ସମ୍ବଲପୁର ହିଂସାରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳଙ୍କୁ ଦାବିପତ୍ର
ରେଙ୍ଗାଲି: ସମ୍ବଲପୁରରେ ହନୁମାନ ଜୟନ୍ତୀ ଅବସରରେ ଗତ ୧୨ ତାରିଖରେ ଅନୁଷ୍ଠିତ ବାଇକ୍ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିବା ଶ୍ରଦ୍ଧାଳୁଙ୍କ ଉପରେ ପଥରମାଡ ତଥା ହିଂସାତ୍ମକ ଅକ୍ରମଣ ଏବଂ ୧୪ ତାରିଖ ରାତିରେ ଜଣେ ଆଦିବାସୀ ଯୁବକଙ୍କୁ ନୃଶଂସ ହତ୍ୟା ଘଟଣାକୁ ରେଙ୍ଗାଲି ବ୍ଳକ୍ ହିନ୍ଦୁ ସମାଜ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଏଥିରେ ସଂପୃକ୍ତ ଥିବା ଦୋଷୀମାନଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୋମବାର ରେଙ୍ଗଲି ବ୍ଳକ୍ ହିନ୍ଦୁ ସମାଜ ପକ୍ଷରୁ ରେଙ୍ଗାଲି ବିଡିଓଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହା ଏକ ସୁପରିକଳ୍ପିତ ହିଂସାକାଣ୍ଡ। ପ୍ରଶାସନିକ ସ୍ଥାଣୁତା ଏବଂ ଗୁଇନ୍ଦା ବିଭାଗର ଅପାରଗତା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ହିନ୍ଦୁ ସମାଜ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି। ପୁଲିସ ଉପସ୍ଥିତିରେ ଏଭଳି ହିଂସାକାଣ୍ଡ ଘଟିବା ପ୍ରଶାସନର କାର୍ଯ୍ୟକଳାପ ପ୍ରତି ସନ୍ଦେହ ସୃଷ୍ଟି କରିଛି ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି। ରେଙ୍ଗାଲି ବ୍ଲକ ହିନ୍ଦୁ ସମାଜର ସଂଯୋଜକ ବିଶ୍ୱନାଥ ଅଗ୍ରୱାଲା, ସହ-ସଂଯୋଜକ ସୁଧିର ଗୁପ୍ତା, ନେତ୍ରାନନ୍ଦ ବେହେରା, ଅନ୍ତର୍ଯ୍ୟାମୀ ପାଣି, ବିନୋଦ ବିହାରୀ ନନ୍ଦ, ସନ୍ତୋଷ ମିର୍ଦ୍ଧା, ମୁରାରୀ ସିଂହ, ଅଶୋକ ସାହୁ, ଚନ୍ଦ୍ରଶେଖର ରାଉତ, ବିମଳ ବିହାରି ପଟ୍ଟନାୟକ, ଦିନେଶ ମାହାଣା ପ୍ରମୁଖଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରେଙ୍ଗାଲି ବିଡିଓଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି।
Comments are closed.