୧୨୦ କେଜି ଗଞ୍ଜେଇ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଫୁଲବାଣୀ: ଫିରିଙ୍ଗିଆ ବ୍ଲକରେ ଗଞ୍ଜେଇ ଚାଲାଣ ଓ ଚାଷକୁ ବନ୍ଦ କରିବା ପାଇଁ ପୁଲିସ ଓ ଅବକାରୀ ବିଭାଗ ବାରମ୍ବାର ଧରପଗଡ଼ ଜାରି ରଖିବା ସହ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛନ୍ତି। ହେଲେ ଗଞ୍ଜେଇ ଚାଲାଣ କିମ୍ୱା ଚାଷ ବନ୍ଦ ହେବାର ନାଁ ଧରୁନି। ଗୁରୁବାର ପୁଣି ଫିରିଙ୍ଗିଆ ପୁଲିସ ଫିରିଙ୍ଗିଆ ଥାନା ଡିମିରିଗୁଡ଼ା ପଞ୍ଚାୟତର ବରପଡା ଗାଁରୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇବା ପରେ ଫିରିଙ୍ଗିଆ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ବରପଡ଼ା ଗାଁକୁ ଯାଇଥିଲେ। ବରପଡ଼ା ଗାଁର ହନୁମନ୍ତ ସାହାଣୀଙ୍କ ଘର ପଛପଟୁ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ପୁଲିସ ଟିମ୍ ଚାଲାଣ ପାଇଁ ପ୍ରସ୍ତୁତ କରୁଥିବା ବରପଡ଼ା ଗାଁର ମିଥୁନ ମାଝୀ(୩୧) ଓ ହନୁମନ୍ତ ସାହାଣୀ(୪୧)ଙ୍କୁ ଘଟଣା ସ୍ଥଳରୁ ଗିରଫ କରିଛି। ଏଥିସହ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ୧୨୦ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ଅନ୍ୟପଟେ ଫିରିଙ୍ଗିଆ ଥାନାରେ ଗଞ୍ଜେଇ ଚାଲାଣ ସଂକ୍ରାନ୍ତରେ ୫୪/୨୩ ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି।

Comments are closed.