ସମ୍ବଲପୁର ଘଟଣା ପ୍ରତିବାଦରେ ବିଜେପିର ୬ଘଣ୍ଟିଆ ବନ୍ଦ ପାଳନ
କୁଚିଣ୍ଡା : ସମ୍ବଲପୁର ଜିଲ୍ଲା ମହକୁମାରେ ହନୁମାନ ଜୟନ୍ତୀ କମିଟି ପକ୍ଷରୁ ଶୋଭାଯାତ୍ରା କରାଯାଉଥିବା ବେଳେ ଏକ ଗୋଷ୍ଠୀ ପଥର ମାଡ଼ ସହ ଆକ୍ରମଣ କରିବା ପ୍ରତିବାଦରେ ଆଜି ଜିଲ୍ଲା ବିଜେପିର ଆହ୍ୱାନ କ୍ରମେ କୁଚିଣ୍ଡାରେ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା । ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିବା ଦେଖାଯାଇଛି ।
ସୂଚନା ଯୋଗ୍ୟ ,ଗତ ବୁଧବାର ସମ୍ବଲପୁର ହନୁମାନ ଜୟନ୍ତୀ କମିଟି ବାଇକ ଶୋଭାଯାତ୍ରା କରିଥିବା ବେଳେ ଭକ୍ତ ଓ ପୁଲିସଙ୍କ ଉପରେ ଆକ୍ରମଣ ସହ ପଥର ମାଡ଼ ହୋଇଥିଲା । ଏହି ଘଟଣାରେ ବହୁ ଭକ୍ତ ସମେତ ପୁଲିସ ଅଧିକାରୀ ଓ ସାଧାରଣ ଲୋକ ଆହତ ହୋଇଛନ୍ତି । ଏହାର ପ୍ରତିବାଦରେ ଆଜି ବିଜେପି ଜିଲ୍ଲା କମିଟି ୬ ଘଣ୍ଟିଆ ବନ୍ଦ ଆହ୍ୱାନ ଦେଇଥିଲା । ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏ କୁଚିଣ୍ଡାରେ ବନ୍ଦ ପାଳନ କରାଯାଇଥିଲା । ଦୋକାନ, ବଜାର ବନ୍ଦ ରହିବା ସହ ସରକାରୀ, ବେସରକାରୀ କାର୍ୟ୍ୟାଳୟ ବନ୍ଦ ରହିଥିଲା । ଆଜି ପଣା ସଂକ୍ରାନ୍ତି ଛୁଟି ଥିବାରୁ ବହୁ ଅଫିସ ସ୍ୱାଭାବିକ ବନ୍ଦ ରହିଥିଲା। ଦଳୀୟ କାର୍ୟ୍ୟକର୍ତ୍ତା ମାନେ ବିଭିନ୍ନ ରାସ୍ତା ଅବରୋଧ କରିବାରୁ ମାଲବାହୀ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥଲା । ଜାତୀୟ ରାଜପଥ ପାର୍ଶ୍ଵରେ ଶହ ଶହ ଗାଡି ଛିଡା ହୋଇଥିଲେ । ସକାଳୁ ଯାତ୍ରୀବାହି ବସ ଚଳାଚଳ ବନ୍ଦ ରହିବାରୁ ଯାତ୍ରୀ ମାନେ ଘୋର ଅସୁବିଧା ପାଇଥିବା ଦେଖାଯାଇଥିଲା । ଆନ୍ଦୋଳନରେ ସହରୀ ମଣ୍ଡଳ ସଭାପତି କାହ୍ନୁ ଚରଣ ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ସୁଶୀଲ କର, ପିଙ୍କୁ ପାଣି, ମହେଶ ରାୟ, ପ୍ରାଣବନ୍ଧୁ ନାଥ, ରାଣାପ୍ରତାପ ସିଂ ପ୍ରମୁଖ ନେତୃତ୍ୱ ନେଇଥିଲେ ।
Comments are closed.