ବିଶ୍ୱ ପରିବେଶ ଦିବସ ପାଳିତ
ଗଞ୍ଜାମ : ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ବ୍ରହ୍ମପୁର ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଗଞ୍ଜାମର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଦିଗଦର୍ଶନ ୟୁଥକ୍ଳବ ଆନୁକୂଲ୍ୟରେ ସହର ସ୍ଥିତ ରଘୁନାଥ ସାହି ଏସଏମ ଶିକ୍ଷାନୁଷ୍ଟାନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। କ୍ଳବର ସମ୍ପାଦିକା ବିଜୟଲକ୍ଷ୍ମୀ ମହାଙ୍କୁଡ଼ଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିବା ଲହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଵିଜ୍ଞପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ପରିବେଶର ସୁରକ୍ଷା ନେଇ ବୃକ୍ଷ ଚାରା ରୋପଣର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଶିକ୍ଷାନୁଷ୍ଠାନର ପରିଚାଳକ ତଥା ଗଞ୍ଜାମ ପ୍ରେସ କ୍ଳବର ସଭାପତି ଶବର କୁମାର ତରାଇ ମୁଖ୍ୟଵକ୍ତା, ସଂମ୍ମାନିତ ଅତିଥି ସମ୍ବାଦିକ ସଙ୍ଘର ସମ୍ପାଦକ ବିଦ୍ୟାଧର ସାହୁ ପ୍ରମୁଖ ଯୋଗଦେଇ ପରିବେଶକୁ ସବୁଜ ସୁନ୍ଦର ଭାବେ ଗଢି ତୋଳିବା ନେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ। ୟୁଥ କ୍ଳବ ସଭାପତି ଉମାକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା ନେଇ ଚାରା ରୋପଣ କରି ତାର ଯତ୍ନ ନେବାକୁ ଶପଥ ପାଠ କରାଯାଇଥିଲା।
ଏହି ଅବସରରେ ପରିବେଶ ସୁରକ୍ଷା ସମ୍ପର୍କିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ସାଇଶ୍ରୀ ବେହେରା ପ୍ରଥମ, ଆଲିଶା ପଲାଇ ଦ୍ୱିତୀୟ, ଗୋପାଳ କୃଷ୍ଣ ଚୌଧୁରୀ ତୃତୀୟ ଓ ବକୃତା ପ୍ରତିଯୋଗିତାରେ ଆଶିଷ କୁମାର ପାଢ଼ୀଙ୍କୁ ଚାରା ଉପହାର ପୂର୍ବକ ସମ୍ମାନିତ କରାଯାଇଥିଲା। ସେହିପରି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଗଞ୍ଜାମ କଲେଜ ଟପ୍ପର ତଥା ଏସଏମ ଟିଉଟୋରିଆଲ ଛାତ୍ର ଅଲେଖ ମାଳିଙ୍କୁ ସମ୍ମାନିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୁବନେତା କୃଷ୍ଣଚନ୍ଦ୍ର ପ୍ରାଧାନ ଓ ସମାଜସେବୀ ପ୍ରଦୀପ କୁମାର ପଣ୍ଡା ଉପସ୍ଥିତ ଥିଲେ। ଉପସଭାପତି ରାକେଶ କୁମାର ନାୟକ, ରୁପାଲୀ ପ୍ରଧାନ ସୁଦର୍ଶନ ପାଢ଼ୀ ପ୍ରମୁଖଙ୍କ ସହ ଦିଗଦର୍ଶନ କର୍ମକର୍ତ୍ତା ଓ ସଦସ୍ୟ-ସଦସ୍ୟା କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ୬୨ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
Comments are closed.