ସମ୍ବଲପୁର: ସମ୍ବଲପୁରର ସର୍ବପୁରାତନ ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟୀର ବଂ ବଂ ବରାଡ ବାଲୁଙ୍କେଶ୍ୱର ଓ ଜଗତଜନନୀ ମାତା ପାର୍ବତୀଙ୍କର ଲୌକିକ ବିବାହ ପାଇଁ ସାକ୍ଷୀପଡ଼ା ସ୍ଥିତ ଭଗବାନ ବିଷ୍ଣୁଙ୍କ ଅନ୍ୟତମ ଅବତାର ଶ୍ରୀ ଶ୍ରୀ ସାକ୍ଷୀଗୋପିନାଥ ସାକ୍ଷୀ ରହିବାର ପରମ୍ପରା ଆରମ୍ଭରୁ ହିଁ ରହି ଆସିଛି। ଏଣୁ ବିବାହ ପୂର୍ବରୁ ଶ୍ରୀ ଶ୍ରୀ ସାକ୍ଷୀଗୋପିନାଥ ନନ୍ଦପଡ଼ାର ବାଲୁଙ୍କେଶ୍ୱର ମନ୍ଦିରରେ ଅବସ୍ଥାନ କରୁଥିବା ବେଳେ ମଙ୍ଗଳବାର ପବିତ୍ର ବାହୁଡା ରଥ ଯାତ୍ରାର ପୂର୍ବ ସନ୍ଧ୍ୟାରେ ଶ୍ରୀ ସତ୍ୟନାରାୟଣ ପୂଜାର ସମାପନ ହୋଇଛି। ପରମ୍ପରାନୁଯାୟୀ ଶ୍ରୀ ଗୁଣ୍ଡିଚା ଯାତ୍ରା (ରଥ ଯାତ୍ରା)ରୁ ବାହୁଡା ଯାତ୍ରା ମଧ୍ୟରେ ହିଁ ଶ୍ରୀ ସାକ୍ଷୀଗୋପିନାଥ ମନ୍ଦିରକୁ ପ୍ରତ୍ୟାବର୍ତ୍ତନର ରିତି ରହିଥିବାରୁ ବୁଧବାର ଅପରାହ୍ନରେ ବାହୁଡା ଯାତ୍ରା ଅବସରରେ ଶ୍ରୀ ଶ୍ରୀ ସାକ୍ଷୀଗୋପିନାଥ ତାଙ୍କର ସାକ୍ଷୀପଡ଼ା ସ୍ଥିତ ନିଜସ୍ୱ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଣୁ ଭବ୍ୟ ରୂପେ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇ ଶ୍ରୀ ଶ୍ରୀ ସାକ୍ଷୀଗୋପିନାଥ ଙ୍କୁ ନନ୍ଦପଡ଼ାରୁ ତାଙ୍କର ମନ୍ଦିରକୁ କମିଟୀ ସଦସ୍ୟ ଓ ପଡ଼ାବାସୀ ପାଛୋଟି ନେଇ ଯାଇ ପହୁଞ୍ଚାଇଛନ୍ତି।
ଏହ ରୀତିନୀତିର ସମାପନ ସହିତ ଚଳିତ ବର୍ଷର ଶୀତଳଷଷ୍ଠୀ ଯାତ୍ରା ଆନୁଷ୍ଠାନିକ ରୂପେ ସମ୍ପନ୍ନ ହୋଇଛି। ଦେବ ବିବାହ କାର୍ଯ୍ୟର ଆରମ୍ଭ ଠାରୁ ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ରିତିନିତି ଓ ପୁଜା କାର୍ଯ୍ୟରେ ଶ୍ରୀ ଶ୍ରୀ ସାକ୍ଷୀଗୋପିନାଥ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ସାକ୍ଷୀ ରହିଥାନ୍ତି। ଏହି ପରମ୍ପରା ଦେବ ବିବାହ ଉତ୍ସବ ଶୀତଳ ଷଷ୍ଠୀ ଆରମ୍ଭ ଦିନ ଠାରୁ ଚାଲି ଆସିଛି ଏବଂ ଏହି ନିତି କେବଳ ନନ୍ଦପଡ଼ା ଶୀତଳ ଷଷ୍ଠୀ ଯାତ୍ରାରେ ହିଁ ରହିଆସିଛି ବୋଲି ଆୟୋଜନ କମିଟୀ ସୂଚନା ପ୍ରଦାନ କରିଛି।



