www.samajalive.in
Sunday, December 14, 2025
15.1 C
Bhubaneswar

୫ ଲକ୍ଷ ଟଙ୍କାର ରାସ୍ତା ୫ ମାସ ବି ତିଷ୍ଠିଲା ନାହିଁ

ଦେବଗଡ଼ : ୫ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତାର ଉନ୍ନତିକରଣ ହେଲା। ହେଲେ ୫ ମାସ ବି ତିଷ୍ଠିଲା ନାହିଁ ରାସ୍ତା। ଏବେ ଉକ୍ତ ରାସ୍ତାର ୨ ଚକିଆ, ଚାରି ଚକିଆ ଚଳାଚଳ କରିବା ଦୂରର କଥା ସାଇକେଲଟିଏ ଚାଲିବା କଷ୍ଟକର ହୋଇପଡୁଛି। ଉକ୍ତ ରାସ୍ତାର ଅବସ୍ଥା ଏବେ କାଦୁଅରେ ଭର୍ତ୍ତୀ ହୋଇ ଏଭଳି ଅବସ୍ଥା ହୋଇଛି ଯେ, ଏହା ପ୍ରକୃତରେ ରାସ୍ତା ନା ଚାଷ ଜମି ସେଥିନେଇ ସାଧାରଣରେ ଭ୍ରମ ସୃଷ୍ଟି ହୋଇଛି। ଏଭଳି ଅବସ୍ଥା ରିଆମାଳ ବ୍ଲକର ଅନୁନ୍ନତ ଆଡସ ଗ୍ରାମ ପଂଚାୟତର ଗ୍ରାମ୍ୟ ନିର୍ମାଣ ବିଭାଗ ରାସ୍ତାକୁ ସଂଯୋଗ କରୁଥିବା ଚାଙ୍ଗୁଡିଆ-ଆରଡି ରୋଡର।
ମିଳିଥିବା ସୂଚନା ଅନୁଯାୟୀ ଅଂଚଳବାସୀଙ୍କ ବାରମ୍ବାର ଦାବୀ ପରେ ଯାତାୟତ ପାଇଁ ପ୍ରାୟ ୫ହଜାର ଲୋକ ନିର୍ଭର କରୁଥିବା ଚାଙ୍ଗୁଡିଆ-ଆରଡି ରୋଡର ଉନ୍ନତିକରଣ ପାଇଁ ସରକାର ୨୦୨୧-୨୨ ଆର୍ଥୀକ ବର୍ଷରେ ମନରେଗା (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରୁ) ୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ଏହି ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଗତ ୨୦୨୨ ମସିହା ଡିସେମ୍ବର ମାସରେ ଆରମ୍ଭ ହୋଇଥିବା ବେଳେ ପ୍ରାୟ ୪/୫ ମାସ ପୂର୍ବେ ସମ୍ପୁର୍ଣ୍ଣ ହୋଇଥିଲା। ମାତ୍ର ବ୍ୟୟ ଅଟକଳ ଅନୁଯାୟୀ ମୋରମ ବିଛାଇବା ବଦଳରେ ଉକ୍ତ ପୁରୁଣା ରାସ୍ତା ଉପରେ କେବଳ ମାଟି ପକାଇ ନିମ୍ନ ମାନର କାର୍ଯ୍ୟ କରାଯାଇଥିଲା। ଫଳରେ ନିର୍ମାଣର ଚାରିମାସ ନପୁରୁଣୁ ରାସ୍ତାଟି କାଦୁଅରେ ଭର୍ତୀ ହୋଇପଡିବା ସହ ବ୍ୟବହାର ଅନୁପଯୋଗୀ ହୋଇପଡିଛି। ସାମାନ୍ୟ ବର୍ଷା ହେଲେ ଉକ୍ତ ରାସ୍ତାରେ ଆଣ୍ଠୁଏ ବହଳର କାଦୁଅ ଜମି ରହୁଥିବାରୁ ଉକ୍ତ ରାସ୍ତା ଦେଇ ଯାତାୟତ କରିବା କଷ୍ଟକର ହୋଇପଡୁଛି।

ରାସ୍ତାରେ ବହୁ କଷ୍ଟରେ କାଁ ଭାଁ ଚାରି ଚକିଆ ଯାନ ଚାଲୁଥିବା ବେଳେ ଲୋକେ ବାଇକ କିମ୍ବା ସାଇକେଲରେ ଯାତାୟାତ କଲେ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଏପରିକି ଲୋକେ ସାଇକେଲରେ ଯିବା ଆସିବା କଲା ବେଳେ ଅନେକ ସମୟରେ ସାଇକେଲକୁ କାନ୍ଧରେ ବୋହି ନେଉଥିବା ଏବଂ ତିନି ଚକିଆ ଯିବା ସମୟରେ ଲୋକେ ପଛ ପଟୁ ଠେଲିବା ଆଦି ଦେଖିବାକୁ ମିଳୁଛି। ମୋଟା ମୋଟି ଭାବେ କହିବାକୁ ଗଲେ ଉକ୍ତ ରାସ୍ତା ବର୍ତମାନ ମରଣ ଯନ୍ତା ସାଜିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଭଳି ପରିସ୍ଥିତିରେ ସମ୍ପୃକ୍ତ ଅଂଚଳବାସୀ ଯାତାୟତ କ୍ଷେତ୍ରରେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖିନ ହେବାସହ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେମାନେ ଏନେଇ ଉକ୍ତ ଗ୍ରାମ ପଂଚାୟତର ସରପଂଚ ଓ ଗ୍ରାମ ପଂଚାୟତ ନିର୍ବାହୀଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ମତାମତ ପାଇଁ ଆଡସ ଗ୍ରାମ ପଂଚାୟତର ସରପଂଚ ନାଜର ବେହେରା ଓ ଗ୍ରାମ ପଂଚାୟତ ନିର୍ବାହୀ ଅଧିକାରୀ ଗୋଲକ ବିହାରୀ ପ୍ରଧାନଙ୍କୁ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ହେଁ ଏହା ସମ୍ଭବ ହୋଇନାହିଁ। ଅନ୍ୟପକ୍ଷରେ ରିଆମାଳ ବ୍ଲକର ବିଡିଓ ଦିବ୍ୟଶଙ୍କର ଜୟପୁରିଆଙ୍କ ମତାମତ ଲୋଡିବାରୁ ସେ ଏ ବିଷୟରେ ବୁଝିବା ପରେ ଯାଇ ଯାହା କିଛି ମନ୍ତବ୍ୟ ଦେବେ ବୋଲି ଉତର ଦେଇଛନ୍ତି। ତେବେ ସେ ଯାହା ହେଉନା କାହିିଁକି ଖୋଦ ଜିଲାପାଳ ଏହି ରାସ୍ତାର ଏଭଳି ଅବସ୍ଥା ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories