ଡେସ୍କ: କେନ୍ଦ୍ର ସରକାର ଦେଶରେ ଥିବା ଏକହଜାର ୫୧୪ଟି ସହରାଞ୍ଚଳ କୋ-ଅପରେଟିଭ ବ୍ୟାଙ୍କକୁ ସୁଦୃଢ଼ କରିବା ଲାଗି ୪ଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସମ୍ପର୍କରେ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ‘ସହକାର ସେ ସମୃଦ୍ଧି’କୁ ସଠିକ ରୂପ ଦେବାଲାଗି ଗୃହମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶଙ୍କ ମଧ୍ୟରେ ଆଲୋଚନା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପଦକ୍ଷେପରେ କୋ-ଅପରେଟିଭ୍ ବ୍ୟାଙ୍କ ଗୁଡ଼ିକୁ ନୂତନ ଶାଖା ଖୋଲିବା ଲାଗି ଅନୁମତି ପ୍ରଦାନ କରିବା, ବାଣିଜ୍ୟିକ ବ୍ୟାଙ୍କ ଭଳି ସୁବିଧା ପ୍ରଦାନ କରିବା, ଋଣ ପ୍ରଦାନ ଲକ୍ଷ୍ୟ ପୂରଣ ଲାଗି ଅତିରିକ୍ତ ଦୁଇବର୍ଷ ସମୟସୀମା ଦେବା ଏବଂ ରିଜର୍ଭ ବ୍ୟାଙ୍କରେ ଜଣେ ଲେଖାଏଁ ନୋଡାଲ ଅଫିସର ନିଯୁକ୍ତ କରିବା ବିଷୟ ରହିଛି।
ସହକାରୀତା ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇଛି, କୋ-ଅପରେଟିଭ୍ ବ୍ୟାଙ୍କ ଗୁଡ଼ିକ ରିଜର୍ଭ ବ୍ୟାଙ୍କର ଅନୁମତି ବିନା ପ୍ରତ୍ୟେକ ବର୍ଷ ୧୦ ପ୍ରତିଶତ ନୂଆ ଶାଖା ଖୋଲିପାରିବ। ଏଥିପାଇଁ ନିଜସ୍ୱ ବୋର୍ଡଠାରୁ ଅନୁମତି ନେବାକୁ ପଡ଼ିବ। ମନ୍ତ୍ରଣାଳୟ କହିଛି ଏହାପରେ କୋ-ଅପରେଟିଭ୍ ବ୍ୟାଙ୍କ ଗୁଡ଼ିକ ବୋର୍ଡଠାରୁ ଅନୁମତି ପାଇବା ପରେ ଋଣ ଛାଡ ଏବଂ ସମାଧାନ ପ୍ରକ୍ରିୟା ତ୍ୱରାନ୍ୱିତ କରିପାରିବେ। ଅନ୍ୟପକ୍ଷରେ ଋଣ ପ୍ରଦାନ ସମୟସୀମା ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି।



