ଆପଦ ପାଇଁ ପ୍ରସ୍ତୁତି
ଗ୍ୟାସ ଓ ପେଟ୍ରୋଲିୟମ ମହଜୁଦ ବ୍ୟବସ୍ଥା ଜରୁରୀ।
ଭାରତ ସମ୍ଭାବ୍ୟ ଆପଦର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି। ନାଗରିକଙ୍କ ମୌଳିକ ଆବଶ୍ୟକତା ମଧ୍ୟରେ ଖାଦ୍ୟ ଅଗ୍ରସ୍ଥାନ ନେଉଥିବାବେଳେ ସରକାର ଆପତ୍କାଳୀନ ଖାଦ୍ୟ ମହଜୁଦ ବ୍ୟବସ୍ଥା କରିଛନ୍ତି। ଅନୁରୂପ ଭାବରେ ଶକ୍ତି କ୍ଷେତ୍ରରେ ମଧ୍ୟ ପଦକ୍ଷେପ ନିଆଯାଉଛି। ଆମର ବିଦ୍ୟୁତ୍ ଶକ୍ତି ଉତ୍ପାଦନ ମୁଖ୍ୟତଃ ତାପଜ ଭିତ୍ତିକ ହୋଇଥିବାବେଳେ ଇନ୍ଧନ ଆକାରରେ କୋଇଲାର ବହୁଳ ବ୍ୟବହାର କରାଯାଉଛି, ଯାହାର ବିଶ୍ୱ ତାପାୟନ ଓ ଜଳବାୟୁ ଉପରେ ବ୍ୟାପକ ପ୍ରତିକୂଳ ପ୍ରଭାବ ପଡୁଛି। ଏହାକୁ ଦୃଷ୍ଟିରେ ରଖି ଏବେ ତାପଜ ଶକ୍ତିକେନ୍ଦ୍ରଗୁଡିକରେ ପ୍ରାକୃତିକ ଗ୍ୟାସ୍ ଭଳି ବିକଳ୍ପ ଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି। ପେଟ୍ରୋଲିୟମ୍ ତୈଳ ମଧ୍ୟ ପରିବେଶ ଉପରେ ଅନୁରୂପ ପ୍ରତିକୂଳ ପ୍ରଭାବ ରହିଛି ଏବଂ ଏହି ପ୍ରାକୃତିକ ସମ୍ପଦ କ୍ରମଶଃ ଶେଷ ହୋଇଆସୁଛି।
ଏହି ପରିସ୍ଥିତିରେ ଭାରତ ଜଳବିଦ୍ୟୁତ, ସୌରଶକ୍ତି ଏବଂ ପବନ ଶକ୍ତି ଭଳି ଅକ୍ଷୟ ଶକ୍ତି ଉତ୍ସଗୁଡିକର ପୂର୍ଣ୍ଣ ସାମର୍ଥ୍ୟ ଉପଯୋଗ କରିବାକୁ ପ୍ରଚେଷ୍ଟା ଚାଲିଛି। ଦେଶରେ ଜନସଂଖ୍ୟା ବୃଦ୍ଧିସହିତ ତାଳଦେଇ ଉଭୟ ପାରମ୍ପରିକ ଏବଂ ଅଣ ପାରମ୍ପରିକ ଶକ୍ତି ଚାହିଦା ମଧ୍ୟ ବଢ଼ୁଛି। ଏଭଳି ପରିସ୍ଥିତିରେ ସମଗ୍ର ବିଶ୍ୱରେ ଭୂ-ରାଜନୈତିକ ଏବଂ ଆର୍ଥିକ ସମୀକରଣରେ ଯେଉଁଭଳି ଭାବରେ ଦ୍ରୁତ ପରିବର୍ତ୍ତନ ଘଟୁଛି ତାହା ସଚେତନ ରାଷ୍ଟ୍ରଗୁଡିକୁ ବିଭିନ୍ନ କ୍ଷେତ୍ରରେ ଆଗୁଆ ପ୍ରସ୍ତୁତ ରହିବାକୁ ବାଧ୍ୟ କରୁଛି। ଭାରତ ଖାଦ୍ୟଶସ୍ୟରେ ସ୍ୱାବଲମ୍ବୀ ତଥା ରପ୍ତାନିକାରୀ ରାଷ୍ଟ୍ର ହୋଇଥିଲେ ମଧ୍ୟ ଏହା ଡାଲି, ଖାଇବା ତେଲ, ପେଟ୍ରୋଲିୟମ ଇନ୍ଧନ ଆଦି ବିଦେଶରୁ ବହୁ ପରିମାଣରେ ଆମଦାନୀ କରୁଛି। ଏଥିପାଇଁ ଦେଶକୁ ବିପୁଳ ବୈଦେଶିକ ବିନିମୟ ମୁଦ୍ରା ଖର୍ଚ୍ଚ କରିବାକୁ ହେଉଛି। ରୁଷ-ୟୁକ୍ରେନ ଯୁଦ୍ଧ ପରେ ବିଶ୍ୱ ବଜାରରେ ଅଶୋଧିତ ପେଟ୍ରୋଲିୟମ ମୂଲ୍ୟ ବୃଦ୍ଧି ପାଇବାରୁ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ତାହାର ପ୍ରଭାବ ପଡ଼ିଥିଲା। ଅନ୍ୟପକ୍ଷରେ ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରଗୁଡିକ ପକ୍ଷରୁ ଲଗାଯାଇଥିବା ଅର୍ଥନୈତିକ ଓ ବାଣିଜ୍ୟିକ କଟକଣା ଜନିତ ପ୍ରତିକୂଳ ପ୍ରଭାବ ଲାଘବ କରିବାକୁ ରୁଷିଆ ଶସ୍ତାରେ ପେଟ୍ରୋଲିୟମ ବିକ୍ରି ଆରମ୍ଭ କରିଥିଲା, ଯାହାର ସୁଯୋଗ ନେଇଥିଲେ ଭାରତ ଓ ଚୀନ ଭଳି କିଛି ରାଷ୍ଟ୍ର। ଆମେରିକା ଓ ଅନ୍ୟାନ୍ୟ ରାଷ୍ଟ୍ର ପକ୍ଷରୁ ଭାରତ ଉପରେ ଏଭଳି ନକରିବାକୁ ଯଥେଷ୍ଟ ଚାପ ପଡ଼ିଥିଲା, କିନ୍ତୁ ଭାରତ ତାହାର ରାଷ୍ଟ୍ରବାସୀଙ୍କ ଆବଶ୍ୟକତାକୁ ଅଗ୍ରାଧିକାର ଦେଇ ସବୁ ଚାପକୁ ଏଡାଇ ଯାଇଥିଲା, ଯାହା ଏକ ବଳିଷ୍ଠ ଓ ଦୂରଦର୍ଶୀ ନିଷ୍ପତ୍ତି ଥିଲା। ବୈଶ୍ୱିକ ଅନିଶ୍ଚିତ ଅବସ୍ଥାକୁ ଲକ୍ଷ୍ୟ କରି ଭାରତ ସରକାର କିଛିବର୍ଷ ତଳେ ଦେଶରେ ଏକ ଆପତ୍କାଳୀନ ପେଟ୍ରୋଲିୟମ ମହଜୁଦ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଥିଲେ। ତଦନୁଯାୟୀ ଦେଶର ବିଭିନ୍ନ ସ୍ଥାନରେ ଭୂତଳ ପେଟ୍ରୋଲିୟମ ମହଜୁଦ ଭଣ୍ଡାରମାନ ନିର୍ମାଣ କରାଯାଇଛି ଏବଂ ସେଗୁଡିକରେ ୫.୩୩ ନିୟୁତ ଟନ୍ ପେଟ୍ରୋଲିୟମ ମହଜୁଦ ରହିଛି। ଏହା ଦେଶର ମୋଟ ତୈଳ ଚାହିଦାର ପ୍ରାୟ ୯.୫ ଦିନର ଆବଶ୍ୟକତା ପୂରଣ କରିପାରିବ।
ଆନ୍ତର୍ଜାତିକ ବଜାରରେ ପେଟ୍ରୋଲିୟମ ମୂଲ୍ୟ ଅସ୍ଥିର ରହିବା, ମାତ୍ରାଧିକ ପ୍ରତିକୂଳ ପରିସ୍ଥିତି, ଯୁଦ୍ଧ ଘନଘଟା ଭଳି ଆପଦର ମୁକାବିଲା କରିବା ଉଦ୍ଦେଶ୍ୟରେ ଏଭଳି ମହଜୁଦ ବ୍ୟବସ୍ଥା ସୃଷ୍ଟି କରାଯାଉଛି। ଏହି ଯୋଜନାରେ ଓଡ଼ିଶାର ଚଣ୍ଡିଖୋଲ ନିକଟରେ ୪ ନିୟୁତ ଟନ୍ ଓ କର୍ଣ୍ଣାଟକରେ ୨.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଭୂତଳ ପେଟ୍ରୋଲିୟମ ତୈଳ ମହଜୁଦ ବ୍ୟବସ୍ଥା ଯୋଜନା ରହିଥିଲା। ଚଣ୍ଡିଖୋଲ ପ୍ରକଳ୍ପ ପାଇଁ ୨୦୧୯ ସେପ୍ଟେମ୍ବରରେ ୪୦୦ ଏକର ଏବଂ କର୍ଣ୍ଣାଟକରେ ପାଦୁର ପ୍ରକଳ୍ପ ପାଇଁ ୨୦୨୦ ନଭେମ୍ବରରେ ୨୧୦ ଏକର ଜମି ଯୋଗାଇବାକୁ ଭାରତୀୟ ରଣକୌଶଳାତ୍ମକ ପେଟ୍ରୋଲିୟମ ମହଜୁଦ (ଆଇଏସ୍ପିଆରଏଲ୍) ଆବେଦନ କରିଥିଲା। ୨୦୨୧ ଜୁଲାଇରେ କେନ୍ଦ୍ର କ୍ୟାବିନେଟ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲା, ତାହା କିନ୍ତୁ ଏଯାଏ କାର୍ଯ୍ୟକାରୀ ହୋଇପାରିନି।
ଏ କ୍ଷେତ୍ରରେ ଜମି ଅଧିଗ୍ରହଣ ବିଳମ୍ବ ଘଟାଉଥିବା କୁହାଯାଉଛି। ସଂସଦୀୟ ସ୍ଥାୟୀ କମିଟି ମଧ୍ୟ ଜମି ଅଧିଗ୍ରହଣରେ ଏଭଳି ଅସ୍ୱାଭାବିକ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ତେବେ ଶକ୍ତି ନିରାପତ୍ତା ଦେଶ ପାଇଁ ଏକ ପ୍ରମୁଖ ଆବଶ୍ୟକତା ହୋଇଥିବାରୁ ଭାରତ ଯେମିତି ହେଲେ ବି ଆପତ୍କାଳୀନ ତୈଳ ମହଜୁଦ ବ୍ୟବସ୍ଥା କରିବାକୁ ଅଣ୍ଟା ଭିଡିଛି। ଅନୁରୂପ ଭାବରେ ଏବେ ରଣକୌଶଳାତ୍ମକ ଭିତ୍ତିରେ ପ୍ରାକୃତିକ ଗ୍ୟାସ୍ ମହଜୁଦ ସୁବିଧା ସୃଷ୍ଟି କରିବାକୁ ପ୍ରୟାସ ଆରମ୍ଭ ହୋଇଛି। କାରଣ ଦେଶରେ ରନ୍ଧନ ଉଦ୍ଦେଶ୍ୟରେ ପେଟ୍ରୋଲିୟମ ଗ୍ୟାସ୍ର ବହୁଳ ବ୍ୟବହାର ସହିତ ଯାନ ବାହନ ଏବଂ କଳ କାରଖାନାରେ ମଧ୍ୟ ଏହାର ବ୍ୟବହାର ବଢ଼ିବାରେ ଲାଗିଛି। ଏବେ ଏହାର ମହଜୁଦ ବ୍ୟବସ୍ଥା ସୃଷ୍ଟି ଯଦିଓ ପ୍ରାଥମିକ ପର୍ଯ୍ୟାୟରେ ରହିଛି, ତଥାପି ତାହା କାର୍ଯ୍ୟକାରୀ କରିବାକୁ ଗ୍ୟାସ ମହଜୁଦ କ୍ଷେତ୍ରରେ ସାରା ବିଶ୍ୱରେ ଥିବା ଅଳ୍ପ କିଛି ସଂସ୍ଥାକୁ ଏଭଳି ଏକ ପ୍ରସ୍ତାବର ରୂପରେଖ ପ୍ରସ୍ତୁତ କରିବାକୁ କୁହାଯାଇଛି। କାରଣ ଦେଶରେ ଏଯାଏ ଆପତ୍କାଳୀନ ଗ୍ୟାସ ମହଜୁଦ ରଖିବା ବ୍ୟବସ୍ଥା ନାହିଁ ଏବଂ ଏହା ଉପରେ ବୈଶ୍ୱିକ ପ୍ରଭାବ ରହିଛି। ଏ କ୍ଷେତ୍ରରେ ରହୁଥିବା ପ୍ରତିବନ୍ଧକ ଦୂରକରି ଯେତେଶୀଘ୍ର ଏଭଳି ବ୍ୟବସ୍ଥା ସୃଷ୍ଟି କରାଯିବ, ତାହା ଦେଶର ଶକ୍ତି କ୍ଷେତ୍ର ପାଇଁ ସେତେ ଅଧିକ ଉପଯୋଗୀ ହୋଇପାରିବ।
Comments are closed.