ହରଭଙ୍ଗା : ଆଷାଢ ଯାଇ ଶ୍ରାବଣ ପଶିଲାଣି। ମାତ୍ର ବର୍ଷାର ଦେଖାନାହିଁ। ବର୍ଷାର ଅଭାବ ଯୋଗୁଁ ଚାଷୀ ଜମିରେ ହଳ କରିପାରୁନି କି ଧାନବୁଣି ପାରୁନି। କେଉଁଠି କାଁ ଭାଁ ତଳି ପଡିଥିବାବେଳେ ବର୍ଷାଯୋଗୁଁ ଧାନ ତଳି ପୋଡିଗଲାଣି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଚଳିତବର୍ଷ ଜୁନମାସ ଶେଷସୁଦ୍ଧା ୨୩୩.୮୦ ମି.ମି ବର୍ଷା ବଦଳରେ ମାତ୍ର ୯୧.୪୦ ପ୍ରତିଶ୍ରତ ବର୍ଷା ହୋଇଥିବା ରେକର୍ଡରୁ ଜଣାପଡିଛି । ଏପରିକି ଜୁଲାଇ ୬ତାରିଖ ସୁଦ୍ଧା ମାତ୍ର ୨୧ ପ୍ରତିଶ୍ରତ ବର୍ଷା ହୋଇଛି। ଜୁନରେ ୬୧ ପ୍ରତିଶତ କମ୍ ବର୍ଷା ଯୋଗୁଁ ଚାଷୀ ଜମିରେ ବିହନ ବୁଣିବା ଏବଂ ତଳିପକା କାମ ସମ୍ପୂର୍ଣ୍ଣ ପଛେଇ ଯାଇଛି । ଜୁଲାଇ ମାସରେ ଧାର୍ଯ୍ୟ ପରିମାଣ ୪୧୮.୫୦ମି.ମି ବର୍ଷାରୁ କମ ବର୍ଷା ହେବାରୁ ବ୍ଲକରେ ଚାଷ ଉଜୁଡିଯିବାର ଯଥେଷ୍ଟ ସମ୍ଭାବନା ରହିଛି।
ସୂଚନା ଅନୁଯାୟୀ ବ୍ଲକରେ ଧାନଚାଷ ପାଇଁ ୧୫ହଜାର ୭୭୫ହେକ୍ଟର, ଅଣଧାନ ଚାଷ ପାଇଁ ୯ହଜାର ୭୮୫ହେକ୍ଟର ଚାଷ ଜମି ରହିଛି। ସେଥିରୁ ୧୮ହଜାର ୧୨୪ହେକ୍ଟର ଚାଷଜମିରେ ଜଳସେଚନ ପାଇଁ ସୁବିଧା ରହିଛିି। ବର୍ତ୍ତମାନସୁଦ୍ଧା ବ୍ଲକରେ ୧୦ ପ୍ରତିଶତ ଚାଷକାମ ଆଗେଇପାରିନଥିବା ଜଣାପଡିଛି। ଯାହା ଫଳରେ ବିସ୍ତୃତ ଚାଷ ଜମି ଏବେ ଗାଈ ,ଗୋରୁ,ଛେଳି, ମେଣ୍ଢାଙ୍କ ପାଇଁ ଚାରଣଭୂମି ପାଲଟିଛି । ଆସନ୍ତା ୭ଦିନ ମଧ୍ୟରେ ଭଲ ବର୍ଷା ନହେଲେ ଚାଷ ପଛେଇବା ସହିତ ଏକ ମରୁଡିର ଆଶଙ୍କା ସୃଷ୍ଟି ହେବା ଜଳ ଜଳ ହୋଇ ଦିଶୁଛି। ଏ ସର୍ମ୍ପକରେ ବ୍ଲକ କୃଷି ଅଧିକାରୀ ସବ୍ୟସାଚୀ ଦାସଙ୍କୁ ପଚାରିବାରୁ ତଳି ପକା କାର୍ଯ୍ୟ ବର୍ଷା ଅଭାବରୁ ପଛେଇ ଯାଇଛି। ଗତ ଗୁରୁବାର ବର୍ଷା ଯୋଗୁଁ ବିହନ ବିକ୍ରୀ ବୃଦ୍ଧି ପାଇବା ସହିତ ତଳି ପକା କାର୍ଯ୍ୟ ବୃଦ୍ଧି ପାଇଛି।ବର୍ତମାନ ସୁଦ୍ଧା ୨ଶହ ହେକ୍ଟର ଜମିରେ ତଳିପକା କାର୍ଯ୍ୟ ସରିଛି। ଜୁନରେ ଯେଉଁ ପରିମାଣରେ ବର୍ଷା ହେବା କଥା ତାଠାରୁ ୬୧ପ୍ରତିଶ୍ରତ କମ୍ ବର୍ଷା ଯୋଗୁଁ ଚାଷକାମ ୧୦ଦିନ ପଛେଇ ଯାଇଥିବା କହିଛନ୍ତି ।



