www.samajalive.in
Monday, December 8, 2025
27.1 C
Bhubaneswar

ଆୟୋଡିନ ଅଭାବ

ଏକ ରିପୋର୍ଟ ଅନୁସାରେ ଓଡ଼ିଶାର ୩୦ ଜିଲା ମଧ୍ୟରୁ ୧୭ଟିରେ ଆୟୋଡିନ ଅଭାବଜନିତ ସମସ୍ୟା ରହିଛି। ଆୟୋଡିନ୍‌ ଏକ ଅଣୁ-ପୁଷ୍ଟି (ମାଇକ୍ରୋ ନ୍ୟୁଟ୍ରିଏଣ୍ଟ) ଯାହା ମଣିଷର ସ୍ବାଭାବିକ ଶାରୀରିକ ଓ ମାନସିକ ଅଭିବୃଦ୍ଧିରେ ସହାୟକ ହୋଇଥାଏ। ଏହାର ଅଭାବରୁ ମାନସିକ ଅନଗ୍ରସର ଶିଶୁ ଜନ୍ମଲାଭ କରନ୍ତି, ଶରୀରର ସ୍ବାଭାବିକ ଅଭିବୃଦ୍ଧି ସାଧନ ହୁଏନା, ପିଲାଏ ଟେରା, କାଲା, ବୋକା ହେବା ସହ ମହିଳାଙ୍କର ଗର୍ଭପାତ ଘଟେ। ଅନେକ ଲୋକ ମଧ୍ୟ ଏହାର ଅଭାବରେ ବିଭିନ୍ନ ପ୍ରକାର ଗଳଗଣ୍ଡଜନିତ ବ୍ୟାଧିରେ ଆକ୍ରାନ୍ତ ହୁଅନ୍ତି। ଆୟୋଡିନ୍‌ ଅଭାବ କେବଳ ଓଡ଼ିଶାର ସମସ୍ୟା ନୁହେଁ, ଏହା ଏକ ବିଶ୍ବବ୍ୟାପୀ ସ୍ବାସ୍ଥ୍ୟ ସମସ୍ୟା। ଏହାର ଅଭାବ ଧନୀ-ନିର୍ଦ୍ଧନ, ସମାଜର ସବୁ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥାଏ। ମଣିଷ ଦୈନିକ ଖାଉଥିବା ଖାଦ୍ୟରୁ ପ୍ରାକୃତିକ ଉପାୟରେ ଆୟୋଡିନ୍‌ ପାଇଥାଏ। ଦୈନିକ ମଣିଷ ଶରୀର ପାଇଁ ୧୦୦ ରୁ ୧୫୦ ମାଇକ୍ରୋଗ୍ରାମ ଆୟୋଡିନ୍‌ର ଆବଶ୍ୟକତା ରହିଛି। ମଣିଷ ପ୍ରାକୃତିକ ଉପାୟରେ ଯେଉଁ ଖାଦ୍ୟରୁ ଏହା ପାଇଥାଏ ତାହାର ଅଭାବରେ ଆୟୋଡିନ୍ ଅଭାବଜନିତ ପରିସ୍ଥିତିର ସମ୍ମୁଖୀନ ହୁଏ। ଏହାର ପ୍ରତିକାର ରହିଛି ଓ ଏହା ନିବାରଣଯୋଗ୍ୟ। ଏହା ସତ୍ତ୍ବେ ଆୟୋଡିନ୍ ଅଭାବ ଏକ ସମସ୍ୟା ଭାବେ ଉଭା ହେବା ଗ୍ରହଣୀୟ ନୁହେଁ।
ଅନୁଗୋଳ, ବରଗଡ଼, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ଖୋରଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲାରେ ଆୟୋଡିନ୍‌ ଅଭାବ ସମସ୍ୟା ଅଧିକ। ଆୟୋଡିନ୍‌ଯୁକ୍ତ ଲୁଣ ବ୍ୟବହାର କଲେ ଏହି ସମସ୍ୟା ଦୂର ହୋଇଥାଏ ଏବଂ ସେଥିପାଇଁ ସରକାର ଆୟୋଡିନ୍‌ ମିଶ୍ରିତ ଲୁଣ ଉତ୍ପାଦନ ଓ ବିକ୍ରିବଟାର ବ୍ୟବସ୍ଥା କରିଛନ୍ତି। ଏହା ସତ୍ତ୍ବେ ଓଡ଼ିଶାରେ ଆୟୋଡିନ୍‌ ଅଭାବଜନିତ ସମସ୍ୟା ଦେଖାଦେବା ଅର୍ଥ ଲୋକେ ଆୟୋଡିନ୍‌ଯୁକ୍ତ ଲୁଣ ବ୍ୟବହାର କରୁନାହାନ୍ତି ଏବଂ ଏ ନେଇ ସଚେତନ ନୁହନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ବେଶ୍‌ ଭଲ ଭାବେ ଅବଗତ। ୟୁନିସେଫ ପକ୍ଷରୁ ମଧ୍ୟ ଏ ନେଇ ଅଭିଯାନ ଚାଲିଛି। ସରକାରୀ ସର୍ଭେର ତଥ୍ୟ ଅନୁସାରେ ରାଜ୍ୟରେ ଆୟୋଡିନ୍‌ ମିଶ୍ରିତ ଲୁଣ ବ୍ୟବହାର କରୁଥିବା ପରିବାରଙ୍କ ସଂଖ୍ୟା ଗତ ୧୦ବର୍ଷ ମଧ୍ୟରେ ୭୬ ଶତାଂଶରୁ ୯୩ ଶତାଂଶକୁ ବୃଦ୍ଧି ପାଇଛି। ତେଣୁ ବୁଝାପଡ଼ୁଛି ଯେ ଯେଉଁମାନେ ଆୟୋଡିନ୍‌ର ବ୍ୟବହାର ନେଇ ଅସଚେତନ କିମ୍ବା ତାହା ପାଇବାର ସୁବିଧାସୁଯୋଗ ସେମାନଙ୍କ ନିକଟରେ ନାହିଁ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ରହିଛି। ଆମର ବିଶ୍ବାସ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସଂପୃକ୍ତ ଜିଲା ସ୍ବାସ୍ଥ୍ୟ ବିଭାଗ ସହ ଅଧିକ ସମନ୍ବୟ ଓ ସମ୍ପର୍କ ରକ୍ଷା କରି କାର୍ଯ୍ୟ କଲେ ଏ ସମସ୍ୟାଟିକୁ ଦୂର କରିହେବ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories