www.samajalive.in
Monday, December 15, 2025
16.1 C
Bhubaneswar

ପରିବହନ ବିଭାଗର ସ୍ବତନ୍ତ୍ର ଅଭିଯାନ : ନାବାଳକ ଗାଡ଼ି ଚଳାଇଲେ ବନ୍ଧା ହେବେ ମାଲିକ

କଟକ/ଭୁବନେଶ୍ବର : ରାଜ୍ୟରେ ଦୁର୍ଘଟଣା ହାର ଦିନକୁ ଦିନ ବଢ଼ିବଢ଼ି ଚାଲିଛି। ପ୍ରତିଦିନ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଏବେ ୧୮ବର୍ଷରୁ କମ୍‌ ବହୁ ଛାତ୍ରଛାତ୍ରୀ ଗାଡ଼ି ଚଳାଉଥିବା କରୁଥିବା ଦେଖିବାକୁ ମିଳୁଛି। ସେମାନଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏହାକୁ ଦୃଷ୍ଟିରେ ରଖି ନାବାଳକ ଚାଳକଙ୍କ ଉପରେ ସ୍ବତନ୍ତ୍ର ଅଭିଯାନ କରାଯିବ। ଯେଉଁମାନଙ୍କ ୧୮ ବର୍ଷ ହୋଇନି ଓ ଯେଉଁମାନେ ବିନା ଲାଇସେନ୍ସରେ ଗାଡ଼ି ଚଳାଉଛନ୍ତି ସେମାନଙ୍କୁ ଧରାଯିବ। ଏ କ୍ଷେତ୍ରରେ ଗାଡ଼ି ମାଲିକଙ୍କ ନାଁରେ ଏତଲା ରୁଜୁ ସହ ଆଇନ ଅନୁଯାୟୀ ସେମାନଙ୍କୁ ଗିରଫ ମଧ୍ୟ କରାଯିବ। ମୋଟର ଯାନ ଆଇନ୍‌ (୪) ଅନୁଯାୟୀ ଯେଉଁମାନଙ୍କ ବୟସ ୧୮ବର୍ଷରୁ କମ୍‌ ହୋଇଥିବ ସେମାନଙ୍କ ଲାଇସେନ୍ସ ପ୍ରଦାନ କରାଯାଏ ନାହିଁ। ତେଣୁ ୧୯୯ (ଏ) ମୋଟରଯାନ ଆଇନ ଅନୁଯାୟୀ ଉକ୍ତ ଗାଡ଼ି ମାଲିକଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବ। ଉକ୍ତ ଗାଡ଼ିକୁ ଜବତ କରାଯାଇ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବ। ସମ୍ପୃକ୍ତ ନାବାଳକ କିମ୍ବା ନାବାଳିକାଙ୍କୁ ଯେପରି ୨୫ ବର୍ଷ ହେବା ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ନ ମିଳିବ ଏ ନେଇ ରେକର୍ଡ଼ କଂପ୍ୟୁଟରରେ ରଖାଯିବ। ହେଲେ ଯେଉଁ ଗାଡ଼ିଗୁଡ଼ିକ ୫୦ସିସିରୁ କମ୍‌ ହୋଇଥିବ ସେମାନଙ୍କ ଅଭିଭାବକଙ୍କ ଅନୁମତି କ୍ରମେ ଛାତ୍ରଛାତ୍ରୀଙ୍କୁ ଗାଡ଼ି ଚଳାଇବାକୁ ଅନୁମତି ମିଳିପାରିବ। ମାତ୍ର ବଜାରରେ ଏବେ ୫୦ କମ୍‌ ସିସି ଗାଡ଼ି ଉପଲବ୍ଧ ନାହିଁ। ତେଣୁ କୌଣସି ନାବାଳକ ଗାଡ଼ି ଚଳାଇଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରାଧିକରଣ ପକ୍ଷରୁ କୁହାଯାଇଛି। ଏଥିସହ ବିଦ୍ୟୁତ୍‌ ଚାଳିତ ଯାନବାହନ (ଇଭି) ଗାଡ଼ି ଗୁଡ଼ିକ ଉପରେ ପରିବହନ ବିଭାଗର ବୈଷୟିକ ଟିମ୍‌ ଅନୁଧ୍ୟାନ ଜାରି ରଖିଛନ୍ତି। ମୋଟରଯାନ ଆଇନ ୧୨୬ ଧାରା ଅନୁଯାୟୀ ଇଭି ଗାଡ଼ି ଯାଞ୍ଚ ନିମନ୍ତେ ବିଭିନ୍ନ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ସେମାନେ ଏହା ଉପରେ ତର୍ଜମା କରି ବିଭାଗକୁ ଅବଗତ କରାଉଛନ୍ତି। ଯେଉଁ ଗାଡ଼ିଗୁଡ଼ିକର ଓଜନ ୬୦ କିଲୋରୁ କମ୍‌ ଥିବ, ଘଣ୍ଟା ପ୍ରତି ୨୫ କିଲୋମିଟରରୁ ଅଧିକ ବେଗରେ ଯାଇ ପାରୁ ନଥିବ ଏବଂ ଏହାର ଇଲେକ୍ଟ୍ରି ବ୍ୟାଟେରି ପାୱାର ୦. ୨୫ କିଲୋ ୱାଟ୍‌ରୁ ଅଧିକ ହେଉ ନଥିବ ଅଭିଭାବକଙ୍କ ସ୍ବୀକୃତି ଓ ପରିବହନ ବିଭାଗର ଅନୁମତି କ୍ରମେ ୧୮ବର୍ଷରୁ କମ୍‌ ପିଲା ଏହାକୁ ଚଳାଇପାରିବେ। କିନ୍ତୁ ଏଥିଲାଗି ହେଲମେଟ୍‌ ସହ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ପଡ଼ିବ ପ୍ରାଧିକରଣ ପକ୍ଷରୁ କୁହାଯାଇଛି।
ବିଭିନ୍ନ କାରଣ ଯୋଗୁଁ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବା ପରିବହନ ବିଭାଗ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ସ୍ବତନ୍ତ୍ର ଅଭିଯାନ କରାଯିବ। ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯାନବାହନ କଡ଼ାକଡ଼ି ଯାଞ୍ଚ କରାଯିବ। ମୋଟର ଯାନ ଆଇନ୍‌ ଉଲ୍ଲଘଂନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଶେଷ କରି ନାବାଳକ ଗାଡ଼ିଚାଳକଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯିବ। ଏହି ସମୟ ମଧ୍ୟରେ ଯେପରି ଶୂନ ଦୁର୍ଘଟଣା ଘଟିବ ଏଥିପ୍ରତି ବିଶେଷ ଗୁରୁତ୍ବ ଦିଆଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) ପକ୍ଷରୁ କୁହାଯାଇଛି।
ବିଦ୍ୟାଳୟ ଆଖପାଖରେ ଏହି ଧରପଗଡ଼ ଜୋରଦାର କରାଯିବ। କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁସାରେ ଏବେ ୪-ଇ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ୪-ଇ ହେଉଛି ଶିକ୍ଷା(ଏଜୁକେସନ), ଏନ୍‌ଫୋର୍ସମେଣ୍ଟ(ପ୍ରବର୍ତ୍ତନଦଳ), ଟ୍ରମାକେୟାର(ଦୁର୍ଘଟଣା ଜନିତ ଚିକିତ୍ସା), ରୋଡ଼ ଓ ଯାନ ଇଞ୍ଜିନିୟରିଂ ବ୍ୟବସ୍ଥା। ଶ୍ରୀ ସେଠୀ କହିଛନ୍ତି ପରିବହନ ବିଭାଗ ପକ୍ଷରୁ ୭୬୭ ଜଣ ମଦ୍ୟପ ଗାଡ଼ିଚାଳକଙ୍କୁ ଧରାଯାଇ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇ ଅନେକଙ୍କୁ ଗିରଫ କରାଯାଇଛି। ୨୦୨୧ରେ ସଡ଼କ ଦୁର୍ଘଟଣା ରେ ୫୦୮୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିରୁ ୧୮ବର୍ଷରୁ କମ ୧୫୫ ବିଦ୍ୟାର୍ଥୀଙ୍କ ମୃତ୍ୟୁ ହୋଇଥିଲା। ସେଥିରୁ ୧୩୨ ଜଣ ନାବାଳକ ରହିଥିବା ବେଳେ ୨୩ ନାବାଳିକା ରହିଥିଲେ। ସେହିପରି ୨୦୨୨ରେ ୫୪୬୭ ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏଭଳି ଦୁର୍ଘଟଣା ରୋକିବା ପାଇଁ ୧୮ବର୍ଷରୁ କମ ଛାତ୍ରଛାତ୍ରୀଙ୍କ ଯାନ ଚାଳନା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉପରେ ଗୁରୁତ୍ବ ଦିଆଯିବ। ଏବେ ରାଜ୍ୟରେ ଇ-ଯାନ ବ୍ୟବହାର ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ବିନା ପଞ୍ଜୀକରଣ ଇ-ଯାନ ଗୁଡ଼ିକ ମୋଟର ଯାନ ଆଇନ ଅନ୍ତର୍ଭୁକ୍ତ ହେଉନଥିବାରୁ ସେ ଗାଡ଼ି ଗୁଡ଼ିକୁ ଯାଞ୍ଚ କରାଯିବ। ବିନା ପଞ୍ଜୀକରଣ ଇ-ଯାନର ଓଜନ ୬୦ କେ.ଜି.ରୁ କମ, ୨୫ କିଲୋମିଟରରୁ ଅଧିକ ବେଗରେ ଯାଇପାରିବ ନାହିଁ, ୩୦ କିଲୋମିଟର ବେଗରୁ ଅଧିକ ଇ- ଯାନ ଯାଇପାରିବ ନାହିଁ। ଅଧିକ ବେଗରେ ଯାଉଥିବା ଗାଡ଼ି ଯାଞ୍ଚ କରାଯାଇ ଗାଡି ମାଲିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଗତ ସପ୍ତାହରେ ପ୍ରାଧିକରଣ ପକ୍ଷରୁ ମଦ୍ୟପାନ ଚାଳକଙ୍କ ଉପରେ ୩ଦିନ ଧରି ସ୍ବତନ୍ତ୍ର ଅଭିଯାନ କରାଯାଇଥିଲା। ଏହି ସମୟ ମଧ୍ୟରେ ୭୬୩ଟି ମାମଲା ସାମ୍ନାକୁ ଆସିଛି। ଯେଉଁମାନେ ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ ଧରାପଡ଼ିଥିଲେ। ସେମାନଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆସନ୍ତାକାଲିଠାରୁ ହେଲମେଟ୍‌, ମଦ୍ୟପାନ କରି ଗାଡ଼ି ଚାଳନା, ବିପରୀତ ରାସ୍ତାରେ ଗାଡ଼ି ଚାଳନା, ମୋବାଇଲ ଫୋନ୍‌ ବ୍ୟବହାର ଯାଞ୍ଚ କଡ଼ାକଡ଼ି କରାଯିବ। ଏପ୍ରିଲ ପହିଲାରୁ ସପ୍ତାହେ ବ୍ୟାପୀ ସଡ଼କ ସୁରକ୍ଷା ସଚେତନତା ଉପରେ ଗୁରୁତ୍ବ ଦିଆଯିବ। ଏହି ସମୟ ମଧ୍ୟରେ ଶୂନ ଦୁର୍ଘଟଣା ଘଟିବା ନେଇ ଲକ୍ଷ୍ୟ ରଖାଯାଇଛି। ଏ ସଂକ୍ରାନ୍ତରେ ସମସ୍ତ ଜିଲା ପରିବହନ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଯାଇଛି। ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ କରି ପଦକ୍ଷେପ ନେବା, ଡାହାଣ ପାର୍ଶ୍ବରେ ପାର୍କିଂ, ରାସ୍ତା କଡ଼ରେ ଅଚଳ ଗାଡ଼ି ନ ପଡ଼ିବା ନିମନ୍ତେ ପଦକ୍ଷେପ ନେବାକୁ କୁହାଯାଇଛି। ପୁଲିସ ଓ ପରିବହନ ବିଭାଗ ଏ ସମସ୍ତ ଦିଗ ପ୍ରତି ଗୁରୁତ୍ବ ଦେଉଛନ୍ତି। ରାଜ୍ୟରେ ଦୁର୍ଘଟଣା ହାର ହ୍ରାସ ନିମନ୍ତେ ଏପରି ସ୍ବତନ୍ତ୍ର ଅଭିଯାନ ବିଶେଷ ସହାୟକ ହେବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ଅତିରକ୍ତ ଆୟୁକ୍ତ ଲାଲମୋହନ ସେଠୀ କହିଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories