ସମସ୍ୟା ଘେରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
ଭଙ୍ଗା କୋଠରୀରେ ଗଢ଼ା ହେଉଛି ଶିଶୁଙ୍କ ଭବିଷ୍ୟତ, ବିଦ୍ୟାଳୟରେ ନାହିଁ ପାନୀୟ ଜଳ ଓ ଶୌଚାଳୟ ସୁବିଧା
ମୋହନା: ରାଜ୍ୟସରକାର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ଵଳ ଭବିଷ୍ୟତ ନିମନ୍ତେ ବିଦ୍ୟାଳୟଗୁଡିକର ରୂପାନ୍ତରିକରଣ କାର୍ଯ୍ୟ କରିବା ସହ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି। ହେଲେ ଉପଯୁକ୍ତ ଦେଖାଶୁଣା ତଥା ଦୂରଦୃଷ୍ଟି ଅଭାବରୁ ଆଦିବାସୀ ଅଞ୍ଚଳରେ ବହୁ ପଛରେ ରହିଯାଇଛି ଶିକ୍ଷା ବିଭାଗ। ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ଠିକ୍ ପଛପଟେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ। ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ୧୯୬୦ ମସିହାରେ ମୋହନା ଠାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ସେତେବେଳେ ମଧ୍ୟ ଇଂରାଜୀ ବିଦ୍ୟାଳୟର ମାନ୍ୟତା ପାଇଥିବା ଉକ୍ତ ବିଦ୍ୟାଳୟଟି ବର୍ତ୍ତମାନ ଉଚ୍ଚ ବିଦ୍ୟାଳୟରେ ପରିଣତ ହୋଇସାରିଲାଣି। ବର୍ତ୍ତମାନ ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ୪୭୩ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନରତ ଅଛନ୍ତି। ଶିକ୍ଷାଦାନ ନିମନ୍ତେ ୧୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତ ହୋଇଛନ୍ତି। କିନ୍ତୁ ବର୍ତ୍ତମାନ ବିଦ୍ୟାଳୟଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ନବମ, ଦଶମ ଶ୍ରେଣୀ ନିମନ୍ତେ ୫-ଟି ମାଧ୍ୟମରେ ନୂତନ କୋଠରୀ ନିର୍ମାଣ ସରିଛି। କିନ୍ତୁ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ପଢ଼ୁଥିବା ଶ୍ରେଣୀଗୃହଗୁଡିକର ଅବସ୍ଥା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡିରହିଛି। ଅସରାଏ ବର୍ଷାରେ ଆଜବେଷ୍ଟ ଟିଣଗୁଡିକ ମଧ୍ୟଦେଇ ବର୍ଷାଜଳ ଶ୍ରେଣୀ ଗୃହ ମଧ୍ୟରେ ପ୍ରବେଶ କରୁଛି। ଯାହାଫଳରେ ବିଦ୍ୟାର୍ଥୀଙ୍କ ପାଠପଢାରେ ବହୁ ସମସ୍ୟା ସୃଷ୍ଟି ହେଉଛି। ଛାତ୍ରୀମାନଙ୍କ ନିମନ୍ତେ ଶୌଚାଳୟ ଏବଂ ପାନୀୟ ଜଳର ବ୍ୟବସ୍ଥା ନଥିବା ଯୋଗୁଁ ବିଦ୍ୟାର୍ଥୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୁରୁଣା ଶୌଚାଳୟଟିରେ ଲଟାବୁଦାରେ ପରିପୂର୍ଣ୍ଣ ହୋଇ ପଡ଼ିଥିବା ବେଳେ ବିଦ୍ୟାଳୟ ମଧ୍ୟରେ ଥିବା ନଳକୂପ ମଧ୍ୟ ଅଚଳ । ଫଳରେ ବ୍ଲକ କାର୍ୟ୍ୟାଳୟ ପଛପଟେ ଥିବା ଏହି ବିଦ୍ୟାଳୟଟିର ଅବ୍ୟବସ୍ଥା ଦେଖି ଲୋକେ ଦୀପ ତଳ ଅନ୍ଧାର ବୋଲି ଅବିହିତ କରିଛନ୍ତି। ଅତିଶୀଘ୍ର ଏହି ସର୍ବପୁରାତନ ବିଦ୍ୟାଳୟଟିର ନିର୍ମାଣକାର୍ଯ୍ୟ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ସମସ୍ୟା ନେଇ ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବଦାସ ତାମାରାପୁଙ୍କ ସହ ଯୋଗାଯୋଗ କରିବାରୁ ସମସ୍ୟା ନେଇ ମୋହନା ବିଡିଓ ଏବଂ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି ଏବଂ ଅତିଶୀଘ୍ର ବିଦ୍ୟାଳୟର ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।
Comments are closed.