ଲାଞ୍ଜିଗଡ଼: ପବନ ସାଙ୍ଗକୁ ପ୍ରବଳ ବର୍ଷା ଯୋଗୁଁ ଲାଞ୍ଜିଗଡ଼ ବିଭିନ୍ନ ପଡ଼ାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପାଣି ଜମି ରହିବା ଯୋଗୁଁ ରୋଗୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।ଡାକ୍ତରଖାନା ଚାରି ପାର୍ଶ୍ଵରେ ପାଣି ଯୋଗୁଁ ରୋଗୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ଆଣିବାକୁ ପଡିଥିଲା। ଏହି ଦୃଶ୍ୟ ଏହି ବର୍ଷ ପ୍ରଥମ ଦେଖିବାକୁ ମିଳିଥିବା ବେଳେ ଏଭଳି ବର୍ଷ ବର୍ଷ ଧରି ଚାଲିଛି। ଏହାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ ପରେ ଡାକ୍ତରଖାନା ପରିଦର୍ଶନ ଆସି ମଧ୍ୟ ଆଜି ଯାଏଁ କୌଣସି ସୁଫଳ ମିଳୁନଥିବା ଲାଞ୍ଜିଗଡ଼ବାସୀ ପ୍ରକାଶ କରିଛନ୍ତି। ସେହିପରି ଲାଞ୍ଜିଗଡ଼ର ବଜାର ପଡା, ଡମ୍ବବିଶି ପଡା, ପୂଜାରୀ ପଡା, କଲୋନୀ ପଡା, ଯୁଗଳ କମ୍ପ୍ଲେକ୍ସ ଛକ ସହିତ ଲାଞ୍ଜିଗଡ ନୋଡାଲ ସ୍କୁଲ ଓ ଆରଆଇ ଅଫିସ ପରିସରରେ ପାଣି ପଶି ଯିବା ବେଳେ ବିଭିନ୍ନ ପଡାର ନଳକୂପ ପରିସରରେ ୨ ଫୁଟ ପାଣି ଜମି ରହିଥିବା ବେଳେ ଲୋକେ ନାହିଁନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଲାଞ୍ଜିଗଡ ସହରରେ ଡ୍ରେନେଜର ବ୍ୟବସ୍ଥା ନଥିବା ଯୋଗୁଁ ଏହି ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଲୋକେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଲାଞ୍ଜିଗଡବାସୀ ପ୍ରକାଶ କରିଛନ୍ତି।
Popular Categories



