ତିଗିରିଆ: ତିଗିରିଆ ଗଡ଼ଜାତର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ପ୍ରସନ୍ନମଣିଙ୍କ ପୀଠର ପବିତ୍ର ଘୋଷ ଯାତ୍ରା ଗତକାଲି ଠାରୁ ଆରମ୍ଭ ହୋଇଛି। ବୁଧବାର ଅପରାହ୍ନ ୪ଟାରେ ରଥ ଟଣା ଆରମ୍ଭ ହୋଇଥିଲା। ଥାନା ଛକ ନିକଟସ୍ଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ତିନି ରଥ ଯାତ୍ରା କରିଥିଲେ। ତିଗିରିଆ ସମେତ ଆଖପାଖ ଅଞ୍ଚଳର ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ହରିବୋଲ ହୁଳହୁଳି ସହିତ ଜୟ ଜଗନ୍ନାଥ ଧ୍ବନି ଦେଇ ଭକ୍ତି ଓ ଶ୍ରଦ୍ଧାର ସହିତ ରଥ ଟାଣିଥିଲେ। ଗୁଣ୍ଡିଚା ଯାତ୍ରା ସମୟରେ ବଡ଼ କୂଅ ନିକଟସ୍ଥ କିଶୋରୀମୋହନ ଦେବଙ୍କ ମନ୍ଦିର ଠାରେ ତିନି ରଥ ଅଟକି ଥିଲେ। ପୀଠ ପରମ୍ପରା ଅନୁଯାୟୀ ସେଠାରେ ବଳଗଣ୍ଡି ପୂଜା ଅନୁଷ୍ଠିତ ହୋଇଥିଲା। ଠାକୁରଙ୍କୁ ପୋଡ଼ ପିଠା ସହିତ ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ କରାଯାଇଥିଲ। ଏହା ପରେ ପୁନର୍ବାର ରଥ ଟଣା ଆରମ୍ଭ ହୋଇଥିଲା। ସନ୍ଧ୍ୟା ୭ଟାରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା। ପ୍ରସନ୍ନଣିଙ୍କ ଏହି ଗୁଣ୍ଡିଚା ଯାତ୍ରାରେ ମନ୍ଦିର ପୂଜକ ଓ ସେବାୟତଙ୍କ ସହିତ ମନ୍ଦିର ପରିଚାଳନା ଟ୍ରଷ୍ଟ ସଭାପତି ତହସିଲଦାର ପ୍ରମୋଦ କୁମାର ବାସ୍କେ, ଟ୍ରଷ୍ଟୀ ଲଳିତକୃଷ୍ଣ ଦାସ ପ୍ରମୁଖ ଉପସ୍ଥିତ ରହି ଯାତ୍ରା ପରିଚାଳନା କରିଥିଲେ।
Popular Categories



