ଡେସ୍କ: ଦେଶରେ ବିଭିନ୍ନ ଜେଲରେ ବିଚାରାଧୀନ ବନ୍ଦୀଙ୍କ ଆତ୍ମହତ୍ୟା ଘଟଣାକୁ ଅତ୍ୟନ୍ତ ଗଂଭୀରତାର ସହ ବିଚାର କରୁଛନ୍ତି ରାଷ୍ଟ୍ରୀୟ ମାନବାଧିକାର ଆୟୋଗ। ଏ ନେଇ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଆୟୋଗ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ବିଶେଷ ଭାବେ ବିଚାରାଧୀନ ବନ୍ଦୀ ଭାବେ ଜେଲରେ ରହୁଥିବା କଏଦୀମାନେ ଯେଭଳି ନିଜ ପ୍ରତି କୌଣସି ଆଘାତ ନ କରିପାରିବେ, ସେ ନେଇ କେତେକ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି।
ଜେଲରେ ଘଟୁଥିବା ଅନେକଗୁଡ଼ିଏ ମୃତ୍ୟୁ ମଧ୍ୟରୁ ଅଧିକାଂଶ ଆତ୍ମହତ୍ୟା ବୋଲି ଆୟୋଗ ନିଶ୍ଚିତ ହୋଇଛନ୍ତି। ଆୟୋଗ ନିର୍ଦ୍ଦେଶାବଳୀରେ କହିଛନ୍ତି ଯେ, ଜେଲ କର୍ତୃପକ୍ଷ ବନ୍ଦୀ ରହୁଥିବା ବ୍ୟାରାକ ଏବଂ ପାଇଖାନା ଓ ଗାଧୁଆ ଘରେ କୌଣସି ଏଭଳି ବସ୍ତୁ ବା ବ୍ୟବସ୍ଥା ରଖିବେ ନାହିଁ ଯାହା ଫଳରେ ଜଣେ ତାହାର ବ୍ୟବହାର କରି ଆତ୍ମହତ୍ୟା କରିବାର ସୁଯୋଗ ପାଇବ। ଏହାଛଡା ଜେଲ ଅନ୍ତେବାସୀଙ୍କୁ ଦିଆଯାଉଥିବା ବେଡ଼ସିଟ ଓ କମ୍ବଳ ନିୟମିତ ଯାଞ୍ଚ କରିବା ସହ ସେଗୁଡିକୁ ଯେଭଳି ଦୌଡ଼ି ଭଳି କରାନଯାଏ ତାହା ପ୍ରତି ମଧ୍ୟ ଲକ୍ଷ ରଖିବାକୁ କୁହାଯାଇଛି। ଅନ୍ୟପକ୍ଷରେ ଜେଲରେ ଖାଲି ପଡିଥିବା ପଦବୀ, ବିଶେଷ କରି ପ୍ରିଜନ ୱେଲଫେୟାର ଅଫିସର, ପ୍ରୋବେସନ ଅଫିସର, ସାଇକୋଲୋଜିଷ୍ଟ ଏବଂ ମେଡିକାଲ ଅଧିକାରୀ ପଦବୀ ଶୀଘ୍ର ପୁରାଣ କରିବା ଉପରେ ଆୟୋଗ ଗୁରୁତ୍ୱ ପ୍ରଦାନ କରିଛନ୍ତି।
ଏ ନେଇ ଆୟୋଗ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, କେନ୍ଦ୍ରଶାସିତ ଅଂଚଳର ପ୍ରଶାସକ, ଗୃହ ମନ୍ତ୍ରାଳୟ ଓ ସମସ୍ତ ଜେଲ ମହାନିର୍ଦ୍ଦେଶକମାନଙ୍କ ନିକଟକୁ ପତ୍ର ଲେଖିଛନ୍ତି। ଆସନ୍ତା ୩ ମାସ ମଧ୍ୟରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ରିପୋର୍ଟ ଦେବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।



