହନ ଯୋଗାଇଦେବା ନିମନ୍ତେ କୃଷି ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ପ୍ରଭାବିତ ଗ୍ରାମର ଅଚଳ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ମରାମତି କରିବାକୁ ଉଠାଜଳସେଚନ ନିଗମ ପଦକ୍ଷେପ ନେବ। ବିଦ୍ୟୁତ୍‍ ବିଭାଗ ଏହି ଉଠାଜଳସେଚନ ପ୍ରକଳ୍ପ ଓ ବକେୟା ସମସ୍ତ ଗଭୀର ନଳକୂପଗୁଡ଼ିକୁ ତୁରନ୍ତ ବିଦ୍ୟୁତ୍‍ ସଂଯୋଗ ଦେବାକୁ ପଦକ୍ଷେପ ନେବ।

- Advertisement -

ପ୍ରାୟ ୩୩ପ୍ରତିଶତ କିମ୍ବା ତଦୁର୍ଦ୍ଧ୍ବ ଫସଲ କ୍ଷତିଗ୍ରସ୍ତ ଅଞ୍ଚଳରେ ୨୦୧୮ ଖରିଫରେ ଦିଆଯାଇଥିବା ସ୍ୱଳ୍ପ ଅବଧି ଋଣକୁ ମଧ୍ୟମ ଅବଧି ଋଣରେ ପରିଣତ କରାଯିବ। ଏହି ଖରିଫ ସ୍ୱଳ୍ପ ଅବଧି ଅଗ୍ରିମ ଋଣକୁ ପରିବର୍ତ୍ତନ କରିବାର ନିର୍ଦ୍ଧାରିତ ତାରିଖ ୨୦୧୯ ସେପ୍‍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ୨୦୧୮ ଅକ୍ଟୋବରରୁ ଆରମ୍ଭ ହୋଇଥିବା ରବି ଋତୁରେ ଫସଲ ପାଇଁ ଖରିଫ ମରୁଡ଼ି ପ୍ରଭାବିତ ଚାଷୀମାନଙ୍କୁ ନୂତନ ଫସଲ ଋଣ ଯୋଗାଇଦିଆଯିବ। ଅଧିକରୁ ଅଧିକ ଭାଗଚାଷୀ/ବାଚନିକ ଚାଷୀଙ୍କୁ ନେଇ ଜଏଣ୍ଟ ଲାଇଆବିଲିଟି ଗ୍ରୁପ(ଜେଏଲଜି) ଗଠନ ନିମନ୍ତେ ତୁରନ୍ତ ପଦକ୍ଷେପ ନିଆଯିବ। ସେମାନଙ୍କୁ ରବି ଋତୁରେ ଋଣ ଦେବାକୁ ବ୍ୟବସ୍ଥା କରାଯିବ।
ଧାର୍ଯ୍ୟ ସମୟରେ ଋଣ ପରିଶୋଧକାରୀ ଚାଷୀଙ୍କୁ ମଧ୍ୟମ ଅବଧି ଋଣ (ପରିବର୍ତ୍ତନ) ନିମନ୍ତେ ୩ପ୍ରତିଶତ ସୁଧ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଫସଲ ବୀମା କରିଥିବା କ୍ଷତିଗ୍ରସ୍ତ ଚାଷୀଙ୍କ ବୀମା ରାଶି ପ୍ରଦନ ନିମନ୍ତେ ପଦକ୍ଷେପ ନିଆଯିବ। ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳର ଚାଷୀଙ୍କ ତୁରନ୍ତ ଶସ୍ୟକାଟ କରି ଫସଲ ବୀମା ରାଶି ଉପଲବ୍ଧ ନିମନ୍ତେ ବ୍ୟବସ୍ଥା କରାଯାଇଛି।
ମରୁଡ଼ି ପ୍ରଭାବିତ ଗ୍ରାମପଞ୍ଚାୟତଗୁଡ଼ିକରେ ବାସହୀନ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଜୀବନ ଜୀବିକା ସହାୟତା ହିସାବରେ ୨୦ହଜାର ଲୋକଙ୍କୁ ବାଡ଼ିରେ କୁକୁଡ଼ା ଚାଷ ନିମନ୍ତେ ସହାୟତା ଦିଆଯିବ। ଏଥିସହିତ ସଘନ ଘାସ ଚାଷ ନିମନ୍ତେ ଉପଯୁକ୍ତ ଘାସ ବିହନ ପୁଡ଼ିଆ ଯୋଗାଇଦିଆଯିବ। ମନରେଗା ଅଧୀନରେ ଜଳ ଅମଳ ପ୍ରକଳ୍ପ ଓ ପଙ୍କ ଉଦ୍ଧାର କାର୍ଯ୍ୟ ପଞ୍ଚାୟତିରାଜ ବିଭାଗ ଦ୍ୱାରା କରାଯିବ। ମନରେଗା ଅଧୀନରେ ଅତିରିକ୍ତ ୫୦ ଶ୍ରମଦିବସ ସୃଷ୍ଟି କରାଯିବ। ୩୩ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଫସଲ କ୍ଷତିଗ୍ରସ୍ତ ଅଞ୍ଚଳରେ ଚାଷୀମାନଙ୍କ ଖଜଣା ଓ ଜଳକର ସମ୍ପୂର୍ଣ୍ଣ ଛାଡ଼ କରାଯିବ।
ଗ୍ରାମାଞ୍ଚଳରେ ମହାଜନି କାରବାର କରୁଥିବା ଏବଂ ଚାଷୀଙ୍କୁ ଆର୍ଥିକ ଶୋଷଣ କରୁଥିବା ବ୍ୟକ୍ତିଙ୍କ ଉପରେ ଜିଲା ପ୍ରଶାସନ ତୀକ୍ଷ୍ଣ ଦୃଷ୍ଟି ରଖିବ ଏବଂ ସେମାନଙ୍କ ବିରୋଧରେ ସ୍ଥାନୀୟ ପୁଲିସ ଭାରତୀୟ ପିଙ୍ଗଳ କୋଡ଼ ଓ ମନି ଲେଣ୍ଡିଂ ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମ୍ପୃକ୍ତ ଜିଲାର ଆରକ୍ଷୀ ଅଧୀକ୍ଷକ ଓ ଉପଆରକ୍ଷୀ ଅଧୀକ୍ଷକମାନେ ଏଥିନିମନ୍ତେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ ଯେ ପ୍ରାୟ ୧୫ଦିନ ତଳେ ମୁଖ୍ୟମନ୍ତ୍ରୀ ତିତଲି ପ୍ରଭାବିତ ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories