ନୀଳଗିରି: ବାଲେଶ୍ୱର ଜିଲାର ନୀଳଗିରି ସହରରେ ବହୁ ଚର୍ଚ୍ଚିତ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ହୋଇ ଜେଲରେ ବନ୍ଦୀ ଜୀବନ ବିତାଉଥିବା ପ୍ରଦୀପ ମେଦିନିରାୟଙ୍କ ମୃତ୍ୟୁ ଘଟିଛି। କର୍କଟରେ ଆକ୍ରାନ୍ତ ହେବା ପରେ ତାଙ୍କର ଏଭଳି ଅବସ୍ଥା ଘଟିଥିବା ସୂଚନା ମିଳିଛି। ୧୯୯୫ମସିହାରେ ନୀଳଗିରି ଟାଉନ କଦମସାହି ଅଞ୍ଚଳର ଅନିତା ନାମକ ୧୨ବର୍ଷିଆ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା।
ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଦୀପ ଜାମିନରେ ଆସି ଫେରାର ହୋଇ ଯାଇଥିଲେ। ଫେରାର ହେବାର ଦୀର୍ଘ ପ୍ରାୟ ୧୫ବର୍ଷ ପରେ ଅର୍ଥାତ ତାଙ୍କୁ ୨୦୦୯ମସିହା ଏପ୍ରିଲ ୧୧ତାରିଖରେ ତତ୍କାଳୀନ ନୀଳଗିରି ଥାନା ଆଇଆଇସି ତଥା ବର୍ତ୍ତମାନର କୁଜଙ୍ଗ ଥାନା ଆଇଆଇସି ସୁଜିତ ପ୍ରଧାନ ଗିରଫ କରିଥିଲେ। ଅଭିଯୁକ୍ତ ପ୍ରଦୀପ ପୁଣିଥରେ ଧରାପଡ଼ିବା ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଥିଲା। ନିଜକୁ ନିର୍ଦୋଷ ବୋଲି ସେ ପ୍ରମାଣିତ କରିବାକୁ ଯାଇ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ମୁଖ୍ୟଶାସନ ସଚିବ ପ୍ରମୁଖଙ୍କୁ ବାରମ୍ବାର ପତ୍ର ଲେଖିଥିଲେ।
ଏପରିକି ଯଦି ତଦନ୍ତ କରାନଯାଏ ତେବେ ତାଙ୍କୁ ଇଛାମୃତ୍ୟୁ ଦିଆଯାଉ ବୋଲି ମଧ୍ୟ ଉକ୍ତ ପତ୍ର ଜରିଆରେ ସେ ଉଲେଖ କରିଥିଲେ।ତେବେ କିଛିମାସ ହେବ ବନ୍ଦୀ ପ୍ରଦୀପ ମେଦିନିରାୟ କର୍କଟ ରୋଗରେ ପୀଡ଼ିତ ହୋଇଥିଲେ। ସୋମବାର ରାତି ୩ଟାରେ ତାଙ୍କ ଅବସ୍ଥା ସଙ୍କଟ୍ଟାପନ୍ନ ହେବାରୁ ତାଙ୍କୁ ଚୌଦ୍ୱାର ଜେଲ୍ ପକ୍ଷରୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି। ବ୍ୟବଛେଦ ପରେ ପ୍ରଦୀପଙ୍କ ମରଶରୀରକୁ କଟକରୁ ତାଙ୍କ ଜନ୍ମମାଟି ନୀଳଗିରି ବ୍ଲକ ସିଆଡ଼ିମାଳ ପଞ୍ଚାୟତ ଅଧୀନ ଚତରକୁ ଅଣାଯାଉଥିବା ସୂଚନା ମିଳିଛି।



