www.samajalive.in
Monday, December 8, 2025
17.1 C
Bhubaneswar

କାର୍ଯ୍ୟାନୁଷ୍ଠାନ ନିଅ ; ନଚେତ୍‌ ହସ୍ତକ୍ଷେପ କରିବୁ

ଭିଡିଓ ହଟାଇବାକୁ ସମସ୍ତ ସାମାଜିକ ଗଣମାଧ୍ୟମକୁ ସରକାରଙ୍କ ନିର୍ଦେଶ
ଭିଡ଼ିଓର ସତ୍ୟତା ନେଇ ସନ୍ଦେହ; ଯାଞ୍ଚ କରିବ ସାଇବର ପୁଲିସ

ନୂଆଦିଲ୍ଲୀ :  ମଣିପୁରରେ ଲାଗି ରହିଥିବା ଜାତିଆଣ ହିଂସା ସମ୍ପର୍କିତ ଏକ ଭିଡିଓ ପ୍ରଘଟକୁ ନେଇ ଦେଶବ୍ୟାପୀ ଉତ୍ତେଜନା ପ୍ରକାଶ ପାଇଛି। ହିଂସା ସମୟରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରାଯାଇ ରାସ୍ତାରେ ବୁଲାଯିବାର ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଏପରି ଘଟଣାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଡୁ ହସ୍ତକ୍ଷେପ କରିବା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତାଗିଦା କରିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଉଦ୍‌ବେଗଜନକ। ଘଟଣା ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଜଣାଇବାକୁ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଆଉ ସରକାର ଯଦି ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ସର୍ବୋଚ୍ଚ ନ୍ୟାୟାଳୟ ଏଥିରେ ହସ୍ତକ୍ଷେପ କରିବେ। ପ୍ରଧାନ ବିଚାରପତି କହିଛନ୍ତି ଯେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଲାଗି ମହିଳାଙ୍କୁ ଉପଯୋଗ କରାଯିବା ଦେଶର ସମ୍ବିଧାନ ପ୍ରତି ଅବମାନନା। ଲିଙ୍ଗ ଭିତ୍ତିକ ଏପରି ହିଂସାକୁ ତୁରନ୍ତ ରୋକାଯିବା ଦରକାର। ଏହାକୁ ନେଇ ଆମେ (ସର୍ବୋଚ୍ଚ ନ୍ୟାୟାଳୟ) ଅତ୍ୟନ୍ତ ବିଚଳିତ। ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦେଶ ଦେଇଛନ୍ତି। ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟ ଏହି ପ୍ରସଙ୍ଗର ଶୁଣାଣି କରିବା ସମୟରେ ସରକାରଙ୍କ ଦୁଇ ବରିଷ୍ଠ ନ୍ୟାୟିକ ଅଧିକାରୀ ଆଟର୍ଣ୍ଣି ଜେନେରାଲ ଓ ସଲିସିଟର ଜେନେରାଲ ଅଦାଲତରେ ଉପସ୍ଥିତ ଥିଲେ। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ଘଟଣାକୁ ନିନ୍ଦା କରିଥିଲେ। ପ୍ରଧାନ ବିଚାରପତିଙ୍କ ସହିତ ବିଚାରପତି ପିଏସ୍ ନରସିଂହ ଓ ବିଚାରପତି ମନୋଜ ମିଶ୍ର ମାମଲାର ଶୁଣାଣି କରିଥିଲେ। ଜୁଲାଇ ୨୮ରେ ପୁନର୍ବାର ଏହା ଉପରେ ଶୁଣାଣି କରାଯିବ।
ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ମଣିପୁର ସରକାର ଏହି ଘଟଣାରେ ଜଡିତ ୪ ଅଭିଯୁକ୍ତକୁ ଗିରଫ କରିଛନ୍ତି। ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ସୁରକ୍ଷା ପରାମର୍ଶଦାତା କୁକଦୀପ ସିଂହଙ୍କ କହିବା ଅନୁଯାୟୀ ମୁଖ୍ୟ ଅଭିଯୁକ୍ତ ଖୁରିଏମ୍ ହିରୋ ଦାସକୁ ଗିରଫ କରାଯାଇଛି। ଭିଡିଓରେ ଖୁରିଏମର ଫଟୋ ରହିଥିଲା। ଗିରଫ ପରେ ତାକୁ ଜେରା କରାଯାଇ ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଥିବା କୁହାଯାଇଛି। ରୁଜୁ ହୋଇଥିବା ମାମଲା ଅନୁଯାୟୀ ମେ ୪ ତାରିଖ ଅପରାହ୍ଣ ୩ଟାରେ ଏହି ଭିଡିଓ ଉତ୍ତୋଳନ କରାଯାଇଥିଲା। ଭିଡିଓଟି ଜୁଲାଇ ୧୯ ତାରିଖରେ ପ୍ରଘଟ ହୋଇଛି। ଅଭିଯୁକ୍ତଙ୍କୁ ଚିହ୍ନଟ ଲାଗି ୧୨ଟି ପୁଲିସ ଟିମ୍ ଗଠନ କରାଯାଇଛି। ପୀଡିତା ମହିଳାଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ଅଭିଯୋଗ କରାଯାଇ ନାହିଁ। ଘଟଣାରେ ଜଡିତ ବ୍ୟକ୍ତିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଛନ୍ତି। ତେବେ ଭିଡିଓର ସତ୍ୟତା ନେଇ ପୁଲିସ ସନ୍ଦେହ ପ୍ରକାଶ କରିଛି। ଏହା ସହିତ ମହିଳାଙ୍କୁ ବଳାତ୍କାର କରାଯାଇଥିବାର ମିଛ ଖବର ପ୍ରସାରଣ କରାଯାଇଥିବା ପୁଲିସ କହିଛି। ତେଣୁ ଏହିସବୁ ଘଟଣା ଉପରେ ସାଇବର ପୁଲିସ ଯାଞ୍ଚ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଇଣ୍ଡିଜେନିୟସ ଟ୍ରାଇବାଲ ଲିଡର୍ସ ଫୋରମ (ଆଇଟିଏଲଏଫ୍‌) ପକ୍ଷରୁ ଗୁରୁବାର ଏହି ଘଟଣା ପାଇଁ ମଣିପୁରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଫେରାମ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କହିଛି। ଜାତୀୟ ମହିଳା ଆୟୋଗ, ଜାତୀୟ ଅନୁସୂଚିତ ଜାନଜାତି ଆୟୋଗ ଏହି ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦାବି କରିଛି। ମହିଳାଙ୍କୁ ଉଲଗ୍ନ କରି ବୁଲାଯିବାର ଟ୍ବିଟର ସମେତ ବିଭିନ୍ନ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିବାବେଳେ ଏ ସମସ୍ତ ଭିଡିଓକୁ ହଟାଇବା ଲାଗି କେନ୍ଦ୍ର ସରକାର ସମସ୍ତ ସାମାଜିକ ଗଣମାଧ୍ୟମ ସଂସ୍ଥାକୁ ନିର୍ଦେଶ ଦେଇଛନ୍ତି।
ମେ ୩ ତାରିଖରୁ ମଣିପୁରରେ ଜାତିଆଣ ହିଂସା ଲାଗି ରହିଛି। ମୈତେଇ ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି (ଏସଟି) ମାନ୍ୟତା ପ୍ରଦାନ ପ୍ରକ୍ରିୟାକୁ ବିରୋଧ କରି କୁକି ଓ ନାଗା ସମ୍ପ୍ରଦାୟଙ୍କ ପକ୍ଷରୁ ହୋଇଥିବା ଶୋଭାଯାତ୍ରାରୁ ଏହି ହିଂସା ଆରମ୍ଭ ହୋଇଥିଲା। ଏହି ହିଂସାରେ ୧୬୦ ଜଣଙ୍କର ମୃତ୍ୟୁ ହେଲାଣି। ଏହା ସହିତ ଶହଶହ ଲୋକ ଆହତ ହୋଇଛନ୍ତି। ପ୍ରାୟ ୬୦ହଜାର ଲୋକ ଘରଦ୍ବାର ହରାଇ ରିଲିଫ ଶିବିରରେ ରହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories