www.samajalive.in
Tuesday, December 9, 2025
16.1 C
Bhubaneswar

ଆଜି ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ବର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି କଟକ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ୨୬ ତାରିଖରେ ପ୍ରଥମେ କଟକ ଚଣ୍ଡୀ ମନ୍ଦିରରେ ଦର୍ଶନ କରିବାର କର୍ଯ୍ୟକ୍ରମ ରହିଛି। ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ସମାରୋହରେ ମଧ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି। ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ଉଚ୍ଚନ୍ୟାୟାଳୟ ମୁଖ୍ୟବିଚାରପତି ଜଷ୍ଟିସ ଏସ ମୁରଲୀଧରଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକର ୨୨ଟି ସ୍କୁଲ ଓ କଲେଜ ବନ୍ଦ ରଖାଯାଇଛି।
୨୭ ତାରିଖ ସକାଳ ୧୦ଟା ୪୫ରେ ଭୁବନେଶ୍ୱର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ୍‌ ହାଉସ କମ୍ପ୍ଲେକ୍ସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିପାଇଁ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କମିସନରେଟ୍‌ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ସୋମବାର ପୁଲିସ ଆୟୁକ୍ତଙ୍କ ନେତୃତ୍ୱରେ ବିମାନବନ୍ଦରରୁ ରାଜଭବନ ପରେ କଟକ ପର୍ଯ୍ୟନ୍ତ କାରକେଡ ରିହଲସଲ ସରିଛି। ଭୁବନେଶ୍ୱର ପୁଲିସ ଉପାୟୁକ୍ତ ପ୍ରତୀକ ସିଂହ କହିଛନ୍ତି, ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବ୍ଲୁ ବୁକ୍‌ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ହୋଇଛି। ବିମାନ ବନ୍ଦରରୁ ରାଜଭବନ ଓ କାର୍ଯ୍ୟକ୍ରମସ୍ଥଳ ସୁରକ୍ଷା ବଳୟରେ ରହିଛି। ରୁଟ ଲାଇନ, କାରକେଡ଼, ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ଭୁବନେଶ୍ୱରରେ ୧୨ ଜଣ ଅତିରିକ୍ତ ଉପାୟୁକ୍ତ, ୨୫ ଜଣ ଡିଏସ୍‌ପି, ୪୦ ଜଣ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ୩୬ ପ୍ଲାଟୁନ ପୁଲିସ ଫୋର୍ସ, ୨ଟି କ୍ୟୁଆର୍‌ଟି ୟୁନିଟ ଓ ଏସ୍‌ଓଜି ମୁତୟନ ରହିବେ। ସେହିପରି ୧୬୦ ଜଣ ଟ୍ରାଫିକ ପୁଲିସ ଓ ୧୫୦ ଗୃହରକ୍ଷୀ ବିଭିନ୍ନ ସ୍ଥାନରେ ଜଗିବେ ବୋଲି ଉପାୟୁକ୍ତ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟା ୬ଟା ୧୦ ମିନିଟରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ରାଷ୍ଟ୍ରପତି ପହଞ୍ଚିବେ। ସେଠାରୁ ସିଧାସଳଖ ରାଜଭବନ ଅଭିମୁଖେ ବାହାରିବେ। ୨୬ରେ ସଡ଼କ ପଥରେ କଟକ ଯିବାର କାର୍ଯ୍ୟକ୍ରମ ରହିଛି। କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବେ। ସନ୍ଧ୍ୟାରେ ଭୁବନେଶ୍ୱର ଫେରିବେ। ୨୭ରେ ତମାଣ୍ଡୋରେ ପ୍ରଜାପିତା ବ୍ରହ୍ମ କୁମାରୀର ଡିଭାଇନ ଲାଇଟ୍‌ ହାଉସ୍‌ର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏହା ସହିତ ବାଲିଆପଡ଼ାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ। ସୁରକ୍ଷା ବ୍ୟବସ୍ଥାରେ ଅଗ୍ନିଶମ ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ। ସେହିଭଳି ସବୁ କାର୍ଯ୍ୟକ୍ରମସ୍ଥଳୀ ପ୍ରୋ‌ଟୋକଲ ଅନୁସାରେ ସୁରକ୍ଷା ବ୍ୟବସ୍ଥା ହୋଇଛି। ସମସ୍ତ ନିମନ୍ତ୍ରିତ ଅତିଥିଙ୍କ ତଥ୍ୟ ରଖାଯିବା ସହ ଏହାର ଯାଞ୍ଚ କରାଯାଇଛି। ରାଷ୍ଟ୍ରପତିଙ୍କ ସମସ୍ତ କାର୍ଯ୍ୟକ୍ରମ ସଡ଼କ ପଥରେ ରହିଥିବାରୁ ସେହି ଅନୁସାରେ ଟ୍ରାଫିକ ବ୍ୟବସ୍ଥା ହୋଇଥିବା ଉପାୟୁକ୍ତ ଶ୍ରୀ ସିଂହ କହିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖି ଆଗରେ ରଖି କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଯେଭଳି ବିଦ୍ୟୁତ ବିଭ୍ରାଟ ନ ହୁଏ ତାକୁ ଦୃଷ୍ଟିରେ ରଖି ଟିପିସିଓଡିଏଲ୍‌ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଜୁଲାଇ ୨୭ରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories