ଭୁବନେଶ୍ୱର : ଓଡ଼ିଶାର ପୁରପଲ୍ଲୀରେ ପବିତ୍ର ମହାବିଷୁବ ସଂକ୍ରାନ୍ତିର ପାବନ ଅବସରରେ ପାଳିତ ହେଉଛି ମହାବୀର ହନୁମାନଙ୍କ ଜନ୍ମତିଥି। ତେବେ ଆଜି ମଧ୍ୟ ନଜର ଆଢୁଆଳରେ ଅବହେଳିତ ଅବସ୍ଥାରେ ରହିଯାଇଛି ରାଜ୍ୟର ଏକ ସର୍ବପୁରାତନ ହନୁମାନଙ୍କ ମୂର୍ତ୍ତି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ସନ୍ନିକଟ ପାଟିକୋଟା ଗ୍ରାମର ଏକ ଗଛ ମୂଳରେ ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ରହିଛି ପ୍ରାୟ ୪ ଫୁଟ ଉଚ୍ଚତା ବିଶିଷ୍ଟ ଏହି ପ୍ରାଚୀନ ହନୁମାନ ବିଗ୍ରହଙ୍କ ଉପସ୍ଥିତି। ନିକଟ ଅତୀତରେ ଐତିହ୍ୟ ଗବେଷକମାନଙ୍କ ଏକ ଦଳ ପାଟିକୋଟା ଗ୍ରାମର ଏହି ପ୍ରାଚୀନ ଐତିହ୍ୟ ସ୍ଥାନଟିକୁ ଗସ୍ତ କରି ସ୍ଥିତି ପରଖିବା ସହିତ ପ୍ରାଚୀନ ବିଗ୍ରହଟିର ରକ୍ଷଣାବେକ୍ଷଣ ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହି ଦଳରେ ଐତିହ୍ୟ ଗବେଷଣା ସଂସ୍ଥା ଇନ୍ଟାକର ସହକାରୀ-ଆବାହକ ଶ୍ରୀ ଅନୀଲ ଧିର, ଐତିହ୍ୟ ଗବେଷକ ଦୀପକ କୁମାର ନାୟକ, ସ୍ଥାନୀୟ ସଂସ୍କୃତି ଗବେଷକ ବିଷ୍ଣୁ ମୋହନ ଅଧିକାରୀ ଓ ଐତିହ୍ୟପ୍ରେମୀ ବିକ୍ରମ କୁମାର ନାୟକ ତଥା ଅନନ୍ତ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ଏ ସମ୍ପର୍କରେ ଅଧିକ ତଥ୍ୟ ଦେବାକୁ ଯାଇ ଗବେଷକ ଦୀପକ କୁମାର ନାୟକ କହିଥିଲେ ଯେ ପାଟିକୋଟା ଗ୍ରାମର ଏହି ହନୁମାନଙ୍କ ବିଗ୍ରହ ପାଇକରାୟ ସ୍ୱାମୀ ବା ତର୍ଜନୀ ହନୁମାନଙ୍କ ନାମରେ ପରିଚିତ। ଐତିହାସିକ ତଥ୍ୟ ଅନୁସାରେ ଏହି ବିଗ୍ରହର ଗଠନକାଳ ମହେନ୍ଦ୍ରଗିରି ଅଞ୍ଚଳରେ ମାଠର ରାଜବଂଶୀୟ ସମୟ ଅର୍ଥାତ ପ୍ରାୟ ଚତୁର୍ଥ/ପଞ୍ଚମ ଶତାବ୍ଦୀର ହୋଇପାରେ। ସମୁଦ୍ରଗୁପ୍ତଙ୍କ ଦକ୍ଷିଣାତ୍ୟ ଅଭିଯାନର ପରବର୍ତ୍ତୀ ପର୍ୟ୍ୟାୟରେ ମାଠରବଂଶୀୟ ରାଜାମାନେ କଳିଙ୍ଗରେ ପ୍ରାଧାନ୍ୟ ବିସ୍ତାର କଲେ। ଏହି ବଂଶୀୟ ରାଜା ଉମାବର୍ମା ଭେଙ୍ଗୀର ବାଶିଷ୍ଟ ବଂଶୀୟମାନଙ୍କୁ ପରାଜିତ କରି କଳିଙ୍ଗାଧିପତି ଉପାଧୀ ଗ୍ରହଣ କରିଥିଲେ। ମାଠରବଂଶୀ ପରବର୍ତ୍ତୀ ଶାସକ ଅନନ୍ତବର୍ମା, ଚଣ୍ଡବର୍ମା ପ୍ରମୁଖ ମହେନ୍ଦ୍ରଗିରି ଓ ଏହାର ଆଖପାଖ ଅଞ୍ଚଳରେ ଅନେକ ଶିବ, ବିଷ୍ଣୁ ଓ ହନୁମାନ ବିଗ୍ରହ ସବୁ ସ୍ଥାପନ କରି ଉପାସନା କରିବାକୁ ଲାଗିଲେ। ଏହି ପାଟିକୋଟା ଗ୍ରାମ ନିକଟସ୍ଥ କୋର୍ଷଣ୍ଡା ନାମକ ସ୍ଥାନରୁ ପ୍ରାପ୍ତ ତାମ୍ରଶାସନରୁ ମାଠରବଂଶ ଓ ସେମାନଙ୍କ ପ୍ରତିଷ୍ଠିତ କୀର୍ତ୍ତି ବିଷୟରେ ସୂଚନା ମିଳେ।
ସ୍ଥାନୀୟ ପାରଳାଖେମୁଣ୍ଡିର ସଂସ୍କୃତି ଗବେଷକ ବିଷ୍ଣୁ ମୋହନ ଅଧିକାରୀଙ୍କ ମତରେ କେବଳ ପାରଳାଖେମୁଣ୍ଡି ସହରରେ ୯ଟି ଓ ମହେନ୍ଦ୍ରଗିରି ଅଞ୍ଚଳରେ ୨୦ଟିରୁ ଅଧିକ ହନୁମାନଙ୍କ ପ୍ରାଚୀନ ବିଗ୍ରହ ସବୁ ପୂଜା ପାଉଛନ୍ତି। ଏହା ପରୋକ୍ଷରେ ମହେନ୍ଦ୍ରଗିରି ସହ ରାମାୟଣର ସମ୍ପର୍କ ପ୍ରତିପାଦନ କରେ। ପାଟିକୋଟା ଗ୍ରାମ ଯାହାର ପୁରାତନ ନାମ ପାରିକୁଟଗଡ଼ ଥିଲା ସେଠାରେ ମାଠରବଂଶୀୟ ରାଜାଙ୍କ ସେନାବାହିନୀରେ କାର୍ୟ୍ୟରତ ପାଇକ ବା ସୈନିକମାନେ ଯୁଦ୍ଧଯାତ୍ରା ପୂର୍ବରୁ ଏହି ହନୁମାନଙ୍କୁ ପୂଜାର୍ଚ୍ଚନା କରି ବାହାରୁଥିଲେ। ସେଥିପାଇଁ ଏହି ହନୁମାନଙ୍କୁ ପାଇକରାୟ ସ୍ୱାମୀ ବୋଲି କୁହାଯାଏ।
ଇନ୍ଟାକର ସହକାରୀ ଆବାହକ ତଥା ଐତିହାସିକ ଅନୀଲ ଧିର ଏହି ପ୍ରାଚୀନ ହନୁମାନଙ୍କ ପ୍ରତିମାଙ୍କ ରକ୍ଷଣାବେକ୍ଷଣ ଓ ସୁରକ୍ଷା ପାଇଁ ସୁବ୍ୟବସ୍ଥା କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରେ ହନୁମାନଙ୍କ ପ୍ରାଚୀନ ମୂର୍ତ୍ତି ସବୁ ଦେଖିବାକୁ ମିଳୁଥିଲେ ମଧ୍ୟ ଏହି ସ୍ଥାନର ମୂର୍ତ୍ତିର ଗଠନ ଶୈଳୀ ସ୍ୱତନ୍ତ୍ର ଓ ବିରଳ। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଓ ସଂସ୍କୃତି ବିଭାଗ ମହେନ୍ଦ୍ରଗିରି ଅଞ୍ଚଳରେ ଥିବା ଏହିପରି ସମସ୍ତ ପ୍ରାଚୀନ ବିଗ୍ରହ ସବୁର ସୂଚୀ ପ୍ରସ୍ତୁତ କରି ସେସବୁର ରକ୍ଷଣାବେକ୍ଷଣ ପାଇଁ କାର୍ୟ୍ୟ କରିବା ଆଵଶ୍ୟକ। ପାଟିକୋଟା ଗଡରେ ଆଜି ମଧ୍ୟ ଏହି ପ୍ରାଚୀନ ବିଗ୍ରହ ଏକ ଗଛମୂଳେ ଖରାବର୍ଷାମାଡରେ ଅତି ଅବହେଳିତ ଅବସ୍ଥାରେ ଅଛନ୍ତି। ଏଠାରେ ଏକ ମନ୍ଦିରର ନିର୍ମାଣ କରାଯାଇପାରିଲେ ଏହି ପ୍ରାଚୀନ ଐତିହ୍ୟଟି ସୁରକ୍ଷିତ ହୋଇପାରନ୍ତା ବୋଲି ଶ୍ରୀ ଧିର ମତବ୍ୟକ୍ତ କରିଛନ୍ତି।



