ମ୍ୟାଲେରିଆ ମୁକ୍ତ ହେବ ବୌଦ୍ଧ ଜିଲା, ୬ ମାସରେ ମାତ୍ର ୧୧୨ ଜଣ ସଂକ୍ରମିତ ଚିହ୍ନଟ
ବୌଦ୍ଧ: ବୌଦ୍ଧଜିଲାରୁ ଫାଇଲେରିଆ ରୋଗ ପ୍ରାୟ ନିର୍ମୁଳକରଣ ହୋଇ ସାରିଥିବା ବେଳେ ଏବେ ଜିଲା ମ୍ୟାଲେରିଆ ମୁକ୍ତ ହେବାକୁ ଯାଉଥିବା ଜଣାଯାଇଛି। ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆ, ଫାଇଲେରିଆ, ଡେଙ୍ଗୁର ମୁକାବିଲା ପାଇଁ ଆୟୋଜିତ ବୈଠକରେ ଏହି ସୂଚନା ଦିଆଯାଇଛି। ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲାରେ ମ୍ୟାଲେରିଆର ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋଚନା ହୋଇଥିଲା। ଜିଲାର ହରଭଙ୍ଗା ବ୍ଲକ ସର୍ବାଧିକ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଭାବରେ ଚିହ୍ନଟ ହୋଇଥିବା ବେଳେ ଆଡେଣୀଗଡ଼ ପଞ୍ଚାୟତରେ ସର୍ବାଧିକ ପଜେଟିଭ କେସ ଚିହ୍ନଟ କରାଯାଇଛି। ଜିଲାରେ ୫୪ଟି ଗ୍ରାମକୁ ମ୍ୟାଲେରିଆ ପାଇଁ ହାଇରିସ୍କ ଗ୍ରାମ ଭାବରେ ଚିହ୍ନଟ କରାଯାଇଛି। ଏହି ସବୁ ଗ୍ରାମଗୁଡିକରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା। ପ୍ରତିବର୍ଷ ଜିଲାରେ ମ୍ୟାଲେରିଆ ପଜେଟିଭ ସଂଖ୍ୟା ନିମ୍ନଗାମି ହୋଇଚାଲିଥିବାବେଳେ ଖୁବଶିଘ୍ର ଜିଲା ମ୍ୟାଲେରିଆ ମୁକ୍ତ ହୋଇପାରିବ ବୋଲି ମତପ୍ରକାଶ ପାଇଥିଲା। ଚଳିତବର୍ଷ ଜୁଲାଇ ମାସ ସୁଦ୍ଧା ମାତ୍ର ୧୧୨ ଜଣ ମ୍ୟାଲେରିଆ ପଜେଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି।
Comments are closed.