ଏନ୍‌ଡିଏ ବନାମ ‘ଇନ୍‌ଡିଆ’

ବିରୋଧୀ ମଜଭୁତ ରହିଲେ କୌଣସି କ୍ଷେତ୍ରରେ ଶାସକ ଦଳ ଏକଚାଟିଆ ନିଷ୍ପତ୍ତି ନେବାରୁ ନିବୃତ୍ତ ରହନ୍ତି।

ସବୁଥର ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡିକର ପ୍ରସ୍ତୁତି, ରଣକୌଶଳ ନିର୍ଦ୍ଧାରଣ, ଦଳଡିଆଁ, ଆସନ ବୁଝାମଣା ଏବଂ ଭୋଟରଙ୍କୁ ଆକୃଷ୍ଟ କରିବାକୁ ନାନା ଲୋଭନୀୟ ଯୋଜନାର ଇସ୍ତାହାରମାନ ଦେଖିବାକୁ ମିଳିଥାଏ। ଆଗକୁ ୨୦୨୪ରେ ଆସୁଛି ସାଧାରଣ ନିର୍ବାଚନ। ଦେଶ ସମ୍ପ୍ରତି ବିଭିନ୍ନ କ୍ଷେତ୍ରରେ ବିକାଶ ପଥରେ ଆଗକୁ ବଢ଼ୁଥିବାବେଳେ ଅନେକ ସମସ୍ୟା ରହିଛି, ଆଗକୁ ମଧ୍ୟ ରହିବ। ପାଖାପାଖି ୧୪୨ କୋଟି ଲୋକଙ୍କର ସବୁ ଅସୁବିଧା ଦୂର କରିବା କୌଣସି ସରକାରଙ୍କ ପକ୍ଷେ ସମ୍ଭବ ନୁହେଁ। ତାହା ସହିତ ଲୋକଙ୍କ ଆଶା ଆକାଂକ୍ଷା ବଢ଼ୁଛି, ଚାହିଦା ବଦଳୁଛି। ସେ ସବୁକୁ ଦୃଷ୍ଟିରେ ରଖି ଯୋଜନା କରାଯାଉଛି। ହେଲେ ଦେଶରେ ଏଭଳି ଅନେକ ଲୋକ ଅଛନ୍ତି, ଯେଉଁମାନେ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ- ଏ କଥା ଅସ୍ୱୀକାର କରାଯାଇପାରିବ ନାହିଁ। ଜାତି, ଧର୍ମ, ଅଞ୍ଚଳ ଭିତ୍ତିରେ ବିଭିନ୍ନ ଦାବି ଉଠୁଛି, ଭିନ୍ନ ଭିନ୍ନ ସମସ୍ୟାକୁ ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଉଛି। ହେଲେ କୌଣସି ବର୍ଗ, ଗୋଷ୍ଠୀଙ୍କ ଦାବି ସମସ୍ୟା ଅପେକ୍ଷା ସାମଗ୍ରିକ ଭାବରେ ଦେଶର ବିକାଶ କରିବା ଏବଂ ସମସ୍ତଙ୍କୁ ସମାନ ସୁବିଧା, ସୁଯୋଗ ପ୍ରଦାନ କରିବାର ସ୍ୱପ୍ନ ଏଯାଏ ସାକାର ହୋଇପାରିନାହିଁ। ସେଥିପାଇଁ ଅନେକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟିହେବା ସ୍ୱାଭାବିକ।

ପ୍ରତି ପାଞ୍ଚବର୍ଷରେ ଥରେ ସବୁ ରାଜନୈତିକ ଦଳର ଭାଗ୍ୟ ଭୋଟରଙ୍କ ଉପରେ ନିର୍ଭର କରେ। ସେମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରି ନିର୍ବାଚନୀ ରାଜନୀତିରେ ସଫଳ ହେବାକୁ ସବୁ ଦଳ ପ୍ରୟାସରତ। ଦେଶର ପ୍ରାୟ ୧୪୨ କୋଟି ଭୋଟରଙ୍କ ମଧ୍ୟରୁ ସମସ୍ତେ ଯେ ସଚେତନ ନୁହନ୍ତି, ସେ କଥା କୁହାଯାଇପାରିବ ନାହିଁ। ତେବେ ସଂଖ୍ୟାଗରିଷ୍ଠଙ୍କ ଭୋଟ ଯେ କୌଣସି ପ୍ରାର୍ଥୀଙ୍କୁ ଜିତାଇଥାଏ, ତେଣିକି ସେମାନେ ସଚେତନ ଥାଆନ୍ତୁ କି ନାହିଁ ସେଥିରେ କିଛି ଯାଏଆସେ ନାହିଁ। ଏଭଳି ପରିସ୍ଥିତିରେ ଏବେ ଶାସକ ଓ ବିରୋଧୀ ରାଜନୈତିକ ଦଳଗୁଡିକର ମେଣ୍ଟକୁ ସକ୍ରିୟ ଓ ସଶକ୍ତ କରାଯିବା ପ୍ରୟାସ ଆରମ୍ଭ ହୋଇଛି।

୨୦୧୪ରେ ଭାରତୀୟ ଜନତା ପାର୍ଟି ଦେଶରେ ଶାସନ କ୍ଷମତାକୁ ଆସିବା ପରେ ପରବର୍ତ୍ତୀ ସମୟରେ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ନିର୍ବାଚନରେ ବିଜୟୀ ହୋଇ ରାଜ୍ୟଗୁଡିକର କ୍ଷମତା ହାସଲ କରିଥିଲା। ଦେଶରେ ହାତଗଣତି କିଛି ରାଜ୍ୟକୁ ବାଦ୍‌‌ଦେଲେ ଅନ୍ୟତ୍ର ବିଜେପି ଅଥବା ବିଜେପିର ମେଣ୍ଟ ସରକାର ଚାଲିଛି। ସେବେଠାରୁ ଦେଶରେ କଂଗ୍ରେସ ଦୁର୍ବଳ ହୋଇଚାଲିଥିବାବେଳେ ହିମାଚଳପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଭଳି କିଛି ରାଜ୍ୟରେ ସରକାର ଗଢି ଏହା ନିଜର ଅଣ୍ଟା ସଳଖିଥିଲା। ପରବର୍ତ୍ତୀ ସମୟରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଦଳକୁ ମିଳିଥିବା ବିପୁଳ ବିଜୟ କଂଗ୍ରେସକୁ ବଳ ଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଅନୁରୂପ ଭାବରେ ଦିଲ୍ଲୀ ଓ ପଞ୍ଜାବରେ ଆମ୍‌‌ ଆଦ୍‌‌ମୀ ପାର୍ଟି, ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ, ବିହାରରେ ଆର୍‌‌ଜେଡି-ଜେଡିୟୁ ମେଣ୍ଟ ଏବଂ ଝାଡଖଣ୍ଡରେ ଜେଏମ୍‌‌ଏମ୍‌‌-କଂଗ୍ରେସ-ଆର୍‌‌ଜେଡି ମେଣ୍ଟ ସରକାର ରହିଛି।

ଏହି ଦଳଗୁଡିକ ବିଜେପିକୁ ବିରୋଧ କରିଆସୁଛନ୍ତି। ୨୦୨୪ ନିର୍ବାଚନରେ ବିଜେପିକୁ କଡା ଜବାବ ଦେବାକୁ ବିରୋଧୀ ରାଜନୈତିକ ଦଳଗୁଡିକର ଏକ ବୈଠକ ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇ ଏକ ବିରୋଧୀ ମେଣ୍ଟର ରୂପରେଖ ପ୍ରସ୍ତୁତ କରାଯାଇଛି। ଏଥିରେ ୨୬ଟି ରାଜନୈତିକ ଦଳ ଯୋଗଦେଇଥିବା ଜଣାଯାଇଛି। ତାହା ସହିତ ଏହି ମେଣ୍ଟର ନାମ ରଖାଯାଇଛି ଇନ୍‌‌ଡିଆ (ଇଣ୍ଡିଆନ୍‌‌ ନ୍ୟାସନାଲ ଡେମୋକ୍ରାଟିକ ଇନ୍‌‌କ୍ଲୁସିଭ ଆଲାଏନ୍ସ)। ବୈଠକରେ ୟୁପିଏର ସଦସ୍ୟ ରାଜନୈତିକ ଦଳଗୁଡିକ ବ୍ୟତୀତ ଅନ୍ୟ ଦଳର ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ। ବିରୋଧୀ ମେଣ୍ଟର ଏଭଳି ନାମକରଣ କରାଯିବା ପରେ ବିଜେପି ନେତୃବୃନ୍ଦ ସେମାନଙ୍କ ମୁହଁରେ କିଭଳି ‘ଇନ୍‌‌ଡିଆ’ ଶବ୍ଦକୁ ଧରି ବିରୋଧୀଙ୍କୁ ବିରୋଧ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟିକରିଛି। ଏପରିକି କିଛି ବିରୋଧୀ ଦଳ ନେତା ‘ଚକ୍‌‌ ଦେ ଇଣ୍ଡିଆ’ ସ୍ଲୋଗାନ ଦେଇ ସେମାନଙ୍କ ମେଣ୍ଟ ଆଗାମୀ ନିର୍ବାଚନରେ ବହୁମତ ହାସଲ କରିବାର ଦୃଢୋକ୍ତି ପ୍ରକାଶ କରିଛନ୍ତି।

କଂଗ୍ରେସ ଦଳ ଦେଶରେ ବଂଶବାଦ ରାଜନୀତିକୁ ପ୍ରୋତ୍ସାହିତ କରୁଥିବା ବିଜେପି ବାରମ୍ବାର ଅଭିଯୋଗ ଆଣୁଥିବାବେଳେ ଅଖିଳ ଭାରତ କଂଗ୍ରେସ କମିଟି ତାହାର ସଭାପତି ଭାବରେ ମଲ୍ଲିକାର୍ଜୁନ ଖଡ୍‌‌ଗେଙ୍କୁ ଅବସ୍ଥାପିତ କରି ସେହି ଧାରା ଭାଙ୍ଗିଛି। ତାହା ଛଡା କେଉଁ ରାଜନୈତିକ ଦଳର ନେତୃବୃନ୍ଦ ବଂଶବାଦ ରାଜନୀତି କରୁନାହାନ୍ତି ବୋଲି ଅନେକ ସଚେତନ ଭୋଟରଙ୍କ ମନରେ ପ୍ରଶ୍ନ ଉଠୁଛି। ବିରୋଧୀ ମେଣ୍ଟର ବେଙ୍ଗାଲୁରୁ ବୈଠକ ପରେ ବିଜେପି ନେତୃତ୍ୱରେ ଦିଲ୍ଲୀରେ ଏନ୍‌‌ଡିଏ (ନ୍ୟାସ୍‌‌ନାଲ ଡେମୋକ୍ରାଟିକ ଆଲାଏନ୍ସ) ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ଏଥିରେ ୩୮ ରାଜନୈତିକ ଦଳର ନେତୃବୃନ୍ଦ ଉପସ୍ଥିତ ଥିବା ଦାବି କରାଯାଇଛି। ସବୁ ରାଜନୈତିକ ଦଳ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନଥିଲେ ମଧ୍ୟ ଶିବସେନାର ଏକନାଥ ସିନ୍ଦେଙ୍କ ଗୋଷ୍ଠୀ, ଏନ୍‌‌ସିପିର ଅଜିତ ପୱାର ଗୋଷ୍ଠୀ, ଏଲ୍‌‌ଜେପିର ଚିରାଗ ପାଶ୍ୱାନ, କେ ପାଲାନିସ୍ୱାମୀ, ରାମଦାସ ଆଥୱାଲେ ପ୍ରମୁଖ ଏହି ବୈଠକରେ ସାମିଲ ଥିଲେ।

ଏହି ମେଣ୍ଟ ସମୟର କଷଟି ପଥରରେ ପରୀକ୍ଷିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତ ପୋଷଣ କରିଛନ୍ତି। ତାହା ସହିତ ରାଷ୍ଟ୍ରର ପ୍ରଗତି ରଥକୁ ଆଗେଇ ନେବା ଏବଂ ଆଞ୍ଚଳିକ ଆଶା ଆକାଂକ୍ଷାଗୁଡିକୁ ପୂରଣ କରିବାରେ ଏନ୍‌‌ଡିଏ ନିଜ ଉଦ୍ୟମକୁ ତ୍ୱରାନ୍ୱିତ କରିବ ବୋଲି କହିଛନ୍ତି। ଅବଶ୍ୟ ଏଭଳି ମେଣ୍ଟ ରାଜନୀତିରୁ ଓଡ଼ିଶାରେ ବିଜୁ ଜନତା ଦଳ ନିଜକୁ ଦୂରେଇ ରଖିଛି। ଦଳର ମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ ବିଜେଡି ଉଭୟ ମେଣ୍ଟ ଠାରୁ ସମ ଦୂରତା ବଜାୟ ରଖିଛି। ତାଙ୍କ କଥାର ମଧ୍ୟ ଯଥାର୍ଥତା ରହିଛି। ବିଗତ ଚାରିଟି ସାଧାରଣ ନିର୍ବାଚନରେ ବିପୁଳ ଜନମତ ହାସଲ କରିଆସିଥିବା ବିଜେଡି ପାଇଁ ସରକାର ଗଠନ କରିବା ଦିଗରେ କୌଣସି ବାଧ୍ୟବାଧକତା ନଥିବାରୁ ଏହା କାହା ସହିତ ମେଣ୍ଟ କରିବାକୁ ଇଚ୍ଛା ପ୍ରକାଶ କରୁନାହିଁ। ଅନେକ ରାଜନୈତିକ ବିଶ୍ଳେଷକ ଏବଂ ସଚେତନ ନାଗରିକଙ୍କ ମତ ଯେ ଏକକ ସଂଖ୍ୟାଗରିଷ୍ଠ ଦଳର ସରକାର ଗଠିତ ହେଲେ ଯେ କୌଣସି ବିକାଶମୂଳକ ନିଷ୍ପତ୍ତି ନେବା ସହଜ ହୁଏ ଏବଂ ତାହା କେନ୍ଦ୍ର ଓ ରାଜ୍ୟରେ ପରିଲକ୍ଷିତ ହେଉଛି। କାରଣ ସେଠାରେ ଅନ୍ୟ କୌଣସି ଦଳର ମତାମତ ନେବାର ଆବଶ୍ୟକତା ପଡ଼ିନଥାଏ। ଏ କଥା ମଧ୍ୟ ସତ୍ୟ ଯେ, ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିରୋଧୀ ରାଜନୈତିକ ଦଳଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିରୋଧୀ ମଜଭୁତ ରହିଲେ କୌଣସି କ୍ଷେତ୍ରରେ ଶାସକ ଦଳ ଏକଚାଟିଆ ନିଷ୍ପତ୍ତି ନେବାରୁ ନିବୃତ୍ତ ରହନ୍ତି, ଯାହା ପ୍ରକାରାନ୍ତରେ ରାଷ୍ଟ୍ର ପାଇଁ ମଙ୍ଗଳକାରୀ ସାବ୍ୟସ୍ତ ହୋଇଥାଏ। ଏସବୁ ସତ୍ତ୍ବେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁସ୍ଥ ରଖିବା ପାଇଁ ଭୋଟରମାନଙ୍କର ଗୁରୁ ଦାୟିତ୍ୱ ରହିଛି। ସେମାନେ ଜାଗ୍ରତ ହୋଇ ବ୍ୟକ୍ତି ବା ଗୋଷ୍ଠୀ ସ୍ୱାର୍ଥରୁ ଊର୍ଦ୍ଧ୍ବକୁ ଉଠିଲେ ରାଷ୍ଟ୍ର ଆଗକୁ ବଢ଼ିପାରିବ।

 

Comments are closed.