www.samajalive.in
Friday, December 12, 2025
23.1 C
Bhubaneswar

ବିଦ୍ୟୁତ୍‌ ଦେୟ ନିୟମରେ ପରିବର୍ତ୍ତନ – ଉପଭୋକ୍ତା ଦେବେ ରାତିରେ ଅଧିକ, ଦିନରେ କମ୍‌

ଭୁବନେଶ୍ବର: କେନ୍ଦ୍ର ସରକାର ବିଦ୍ୟୁତ ଦେୟ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି। ବିଦ୍ୟୁତ ଉପଭୋକ୍ତା ଅଧିକାର ନିୟମକୁ ସଂଶୋଧନ କରାଯାଇଛି। ସଂଶୋଧିତ ନିୟମ ଅନୁଯାୟୀ ଭିନ୍ନ ଭିନ୍ନ ସମୟରେ ଅଲଗା ଅଲଗା ବିଦ୍ୟୁତ୍ ଦେୟ ଦେବାକୁ ହେବ। ଘରୋଇ ଉପଭୋକ୍ତାଙ୍କୁ ରାତିରେ ବିଦ୍ୟୁତ ବ୍ୟବହାର ପାଇଁ ଅଧିକ ଏବଂ ଦିନରେ କମ ଦେୟ ପଡିବ। କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ନୂଆ ବିଦ୍ୟୁତ୍‌ ଉପଭୋକ୍ତା ଅଧିକାର ନିୟମ- ୨୦୨୩ ନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ କୃଷି ବ୍ୟତୀତ ଅନ୍ୟ ସମସ୍ତ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ଏହି ନିୟମ କାର୍ୟ୍ୟକାରୀ ହେବ। ରାଜ୍ୟ ବିଦ୍ୟୁତ୍‌ ନିୟାମକ ଆୟୋଗ ଗୁଡ଼ିକ ଗୋଟିଏ ଦିନରେ ସୌର ଘଣ୍ଟା (ସୋଲାର ଆୱାର), ଅଧିକ ଚାହିଦା ଥିବା ସମୟ (ପିକ ଆୱାର) ଓ ସାଧାରଣ ସମୟ (ନର୍ମାଲ ଆୱାର) ଭଳି ତିନିଟି ଭାଗରେ ବିଭକ୍ତ କରିବେ। ଦିନ ସମୟରେ ସୂର୍ୟ୍ୟକିରଣ ଅଧିକ ରହୁଥିବା ସମୟ ଆଧାରରେ ସୋଲାର ଆୱାର ଧାର୍ୟ୍ୟ ହେବ। ସେହିପରି ଅଧିକ ବିଜୁଳି ବ୍ୟବହାର ହେଉଥିବା ସମୟ ଆଧାରରେ ପିକ୍‌ ଆୱାର ନିର୍ଦ୍ଧାରଣ ହେବ। ପିକ୍‌ ଆୱାର ଅବଧି ସୋଲାର ଆୱାରଠାରୁ ଅଧିକ ହୋଇପାରିବ ନାହିଁ। ବାଣିଜ୍ୟିକ ଓ ଶିଳ୍ପାଞ୍ଚଳ ଗ୍ରାହକଙ୍କୁ ପିକ୍‌ ଆୱାରରେ ସାଧାରଣ ଦେୟ ତୁଳନାରେ ୨୦ ପ୍ରତିଶତ ଅଧିକ ଦେୟ ଦେବାକୁ ଥିବାବେଳେ ଘରୋଇ ଉପଭୋକ୍ତା ୧୦ ପ୍ରତିଶତ ଅଧିକ ଦେୟ ଦେବେ। କିନ୍ତୁ ସୋଲାର ଆୱାରରେ ବ୍ୟବହାର କରୁଥିବା ବିଜୁଳି ପାଇଁ ସବୁ ପ୍ରକାର ଉପଭୋକ୍ତା ୨୦ ପ୍ରତିଶତ କମ୍‌ ଦେୟ ଦେବେ। ୧୦ କିଲୋୱାଟ୍‌ରୁ ଅଧିକ ବିଜୁଳି ବ୍ୟବହାର କରୁଥିବା ବାଣିଜ୍ୟିକ ଓ ଶିଳ୍ପାଞ୍ଚଳ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ୨୦୨୪ ଏପ୍ରିଲ ପହିଲାରୁ ଏହି ଦେୟ ବ୍ୟବସ୍ଥା ଲାଗୁ ହେବ। ୨୦୨୫ ମସିହା ଏପ୍ରିଲ ପହିଲାରୁ କୃଷି ବ୍ୟତୀତ ଅନ୍ୟ ସମସ୍ତ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ଏହି ନିୟମ କାର୍ୟ୍ୟକାରୀ ହେବ। ଏହି ଦେୟ ବ୍ୟବସ୍ଥା ଉପରେ ସାଧାରଣ ବିଦ୍ୟୁତ୍‌ ଉପଭୋକ୍ତା ବିଶେଷ କିଛି ଜାଣି ନ ଥିବାବେଳେ ପିକ ଆୱାରରେ ଅଧିକ ବିଜୁଳି ଦେୟ ପଡ଼ିବାର ଆଶଙ୍କା କରିଛନ୍ତି। ଅନ୍ୟପକ୍ଷରେ ସଚେତନତା ଏବଂ ଏହି ଦେୟ ବ୍ୟବସ୍ଥାର ପ୍ରଭାବୀ ଉପଯୋଗ ଦ୍ୱାରା ଉପଭୋକ୍ତାମାନେ ସେମାନଙ୍କର ବିଦ୍ୟୁତ ବିଲ୍‌ ହ୍ରାସ କରିପାରିବେ। ସୌର ଶକ୍ତି ଶସ୍ତା ହୋଇଥିବାରୁ ସୌର ଘଣ୍ଟା ସମୟରେ ଶୁଳ୍କ କମ୍‌ ରହିବ। ସେହିପରି ଅଣ ସୌର ଘଣ୍ଟା ସମୟରେ ତାପଜ ଓ ଜଳ ବିଦ୍ୟୁତ ଶକ୍ତି ସହିତ ବାଷ୍ପ ଆଧାରିତ କ୍ଷମତା ଉପଯୋଗ ହେବ। ଏହାର ଦାମ୍‌ ସୌର ଶକ୍ତି ଠାରୁ ଅଧିକ ହୋଇଥିବାରୁ ଦେୟ ଅଧିକ ଦେବାକୁ ପଡ଼ିବ ବୋଲି ଦର୍ଶାଯାଇଛି। ଏହା ଅକ୍ଷୟ ଶକ୍ତି ଉତ୍ପାଦନରେ ସୁଧାର ଆଣିବ। ଅଧିକ ଅକ୍ଷୟ ଶକ୍ତି ଉତ୍ପାଦନ ସମୟରେ ଚାହିଦା ବୃଦ୍ଧିକୁ ପ୍ରୋତ୍ସାହନ ଦେବା ସହ ଅଧିକ ପରିମାଣର ଅକ୍ଷୟ ଶକ୍ତିର ଗ୍ରୀଡ୍‌ ଏକୀକରଣକୁ ବଢ଼ାଇବ ବୋଲି କୁହାଯାଇଛିି।

Hot this week

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

Related Articles

Popular Categories