www.samajalive.in
Monday, December 15, 2025
27.1 C
Bhubaneswar

ପିପଳ ନଳା ଜଳସେଚନ ପ୍ରକଳ୍ପର ଉନ୍ନତି ଓ ପର୍ଯ୍ୟଟନର ବିକାଶ, ମା’ ମାଣିକେଶ୍ବରୀଙ୍କ ମନ୍ଦିରର ପୁନର୍ବିକାଶ ପାଇଁ ନିର୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି କଳାହାଣ୍ଡି ଗସ୍ତର ଦ୍ବିତୀୟ ଦିନରେ ଅନେକ ପ୍ରକଳ୍ପ ପରିଦର୍ଶନ କରି ତାର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଛନ୍ତି। ପ୍ରଥମେ ସେ ପିପଳ ନଳା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ସେଠାରେ ଏହାର ଉନ୍ନତି ପାଇଁ ସ୍ଥାନୀୟ ଲୋକ ଓ ବିଭାଗୀୟ ଇଂଜିନିଅର ମାନଙ୍କ ସହ ଆଲୋଚନା କରିଥିଲେ। ପିପଳ ନଳାର ଜଳସେଚନ କ୍ଷମତାର ବୃଦ୍ଧି ତଥା ଏଠାରେ ଏକ ପର୍ଯ୍ୟଟନ ବିକାଶ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସେ ନିଷ୍ପତ୍ତି ନେଇଥିଲେ। ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଏକ ମାସ ମଧ୍ୟରେ ପ୍ରସ୍ତୁତ କରି ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଏହାପରେ ସେ ଥୁଆମୁଳ-ରାମପୁର ଯାଇ ସେଠାରେ ସାଧାରଣ ଲୋକ ଓ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ସେଠାରେ ଏକ ଯୁକ୍ତ-୩ ଡିଗ୍ରୀ କଲେଜ ସ୍ଥାପନ କରାଯିବ ବୋଲି ଘୋଷଣା କରିଥିଲେ। ଏହାଦ୍ବାରା ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ବିକାଶ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ। ଭଟଙ୍ଗପଦର ହାଇସ୍କୁଲ ପଡିଆରେ ସେ ସ୍ଥାନୀୟ ଛାତ୍ରଛାତ୍ରୀ ଓ ମିଶନ ଶକ୍ତି ଗୋଷ୍ଠୀର ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ବୁଝିଥିଲେ ଏବଂ ଏହାର ସମାଧାନ ପାଇଁ ସ୍ଥାନୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

- Advertisement -

କଳାହାଣ୍ଡିର ଥୁଆମୁଳ-ରାମପୁର ଠାରେ ପ୍ରସିଦ୍ଧ ମା ମାଣିକେଶ୍ବରୀ ମନ୍ଦିର ପରିଦର୍ଶନ କରି ସେ ମା’ଙ୍କ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସ୍ଥାନୀୟ ଜନସାଧାରଣ ଓ ମନ୍ଦିର କମିଟି ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ଏହାର ପୁନର୍ବିକାଶ ଉପରେ ଗୁରୁତ୍ବ ଆରୋପ କରିଥିଲେ। ଏଥିପାଇଁ ଖର୍ଚ୍ଚ ଏକ ଆକଳନ କରି ଏକ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଶ୍ରୀ ପାଣ୍ଡିଆନ ନିର୍ଦେଶ ଦେଇଥିଲେ। କଲମପୁର ମିନି ଷ୍ଟାଡିଅମ ଠାରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଷ୍ଟାଡିଅମର ଅଧିକ ଉନ୍ନତି ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ ଶ୍ରୀ ପାଣ୍ଡିଆନ ମଙ୍ଗଳପୁର ବ୍ୟାରେଜ ଠାରେ ଇନ୍ଦ୍ରାବତୀ ପାର୍କ ଓ ମ୍ୟୁଜିଅମ ପରିଦର୍ଶନ କରିଥିଲେ। ସେଠାରେ ମା ଇନ୍ଦ୍ରାବତୀଙ୍କ ମନ୍ଦିରର ନିର୍ମାଣ କାର୍ଯ୍ୟ ମଧ୍ୟ ଦେଖିଥିଲେ।

ଏହି ମନ୍ଦିର ଓ ମ୍ୟୁଜିଅମ ପାଇଁ ଆହୁରି ଅତିରିକ୍ତ ୧୪ କୋଟି ଟଙ୍କା ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ ଥିଲେ। ଏହାପରେ ସେ ଇନ୍ଦ୍ରାବତୀ ଦକ୍ଷିଣ କେନାଲର ଲାଇନିଂ କାମ ବୁଲି ଦେଖିଥିଲେ। ଏହି କାମ ଠିକ୍‌ ସମୟରେ ଶେଷ କରିବାକୁ ସେ ବିଭାଗୀୟ ଇଂଜିନିଅର ମାନଙ୍କୁ ପରାମର୍ଶ ଦେଇଥିଲେ। ଆମପାଣି ଠାରେ ପ୍ରସିଦ୍ଧ ବୁଢାରାଜା ମନ୍ଦିର ପରିଦର୍ଶନ କରି ଶ୍ରୀ ପାଣ୍ଡିଆନ ପୂର୍ଜାର୍ଚ୍ଚନା କରିଥିଲେ ଏବଂ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ୧୫ ଦିନ ମଧ୍ୟରେ ଡିପିଆର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଡୋକ୍ରିଚାଞ୍ଚରା ଓ ଗୁଡହାଣ୍ଡି ଠାରେ ସ୍ଥାନୀୟ ଲୋକ ଓ ବନ କମିଟି ସଦସ୍ୟ ମାନଙ୍କ ସହ ଆଲୋଚନା କରି ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ପଦକ୍ଷପ ନେବାକୁ ଡିଏଫଓଙ୍କୁ ପରାମର୍ଶ ଦେଇଥିଲେ। ଏଥିପାଇଁ ଏକ ମାସ ମଧ୍ୟରେ ଡିପିଆର ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ।

ଧରମଗଡରେ ମା ଭଣ୍ଡାରଘରଣୀ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ଏବଂ ଏହା ଅଧିକ ଉନ୍ନତି ପାଇଁ ପ୍ରସ୍ତାବ ଆହ୍ଵାନ ଦେଇଥିଲେ। ଗମ୍ଭାରୀଗୁଡା ଠାରେ ଯଶୋଦା ଅନନ୍ତ ଆଶ୍ରମ ପରିଦର୍ଶନ କରି ସେଠାରେ ଅନ୍ତେବାସୀଙ୍କ ସହ ଆଲୋଚନା କରି ଆଶ୍ରମର ଉନ୍ନତି ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଯଶୋଦା ଆଶ୍ରମରେ ଡାଇନିଂ ହଲ, କମ୍ପ୍ୟୁଟର ରୁମ, ଲାଇବ୍ରେରୀ ଓ ପାର୍କ ର ବିକାଶ କରାଯିବ ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ। ୫ଟି ସଚିବ ଯଶୋଦା ଆଶ୍ରମ ଅନ୍ତେବାସୀଙ୍କ ସହିତ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ। ଏହାପରେ ସେ ଧରମଗଡ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ, ପଞ୍ଚାୟତ କଲେଜ, କଲ୍ୟାଣ ମଣ୍ଡପ ଆଦି ପରିଦର୍ଶନ କରି ସ୍ଥାନୀୟ ଲୋକ, ମିଶନ ଶକ୍ତି ସଦସ୍ୟା ଓ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରି ସେ ସବୁ ସ୍ଥାନର ଅଧିକ ବିକାଶ ପାଇଁ ସେମାନଙ୍କ ଠାରୁ ମତାମତ ଗ୍ରହଣ କରିଥିଲେ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories