ଗଣତନ୍ତ୍ରରେ ବିଡ଼ମ୍ବନା
ଅଧ୍ୟାପକ ବିଶ୍ବରଞ୍ଜନ
ନିର୍ବାଚନର ଋତୁ ଆରମ୍ଭ ହୋଇଗଲେ ବଦଳିଯାଏ ରାଜନୀତିର ରଙ୍ଗ। ବଦଳିଯାଏ ରାଜନୈତିକ ଜୀବମାନଙ୍କର ଚାଲି-ଚଳଣିର ଢଙ୍ଗ। ସେମାନଙ୍କର କଥା କହିବାର ବାଗ। କଥାରେ ଭରା ଆବେଗ-ଅନୁରାଗ ସାଙ୍ଗକୁ କାର୍ଯ୍ୟ କରିବାର ବେଗରେ ମଧ୍ୟ ଅଦ୍ଭୁତ ପରିବର୍ତ୍ତନ ଦେଖିବାକୁ ମିଳେ। ପୁଣି ଥରେ ସ୍ୱପ୍ନ ଦେଖାଇବା ଆରମ୍ଭ ହୋଇଯାଏ, ଅଧୁରା ସ୍ୱପ୍ନ ପୂରଣର ପ୍ରତିଶ୍ରୁତି ମିଳିଥାଏ, ଜନଗଣ ପ୍ରତି ପ୍ରେମ ଉଛୁଳି ଉଠେ। ସ୍ୱପ୍ନ, ସେବା, ପ୍ରେମ ଓ ପ୍ରତିଶ୍ରୁତିର ଇସ୍ତାହାର ଫର୍ଦ ଲମ୍ବିବାରେ ଲାଗିଥାଏ। ନିର୍ବାଚନ କାଳେ ସମସ୍ତେ ଜାଗ୍ରତ। ଭୋଟ ଦିଆନିଆର ଖେଳ ସରିଗଲା ପରେ ସମସ୍ତେ ପୁଣି ଶୟନକକ୍ଷରେ। ନିଦ୍ରା ବିମୋହିତ। ଉଭୟ ନେତା ଓ ଜନତା। ଅର୍ଥାତ୍ ଆମର ଗଣତନ୍ତ୍ର ହୋଇଯାଏ ନିର୍ବାଚନ ସର୍ବସ୍ୱ। ସତତ ସଚେତନତା ଯେ ଗଣତନ୍ତ୍ରର ପ୍ରାଣରକ୍ଷାକାରୀ ମେହୗଷଧି, ଏ କଥା ଭୁଲିଯିବା ଫଳରେ ବହୁବିଧ ବ୍ୟାଧିରେ କବଳିତ ହୋଇପଡ଼େ ଆମର ଗଣତନ୍ତ୍ର। ଏହାର ମେଦ ବୃଦ୍ଧି ପାଉଥାଏ; କିନ୍ତୁ ଭିତରେ ଭିତରେ ‘ମଧୁମେହ’ ଏହାକୁ ଦୁର୍ବଳ କରିବାରେ ଲାଗିଥାଏ। ଚେହେରା ହୁଏ ତ ଚିକ୍କଣ ଦିଶୁଥାଏ, ଚରିତ୍ରରେ କିନ୍ତୁ ପୋକ ଚରିଯାଇଥାଏ। ହଁ, କହିଦିଏ ଯେ ଗଣତନ୍ତ୍ରର ଏ ପ୍ରକାର ଚରିତ୍ର ଚିତ୍ରଣ ହେଉଛି, ସଂପ୍ରତି ଆମ ଭାରତୀୟ ରାଜନୀତିର ଗତି ଓ ପ୍ରକୃତିକୁ ଲକ୍ଷ୍ୟ କରି।
ଅବଶ୍ୟ ଗର୍ବ କରିବାର ଅନେକ କାରଣ ରହିଛି ଯେ, ବୃହତ୍ତମ ଗଣତନ୍ତ୍ର ଭାବରେ ସମଗ୍ର ବିଶ୍ୱରେ ଆମର ସ୍ୱତନ୍ତ୍ର ପରିଚିତି ରହିଛି। ବିବିଧତାରେ ପୂର୍ଣ୍ଣ ଶହେ ଚାଳିଶ କୋଟି ଭାରତୀୟଙ୍କୁ ନେଇ ଗଣତାନ୍ତ୍ରିକ କ୍ରିୟା ଓ ପ୍ରକ୍ରିୟା ଏ ଯାବତ୍ ବଳବତ୍ତର ରହିଛି। ନିୟମିତ ବ୍ୟବଧାନରେ ନିର୍ବାଚନ ମାଧ୍ୟମରେ କ୍ଷମତାର ହସ୍ତାନ୍ତର ମଧ୍ୟ ହେଉଛି। ମାତ୍ର ପୁନରାବୃତ୍ତି କରୁଛି, ଆଲୋଚନାର ଆରମ୍ଭରେ ରଖିଥିବା ବକ୍ତବ୍ୟର ଯେ, ଗଣତନ୍ତ୍ର କହିଲେ ଏହା କ’ଣ କେବଳ ଭୋଟତନ୍ତ୍ର? ଖଣ୍ଡିଏ ଭୋଟ୍ ପାଇଁ ଭିକ୍ଷାଥାଳ ଧରି ଭୋଟର ଭାଇଭଉଣୀଙ୍କୁ ଭୂତେଇବା ଓ ଭୋଟ୍ ହାତେଇବା ପରେ ନିଘୋଡ଼ ନିଦରେ ଶୋଇ ପଡ଼ିବା, ଏହା ହିିଁ କ’ଣ ଗଣତନ୍ତ୍ରର ରୀତି, ନୀତି ଓ ଆଦର୍ଶ? ଜନମରୁ ମରଣ ଯାଏ ସବୁ କିଛି ମାଗଣାର ପ୍ରଲୋଭନ ଦେଖାଇ ଭୋଟରମାନଙ୍କୁ ପରାଙ୍ଗପୁଷ୍ଟ କରିଦେବା କ’ଣ ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ସୁସ୍ଥ ଲକ୍ଷଣ? ନାନା ବିଲକ୍ଷଣ ଭିତରେ ଆମର ଗଣତନ୍ତ୍ର ଏବେ ଗତିଶୀଳ ଏବଂ ଶକ୍ତିହରା। ଦଳତନ୍ତ୍ରକୁ ରୂପାନ୍ତରିତ ହୋଇଥିବା ଆମର ଗଣତନ୍ତ୍ର ଏବେ ପୁଣି ବ୍ୟକ୍ତିତନ୍ତ୍ରର ରୂପ ଧାରଣ କଲାଣି। କୌଣସି ଦଳକୁ ଆମେ ଅନ୍ୟ ଦଳଠାରୁ ବିଶେଷ ଭିନ୍ନ ବୋଲି କହିପାରିବା ନାହିଁ। ଅବଶ୍ୟ ଦଳର ନେତା ଭିନ୍ନ, ପତାକା ଭିନ୍ନ। ଉଚ୍ଚାରଣ ବି ଶୁଭେ ଭିନ୍ନ ଭଳି। ମାତ୍ର ଆଚରଣରେ ଊଣା ଅଧିକେ ସମସ୍ତେ ସମାନ। କୌଣସି ସମସ୍ୟାର ସୁସ୍ଥ ଆଲୋଚନା ଓ ଏହାର ସମାଧାନ ଦିଗରେ ଦଳମତ ନିର୍ବିଶେଷରେ ସମସ୍ତେ କାର୍ଯ୍ୟ କରିବା ବଦଳରେ ସମସ୍ୟାକୁ ଅଧିକ ଜଟିଳ ଓ ସମସ୍ୟା ବହୁଳ କରିଦେବା ଦିଗରେ ସମସ୍ତେ ତତ୍ପର। ବିଚରା ଅସହାୟ ଅବସ୍ଥାରେ ଛାଇ ନିଦରେ ଶୋଇ ପଡ଼ି ସ୍ୱପ୍ନ ଦେଖୁଥିବା ଜନସାଧାରଣ, ସେମାନଙ୍କର ସ୍ୱପ୍ନ ଦୁଃସ୍ୱପ୍ନରେ ପରିଣତ ହେବାକୁ ବେଶୀ ସମୟ ଲାଗେ ନାହିଁ। ଗୋଟିଏ ନିର୍ବାଚନ ପରେ ଆଉ ଏକ ନିର୍ବାଚନ ପାଇଁ ଭେରୀ-ତୂରୀ-କାହାଳୀ ବାଜିବାକୁ ଆରମ୍ଭ କରିଥାଏ। ଆରମ୍ଭ ହୋଇଯାଇଥାଏ ବିଭିନ୍ନ ଦଳର ସମରସଜ୍ଜା। କ୍ଷମତା ଲାଭର ଏକମାତ୍ର ଲକ୍ଷ୍ୟ ହାସଲ ଦିଗରେ କଳ-ବଳ-କୌଶଳ ପ୍ରୟୋଗର ନାନାବିଧ କ୍ରିୟା ଓ ପ୍ରକ୍ରିୟା ଭିତରେ ସ୍ୱୀକୃତ ଗଣତାନ୍ତ୍ରିକ ମୂଲ୍ୟବୋଧ ମଧ୍ୟ ଅସ୍ୱୀକୃତ ହୋଇ ପଡ଼ିରହେ। ବହୁ ପ୍ରଚାରିତ ଓ ଉଚ୍ଚାରିତ ଗାନ୍ଧୀଙ୍କ ‘ଅହିଂସା’ରୁ ‘ଅ’ ଊହ୍ୟ ହୋଇଯାଇ ସବୁଠି ‘କ୍ଷ’ର ବିଲକ୍ଷଣମାନ ଦେଖିବାକୁ ମିଳୁଥାଏ। ଅର୍ଥାତ୍ ସବୁଠି କ୍ଷତ ଆଉ କ୍ଷତ ଏବଂ ସମସ୍ତେ କ୍ଷତାକ୍ତ। କ୍ଷମତା ନିଶାରେ ସମସ୍ତେ ନିଶାଗ୍ରସ୍ତ। ଶୁଭୁଥାଏ ଅମୃତ କୋଳାହଳ। ଅଥଚ ଗଣତନ୍ତ୍ରର ଶିରା ପ୍ରଶିରାରେ ସଂଚରି ଯାଉଥାଏ ଉତ୍କଟ ହଳାହଳ। ଲୋକସେବାର ଚାଦର ଘୋଡ଼େଇ ଘୂରି ବୁଲୁଥାନ୍ତି ରାଜନୀତିର ବେପାରୀ ଦଳଦଳ।
ଆଜି ଏ ଦଳ ତ କାଲି ସେ ଦଳ। ଆଜି ଏକାଠି ତ କାଲି ପୁଣି ଫଟାଫଟି। ଗଣ୍ଠି ଫିଟିଲାବେଳକୁ ପୁଣି ଗଣ୍ଠି ପଡ଼ିଯାଏ। ଅସଲ ଗ୍ରନ୍ଥିମୋଚନ ଆଉ ସମ୍ଭବ ହୁଏ ନାହିଁ। ଗଣତନ୍ତ୍ରର ଗ୍ରନ୍ଥପାଠ ଅପଢ଼ା ରହିଯାଏ। କେହି ତା’କୁ ପଢ଼ି ବୁଝିଲେ ମଧ୍ୟ ଅସଲ ପରୀକ୍ଷାଖାତାରେ ଲେଖିଲା ବେଳକୁ ସ୍ମୃତିଭ୍ରମ ହୋଇଯାଏ। ଫଳରେ ଯାହା ଲେଖାଯାଏ, ସେଥିରେ ଗଣତନ୍ତ୍ରର ଅସଲ ଛବି ଦେଖିବାକୁ ମିଳେ ନାହିଁ। ଏହାର ପରୀକ୍ଷକ ବା ନିରୀକ୍ଷକ ଭୂମିକାରେ ରହି ଯେଉଁମାନେ ପ୍ରକୃତ ମାର୍ଗଦର୍ଶନ କରେଇବା କଥା, ଅର୍ଥାତ୍ ଜନଗଣ ବା ଗଣମାଧ୍ୟମ, ସେମାନେ ଅସ୍ୱାଭାବିକ ନିରବତା ଭିତରେ ନିଜର ଭୂମିକାକୁ ମଧ୍ୟ ବିସ୍ମରି ଯାଇଥାନ୍ତି। ଫଳରେ ଜନବାଦୀ ବ୍ୟବସ୍ଥା ବଳବତ୍ତର ରହିବା ବଦଳରେ ବ୍ୟକ୍ତିବାଦ, ବଂଶବାଦ, ପୁଞ୍ଜିବାଦ, ଆତଙ୍କବାଦ ମୁଣ୍ଡ ଟେକୁଥାଏ ଏବଂ ଏସବୁ ବାଦ ନୂଆ ନୂଆ ବିବାଦ ସୃଷ୍ଟି କରି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ପୂରାପୂରି ବିପଦଗ୍ରସ୍ତ କରି ଦେଉଥାଏ।
ଗଣତନ୍ତ୍ରର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଦୃଷ୍ଟିପାତ ହେଉ। କ୍ଷମତାର ସୁଷମ ବଣ୍ଟନ ଓ ବିକେନ୍ଦ୍ରୀକରଣ ହେଉଛି ସଂସଦୀୟ ଗଣତନ୍ତ୍ରର ମୂଳକଥା। ଆଇନର ପ୍ରଣୟନ ଓ ବିଲୋପନର କ୍ଷେତ୍ର ହେଉଛି ଲୋକପ୍ରତିନିଧିମାନଙ୍କର ସମ୍ମିଳିତ ସଭାଗୃହ। ଏହି ସଭା ମଧ୍ୟରୁ ସଂଖ୍ୟାଗରିଷ୍ଠତାର ଶକ୍ତି ସଂଗ୍ରହ କରି ଏକ ମନ୍ତ୍ରିମଣ୍ଡଳ ଅର୍ଥାତ୍ କାର୍ଯ୍ୟପାଳିକା ଏହାକୁ କାର୍ଯ୍ୟକାରୀ କରିବେ। ସେହିଭଳି ଏମାନଙ୍କର କାର୍ଯ୍ୟ ଓ ଅକାର୍ଯ୍ୟକୁ ସମୀକ୍ଷା କରି ସମ୍ବିଧାନର ଗରିମା ଅକ୍ଷୁଣ୍ଣ ରଖିବାର ଦାୟିତ୍ୱ ନ୍ୟାୟପାଳିକାର। ଶାସନ ବ୍ୟବସ୍ଥାରେ ଏହି ତିନି ସଂସ୍ଥା ପରସ୍ପର ଠାରୁ ସ୍ୱତନ୍ତ୍ର ଏବଂ ପରସ୍ପର ଉପରେ ନିର୍ଭରଶୀଳ ମଧ୍ୟ। କ୍ଷମତାର ପୃଥକୀକରଣ ଭିତରେ ପ୍ରତ୍ୟେକର ଅପର ଉପରେ ନିୟନ୍ତ୍ରଣ ଦ୍ୱାରା ଶାସନରେ ଏକ ସନ୍ତୁଳନ ରକ୍ଷା କରିବା ହେଉଛି ଗଣତାନ୍ତ୍ରିକ ଆବଶ୍ୟକତା। କୌଣସି କ୍ଷେତ୍ରରେ କ୍ଷମତା ଅସୀମ ନୁହେଁ, ସୀମାବଦ୍ଧ। ମାତ୍ର କ୍ଷମତା ଯଦି ବିଭିନ୍ନ କ୍ଷେତ୍ରର ଅଧିକାରକୁ ସଙ୍କୁଚିତ କରି ବ୍ୟକ୍ତିବିଶେଷ ପାଖରେ (ପ୍ରଧାନମନ୍ତ୍ରୀ ହୁଅନ୍ତୁ ବା ମୁଖ୍ୟମନ୍ତ୍ରୀ) କେନ୍ଦ୍ରୀଭୂତ ହୋଇଯାଏ, ତେବେ ଗଣତନ୍ତ୍ରର ଊର୍ଦ୍ଧ୍ବଶ୍ୱାସ ହିଁ ଦେଖିବାକୁ ମିଳିବ। କଥା ସେତିକିରେ ଅଟକି ନାହିଁ, ଏବେ ଏହା ଲୋକପ୍ରତିନିଧିମୂଳକ ବ୍ୟବସ୍ଥାର ଶାସନ ମୁଖ୍ୟଙ୍କ ପାଖରୁ ଅଣନିର୍ବାଚିତ ପ୍ରଶାସକମାନଙ୍କ ପାଖକୁ ଚାଲିଆସିଲାଣି। ଅନ୍ତରାଳରେ ରହି ନିେର୍ଦଶ ପାଳନ କରିବା ପାଇଁ ନିଯୁକ୍ତ ବାବୁମାନେ ଏବେ ସର୍ବସମ୍ମୁଖରେ କ୍ଷମତାର ରଜ୍ଜୁ ଧରି ସେମାନଙ୍କର ନାଟତାମସା ଆରମ୍ଭ କରିଦେଲେଣି। ବାବୁତନ୍ତ୍ର ଏବେ ଲୋକତନ୍ତ୍ରର ଅବାଞ୍ଛିତ ନୂଆ ରୂପ ଧରି ସାମ୍ନାକୁ ଆସିଲାଣି।
ଜଣେ ଛାତ୍ର ଭାବରେ ରାଜନୀତି ବିଜ୍ଞାନ ଓ ଲୋକ ପ୍ରଶାସନର ପାଠ ପଢ଼ିଥିବା ଓ ଅଧ୍ୟାପକ ଭାବରେ ପଢ଼େଇଥିବା ପାଠସବୁ ଏବେ ପୁରୁଣା ହୋଇଗଲାଣି। ଗୁରୁତ୍ୱ ହରେଇ ବସିଲାଣି। ଏବେର ଅବସ୍ଥା ଓ ବ୍ୟବସ୍ଥା ସମ୍ପର୍କରେ ମୁଁ ଜାଣିବା ପାଇଁ ଚାହୁଁଥିଲି ମୋର ଉତ୍ତରଦାୟାଦ ପ୍ରଫେସର ନେତାଜୀ ଅଭିନନ୍ଦନ ପାଖରୁ। ତା’ର ବକ୍ତବ୍ୟ ଓ ମନ୍ତବ୍ୟ ଥିଲା ଏହିପରି – “ପ୍ରସିଦ୍ଧ ବ୍ରିଟିଶ ଟେଲି ସିରିଜ୍ ‘ୟେସ ମିନିଷ୍ଟର୍’ର ଏକ ଅଧ୍ୟାୟ ଦେଖୁଥିଲି। ସେଥିରେ ପ୍ରଶାସନିକ ବ୍ୟାପାର ବିଭାଗରେ ନବନିଯୁକ୍ତ ମନ୍ତ୍ରୀ ତାଙ୍କ ସଚିବଙ୍କୁ ଡାକି କହୁଛନ୍ତି, ‘ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ଏଣିକି ଆମେ ମୁକ୍ତ ଓ ସ୍ୱଚ୍ଛ ଶାସନ ବ୍ୟବସ୍ଥା ଲାଗୁ କରିବା ଦିଗରେ ଆଗଭର ହେବା।’ ଜବାବରେ ତତ୍କ୍ଷଣାତ୍ ବିଚକ୍ଷଣ ସଚିବ ପ୍ରଶ୍ନ କରୁଛନ୍ତି, ‘ସାର୍, ଆମେ ମୁକ୍ତ ବା ସ୍ୱଚ୍ଛ ହେବା ନା ସରକାର ଚଳେଇବା?’ ମୁକ୍ତ ଓ ସରକାର ଏକାଠି ଖାପ ଖାଉଥିବା ସମାର୍ଥବୋଧକ ଶବ୍ଦ ନୁହେଁ, ‘ମୁକ୍ତ ସରକାର’ ଏକ ମିଛ ଅବଧାରଣା। ସାଂପ୍ରତିକ ଗଣତନ୍ତ୍ରକୁ ନିରେଖିଲେ ଏହି ମନ୍ତବ୍ୟର ଯଥାର୍ଥତା ଅନୁଭବ କରିହେବ। ସରକାର କେମିତି ଚାଲେ, ସରକାର କେଉଁମାନେ ଚଲାନ୍ତି, ଲୋକଙ୍କ ସ୍ୱାର୍ଥରେ ପ୍ରକୃତରେ କେଉଁମାନେ ନିଷ୍ପତ୍ତି ନିଅନ୍ତି, ସରକାରୀ ଅର୍ଥ କେମିତି ଓ କେଉଁ ବାଟରେ ଖର୍ଚ୍ଚ ହୁଏ, ଖୋଦ୍ ଲୋକେ ଜାଣନ୍ତିନି। ଏଠି ‘ଗଣ’ ମାଟି କାମୁଡ଼ି ପଡ଼ିଛନ୍ତି ଆଉ ‘ତନ୍ତ୍ର’ କବଳିତ ବ୍ୟବସ୍ଥା ହିଁ ଚାଲିଛି। ‘ଗଣ’ ତାଙ୍କ ବାଟରେ, ତାଙ୍କ ଲୁହ ଓ ଲହୁକୁ ନେଇ ଆଉ ‘ତନ୍ତ୍ର’ ମସ୍ଗୁଲ ବିକାଶର ଗୀତ ଗାଇବାରେ। ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ‘ଗଣମାଧ୍ୟମ’ ମଧ୍ୟ ଆଉ ଗଣମାନଙ୍କର ଓ ଗଣମାନଙ୍କ ପାଇଁ ମାଧ୍ୟମ ହୋଇନାହିଁ। ଏହା ‘ତନ୍ତ୍ର’ କବଳିତ ମୁଖପତ୍ର ପାଲଟି ଯାଇଛି। ଏହାଠାରୁ ବଡ଼ ବିଡ଼ମ୍ବନା ଆଉ କ’ଣ ବା ହୋଇପାରେ?”
Comments are closed.