www.samajalive.in
Wednesday, December 10, 2025
23.1 C
Bhubaneswar

ଫାଇନାଲ ସ୍ଥାନ ପାଇଁ ଗୁଜରାଟ-ମୁମ୍ବଇ ଲଢ଼େଇ ଆଜି

ଅହମ୍ମଦାବାଦ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଟୁର୍ଣ୍ଣାମେଣ୍ଟରେ ୭୨ଟି ମ୍ୟାଚ୍‌ ଖେଳାଯାଇଛି। ଶେଷ ୨ଟି ମ୍ୟାଚ୍‌ ବାକିଅଛି। ଶୁକ୍ରବାର ବିଶ୍ବର ଏହି ସର୍ବବୃହତ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଗତବର୍ଷର ଚମ୍ପିଆନ୍ ଗୁଜରାଟ ଟାଇଟାନ୍‌ସ ଓ ସର୍ବାଧିକ ୫ ଥର ଚମ୍ପିଆନ୍ ହୋଇଥିବା ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ କ୍ବାଲିଫାୟର-୨ ମ୍ୟାଚ୍‌ ଖେଳାଯିବ। ମଙ୍ଗଳବାର ପ୍ରଥମ କ୍ବାଲିଫାୟରରେ ଚେନ୍ନଇ ସୁପର କିଙ୍ଗ୍‌ସଠାରୁ ପରାସ୍ତ ହୋଇଥିବା ଗୁଜରାଟ ଟାଇଟାନ୍‌ସ ପାଖରେ ‌ଫାଇନାଲ ଖେଳିବାର ୨ୟ ସୁଯୋଗ ରହିଛି। ଅନ୍ୟପକ୍ଷରେ ଲିଗ୍‌ ପର୍ଯ୍ୟାୟରେ ୪ର୍ଥ ସ୍ଥାନରେ ରହି ବହୁ କଷ୍ଟରେ ପ୍ଲେଅଫ୍‌ରେ ପହଞ୍ଚିଥିବା ମୁମ୍ବଇ ଇଣ୍ଡିଆନ୍‌ସ ଏଲିମିନେଟର ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସକୁ ୮୧ ରନ୍‌ର ବଡ଼ ବ୍ୟବଧାନରେ ପରାସ୍ତକରି କ୍ବାଲିଫାୟର-୨ରେ ପହଞ୍ଚିଛି। ତେଣୁ ଫର୍ମକୁ ଦେଖିବାକୁ ଗଲେ ମୁମ୍ବଇ ଆଗରେ ରହିଛି। ମୁମ୍ବଇ ତା’ର ଶେଷ ୪ଟି ମ୍ୟାଚ୍‌ରୁ ୩ଟି ଜିତିଛି। ଚଳିତ ସଂସ୍କରଣରେ ଗୁଜରାଟ ୧୫ଟି ମ୍ୟାଚ୍‌ ଖେଳି ୧୦ଟି ଜିତିଛି। ମୁମ୍ବଇ ୧୫ ମ୍ୟାଚ୍‌ରୁ ୮ଟି ଜିତିଛି।
ଆଇପିଏଲ୍‌ ଇତିହାସରେ ପ୍ରଥମଥର ଗୁଜରାଟ ଟାଇଟାନ୍‌ସ ଚାପ ଅନୁଭବ କରିଛି। ଲିଗ୍‌ ପର୍ଯ୍ୟାୟର ଶ୍ରେଷ୍ଠ ଦଳ ଗୁଜରାଟ ପ୍ରଥମ କ୍ବାଲିଫାୟରରେ ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିଥିଲା। ଗୁଜରାଟ ସମସ୍ତ ବିଭାଗରେ ଶକ୍ତିଶାଳୀ ରହିଛି। ଶ୍ରେଷ୍ଠ ଓପ୍‌ନିଂ ବ୍ୟାଟର ଶୁବ୍‌ମାନ ଗିଲ୍‌ ଓ ଶ୍ରେଷ୍ଠ ଓପ୍‌ନିଂ ବୋଲର ମହମ୍ମଦ ସାମି ଗୁଜରାଟ ଦଳର। ମୋହିତ ଶର୍ମା ନିୟମିତ ଭାବେ ଭଲ ବୋଲିଂ କରୁଛନ୍ତି। ଗିଲ୍‌ଙ୍କୁ ରୋକିବା ମୁମ୍ବଇ ପାଇଁ ଆହ୍ବାନ ହୋଇପାରେ। କ୍ବାଲିଫାୟର-୧ରେ ଗୁଜରାଟର ବ୍ୟାଟିଂ ବିଫଳ ହୋଇଥିଲେ ହେଁ ଗିଲ୍‌ ସର୍ବାଧିକ ୪୨ ରନ୍‌ କରିଥିଲେ। ୧୫ଟି ମ୍ୟାଚ୍‌ରୁ ଗିଲ୍‌ ୨ଟି ଶତକ ଓ ୪ଟି ଅର୍ଦ୍ଧଶତକ ସହ ୨ୟ ସର୍ବାଧିକ ୭୨୨ ରନ୍‌ କରିଛନ୍ତି। ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ସ୍ପିନର ରସିଦ୍‌ ଖାଁ ମଧ୍ୟ ଗୁଜରାଟ ଦଳରେ ଅଛନ୍ତି। ସାମି ଓ ରସିଦ୍‌ଙ୍କ ପ୍ରଦର୍ଶନ ମ୍ୟାଚ୍‌ର ଫଳାଫଳ ନିର୍ଦ୍ଧାରଣ କରିପାରେ। ଫିନିସର ଭାବେ ଡେଭିଡ୍‌ ମିଲରଙ୍କୁ ଦାୟିତ୍ବବାନ ହେବାକୁ ପଡ଼ିବ। ତେବେ ଗୁଜରାଟର ମଧ୍ୟକ୍ରମ ଗତ କିଛି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରି ପାରିନାହାନ୍ତି। ମିଲରଙ୍କ ସହ ହାର୍ଦିକ ଓ ବିଜୟ ଶଙ୍କରଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ସାଇ ସୁଦର୍ଶନ ଓ ଅଭିନବ ମନୋହରଙ୍କ ମଧ୍ୟରୁ ଜଣେ ଖେଳିବେ। ଅଦ୍ୟାବଧି ଆଇପିଏଲ୍‌ରେ ମୁମ୍ବଇ ଓ ଗୁଜରାଟ ମଧ୍ୟରେ ୪ ଥର ମୁକାବିଲା ହୋଇଛି। ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି। ଚଳିତ ସଂସ୍କରଣରେ ଉଭୟ ଦଳ ୨ଟି ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ। ଅହମ୍ମଦାବାଦରେ ପ୍ରଥମ ମୁକାବିଲାରେ ଗିଲ୍‌ ଓ ମିଲରଙ୍କ ଚମତ୍କାର ଇନିଂସ ବଳରେ ଗୁଜରାଟ ୨ ଶହରୁ ଅଧିକ ରନ୍‌ କରିଥିଲେ। ପରେ ଦୁଇ ଆଫ୍‌ଗାନ ସ୍ପିନର ନୁର ଅହମ୍ମଦ ଓ ରସିଦ୍‌ ଖାଁ ମିଳିତ ଭାବେ ୫ଟି ୱିକେଟ ନେବାରୁ ମୁମ୍ବଇ ୫୫ ରନ୍‌ରେ ପରାସ୍ତ ହୋଇଥିଲା। ମେ’ ୧୨ରେ ଉଭୟ ଦଳଙ୍କ ମଧ୍ୟରେ ୨ୟ ମୁକାବିଲା ହୋଇଥିଲା। ଏଥିରେ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅପରାଜିତ ଶତକ ବଳରେ ମୁମ୍ବଇ ୨୧୮ ରନ୍‌ କରିଥିଲା। ପ​‌େ​‌ର ଆକାଶ ମଧୱାଲଙ୍କ ବୋଲିଂ ସଫଳତା ବଳରେ ମୁମ୍ବଇ ୨୭ ରନ୍‌ରେ ଜିତିଥିଲା। ଚାରିଆଡ଼େ ଏବେ ମଧୱାଲଙ୍କ ଚର୍ଚ୍ଚା। ଏଲିମିନେଟର ମ୍ୟାଚ୍‌ରେ ଲକ୍ଷ୍ନୌ ବିପକ୍ଷରେ ୩.୩ ଓଭରରେ ମାତ୍ର ୫ ରନ୍‌ ଦେଇ ୫ଟି ୱିକେଟ ନେଇ ଆକାଶ ମଧୱାଲ ହିରୋ ସାଜିଛନ୍ତି। ଶୁକ୍ରବାରର ମ୍ୟାଚ୍‌ରେ ମଧୱାଲଙ୍କ ପ୍ରତି ଗୁଜରାଟ ବ୍ୟାଟ୍‌ସମ୍ୟାନଙ୍କୁ ସତର୍କ ରହିବାକୁ ପଡ଼ିବ। ଦାସୁନ ଶନକଙ୍କ ସ୍ଥାନରେ ଗୁଜରାଟ ଦଳ ପେସ୍‌ ​‌େ​ବାଲର ଜୋସୁଆ ଲିଟ୍‌ଲଙ୍କୁ ଖେଳାଇପାରେ। ବର୍ତ୍ତମାନର ଫର୍ମରେ ମୁମ୍ବଇକୁ ଫେଭରିଟ୍‌ ଭାବେ ଗଣନା କରାଯାଇଛି।
ମୁମ୍ବଇର ଶକ୍ତି ହେଲା ଏହାର ବିସ୍ଫୋରକ ବ୍ୟାଟ୍‌ସମ୍ୟାନ। କାମେରନ୍ ଗ୍ରୀନ୍ ଶେଷ ଲିଗ୍‌ ମ୍ୟାଚ୍‌ରେଅପରାଜିତ ଶତକ ମାରିବା ପରେ ଗତ ମ୍ୟାଚ୍‌ରେ ଦଳ ପାଇଁ ସର୍ବାଧିକ ରନ୍‌ କରିଥିଲେ। ଅଧିନାୟକ ରୋହିତ ଶର୍ମା ଓ ଈଶାନ୍ କିଷନ୍ ଆରମ୍ଭରୁ ଦ୍ରୁତଗତିରେ ସ୍କୋର୍ କରିପାରନ୍ତି। ତେବେ ଗୁଜରାଟ ପାଇଁ ଚିନ୍ତାର କାରଣ ହେଲେ ସୂର୍ଯ୍ୟକୁମାର ଯାଦବ। ସୂର୍ଯ୍ୟ ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ ସହ ୫୪୪ ରନ୍‌ କରିଛନ୍ତି। ତାଙ୍କ ଷ୍ଟ୍ରାଇକ୍‌ରେଟ୍‌ ୧୮୩.୭୮। ଟିମ୍ ଡେଭିଡ୍‌ ଫିନିସର ଭାବେ ରହିଛନ୍ତି। ନେହଲ ୱଧେରା ଭଲ ବ୍ୟାଟିଂ କରୁଛନ୍ତି। ଭେଟେରାନ୍ ଲେଗ୍‌ସ୍ପିନର ପୀୟୁଷ ଚାୱଲା ୨୨ଟି ୱିକେଟ ନେଇଛନ୍ତି। ଆକାଶ ମଧୱାଲଙ୍କଠାରୁ ମୁମ୍ବଇ ଭଲ ବୋଲିଂର ଆଶାରଖିଛି। ଅହମ୍ମଦାବାଦର ପିଚ୍‌ ବ୍ୟାଟିଂ ସହାୟକ। ତେଣୁ ମ୍ୟାଚ୍‌ରେ ଅଧିକ ରନ୍‌ ହୋଇପାରେ। ଉଭୟ ଦଳ ୯ଟି ମ୍ୟାଚ୍‌ରେ ରନ୍‌ର ପିଛାକରି ୬ଟି ଲେଖାଏଁ ଜିତିଛନ୍ତି। ତେଣୁ ଏଥର ମଧ୍ୟ ଟସ୍‌ ଜିତି ଉଭୟ ଦଳ ଫିଲ୍‌ଡିଂ ନିଷ୍ପତ୍ତି ନେଇପାରନ୍ତି।

Hot this week

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

Related Articles

Popular Categories