www.samajalive.in
Sunday, December 14, 2025
23.1 C
Bhubaneswar

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ଆଜି

ମୁମ୍ବଇ : ଭାରତ-ଅଷ୍ଟ୍ରେଲିଆ ରୋମାଞ୍ଚକର ଟେଷ୍ଟ ଶୃଙ୍ଖଳାର ଅନ୍ତଃ ବିନା ରୋମାଞ୍ଚରେ ହୋଇଛି। ଘରୋଇ ଭାରତ ଏହି ଶୃଙ୍ଖଳାକୁ ୨-୧ରେ ଜିତିବାରେ ସଫଳ ହୋଇଛି। କ୍ରିକେଟ୍‌ପ୍ରେମୀଙ୍କ ଦୃଷ୍ଟି ଏବେ ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳା ଉପରେ। ଭାରତରେ ଚଳିତବର୍ଷ ଦିନିକିଆ ବିଶ୍ବକପ୍‌ ଥିବାରୁ ଉଭୟ ଦଳ ଏହି ଶୃଙ୍ଖଳାକୁ ଅତ୍ୟନ୍ତ ଗୁରୁତ୍ବ ଦେଉଛନ୍ତି। ଭାରତୀୟ ଦଳ ଟେଷ୍ଟର ବିଜୟଧାରା ଦିନିକିଆରେ ବଜାୟ ରଖିବାକୁ ଚାହୁଁଥିବା ବେଳେ ଅଷ୍ଟ୍ରେଲିଆ ପ୍ରତିଶୋଧ ଲକ୍ଷ୍ୟରେ ଖେଳିବ। ଟେଷ୍ଟ ଶୃଙ୍ଖଳା ପରି ଏହି ଶୃଙ୍ଖଳାରେ ଆଇସିସି ମାନ୍ୟତାରେ ପ୍ରଥମ ୨ଟି ସ୍ଥାନରେ ଥିବା ଦଳଙ୍କ ମଧ୍ୟରେ ମୁକାବିଲା ହେବ। ଫରକ ଏତିକି ଯେ ଟେଷ୍ଟରେ ଅଷ୍ଟ୍ରେଲିଆ ୧ନଂ ଦଳ ଥିବା ବେଳେ ଦିନିକିଆରେ ଭାରତ ୧ନଂ ଦଳ। ତେଣୁ ଶୃଙ୍ଖଳାରେ ଘମାଘୋଟ ମୁକାବିଲା ହେବା ନିଶ୍ଚିତ।
ପ୍ରଥମ ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମା ନ ଥିବାରୁ ହାର୍ଦିକ ପାଣ୍ଡ୍ୟା ଭାରତର ନେତୃତ୍ବ ନେବେ। ସେହିପରି ପ୍ୟାଟ୍ କମିନ୍‌ସ ନିକଟରେ ମାଆଙ୍କୁ ହରାଇଥିବାରୁ ପୂରା ଶୃଙ୍ଖଳାରେ ଷ୍ଟିଭେନ୍ ସ୍ମିଥ୍ ଅଷ୍ଟ୍ରେଲିଆର ନେତୃତ୍ବ ନେବେ। ପୁଣି ଅଷ୍ଟ୍ରେଲିଆର ଦୁଇ ପେସ୍‌ ବୋଲର ଜୋସ୍ ହାଜେଲଉଡ୍‌ ଓ ଝାଏ ରିଚାର୍ଡସନ୍ ଆହତ ଥିବାରୁ ଏହି ଶୃଙ୍ଖଳା ଖେଳିବେନାହିଁ। ଋଷଭ ପନ୍ତ୍ ଓ ଯଶପ୍ରୀତ ବୁମ୍‌ରା ବହୁ ପୂର୍ବରୁ ଶୃଙ୍ଖଳାରୁ ବାଦ୍‌ ପଡ଼ିଥିବା ବେଳେ ଶ୍ରେୟାସ ଆୟର ପିଠି ଆଘାତ ଯୋଗୁଁ ପୂରା ଶୃଙ୍ଖଳା ଖେଳିବେନାହିଁ। ଭାରତ ଗତ ୨ଟି ଦିନିକିଆ ଶୃଙ୍ଖଳାରେ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡକୁ ୩-୦ରେ ହରାଇଥିବା ବେଳେ ନଭେମ୍ବରରେ ଇଂଲଣ୍ଡକୁ ସମାନ ବ୍ୟବଧାନରେ ଅଷ୍ଟ୍ରେଲିଆ ପରାସ୍ତ କରିଥିଲା। ମିଚେଲ ଷ୍ଟାର୍କ, ନାଥାନ୍ ଏଲିସ୍‌ ଓ କାମେରନ୍ ଗ୍ରୀନ୍‌ ଅଷ୍ଟ୍ରେଲିଆର ପେସ୍‌ ବୋଲିଂ ଦାୟିତ୍ବ ସମ୍ଭାଳିବେ। ଦୁଇ ସ୍ପିନର ଭାବେ ଖେଳିବେ ଆଷ୍ଟନ ଏଗାର୍ ଓ ଆଡାମ୍ ଜାମ୍ପା। ଗୋଡ଼ ଭାଙ୍ଗିଯିବା ପରେ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କର ଏହା ପ୍ରଥମ ଶୃଙ୍ଖଳା ହେବ। ତେଣୁ ମ୍ୟାଚ୍‌ ଖେଳିବାକୁ ସେ ସମ୍ପୂର୍ଣ୍ଣ ଫିଟ୍‌ ଅଛନ୍ତି କି ନାହିଁ; ତାହା ସ୍ପ​‌ଷ୍ଟ ହୋଇନାହିଁ। କହୁଣୀ ଆଘାତ ଯୋଗୁଁ ସ୍ବଦେଶ ଫେରିବା ପୂର୍ବରୁ ଟେଷ୍ଟ ଶୃଙ୍ଖଳାର ପ୍ରଥମ ୨ଟିଯାକ ମ୍ୟାଚ୍‌ରେ ଡେଭିଡ୍‌ ୱାର୍ଣ୍ଣର ବିଫଳ ହୋଇଥିଲେ। ଏବେ ତାଙ୍କ ଦିନିକିଆ ପ୍ରଦର୍ଶନ ଉପରେ ନଜର। ଆରୋନ୍ ଫିଞ୍ଚ୍‌ଙ୍କ ଅବସର ପରେ ଦିନିକିଆରେ ଓପ୍‌ନିଂ ଭାର ଟ୍ରାଭିସ୍ ହେଡ୍‌ଙ୍କୁ ମିଳିଛି। ଇଂଲଣ୍ଡ ବିପକ୍ଷ ୩ଟି ଦିନିକିଆରେ ହେଡ୍‌ ୬୯, ୧୯ ଓ ୧୫୨ ରନ୍‌ କରିଥିଲେ। ଭଲ ଫର୍ମରେ ଥିବାରୁ ସେ ଭାରତକୁ ଚିନ୍ତାରେ ପକାଇ ପାରନ୍ତି। ଯଦି ମାର୍ନସ ଲାବୁସେନ୍ ଖେଳିବେ; ତେବେ ମିଚେଲ ମାର୍ଶ ଓ ମାର୍କସ ଷ୍ଟୋଇନିସ୍‌ଙ୍କ ମଧ୍ୟରୁ ଜଣେ ଖେଳିବେ। ରୋହିତ ଶର୍ମା ନଥିବାରୁ ଶୁବ୍‌ମାନ ଗିଲ୍‌ଙ୍କ ସହ ଈଶାନ୍ କିଷନ୍ ଇନିଂସ ଓପନ୍ କରିବେ ଏବଂ କେ.ଏଲ୍‌. ରାହୁଲ ୫ନଂ ସ୍ଥାନରେ ଖେଳିବେ। ମଧ୍ୟକ୍ରମରେ ୪ନଂ ସ୍ଥାନ ପାଇଁ ସୂର୍ଯ୍ୟକୁମାର ଯାଦବ ଓ ରଜତ ପଟିଦାରଙ୍କ ମଧ୍ୟରେ ମୁକାବିଲା ହେବ। ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଖେଳିବା ନିଶ୍ଚିତ ହୋଇଥିବା ବେଳେ ୨ୟ ସ୍ଥାନ ପାଇଁ ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦରଙ୍କ ମଧ୍ୟରେ ମୁକାବିଲା ହେବ। ମହମ୍ମଦ ସିରାଜ୍‌ ଓ ସାର୍ଦ୍ଦୁଳ ଠାକୁର ଖେଳିବା ନିଶ୍ଚିତ ହୋଇଥିବା ବେଳେ ୩ୟ ପେସ୍ ବୋଲର ଭାବେ ମହମ୍ମଦ ସାମି ଓ ଉମ୍ରାନ୍ ମାଲିକ୍‌ଙ୍କ ମଧ୍ୟରୁ ଜଣେ ଖେଳିବେ। ଅଷ୍ଟ୍ରେଲିଆ ଅପେକ୍ଷା ଭାରତର ବ୍ୟାଟିଂ ଅଧିକ ଶକ୍ତିଶାଳୀ ଥିବାରୁ ମ୍ୟାଚ୍‌ ଜିତିବାକୁ ଭାରତ ଫେଭରିଟ୍‌। ବିରାଟ କୋହଲିଙ୍କ ଉପରେ ସଭିଙ୍କ ନଜର ରହିବ। ଅହମ୍ମଦାବାଦ ଟେଷ୍ଟରେ ୧୮୬ ରନ୍‌ କରିଥିବା କୋହଲି ଦିନିକିଆରେ ମଧ୍ୟ ଏହି ଫର୍ମ ଦେଖାଇବେ ବୋଲି ଆଶା। ୱାଙ୍ଖେଡ଼େ ପିଚ୍‌ରେ ପୂର୍ବରୁ ଅଧିକ ରନ୍‌ ହୋଇଛି ଏବଂ ଏଥର ମଧ୍ୟ ତାହା ଦେଖିବାକୁ ମିଳିବ। ୨୦୨୦ରେ ଭାରତ ବିପକ୍ଷ ଏକ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୩୮ ଓଭରରେ ୨୫୬ ରନ୍‌ର ପିଛାକରି ଜିତିବା ସହ କୌଣସି ୱିକେଟ ହରାଇ ନଥିଲା। ଭାରତ ମାଟିରେ ୮ଟି ଦିନିକିଆ ଇନିଂସରୁ ଡେଭିଡ୍‌ ୱାର୍ଣ୍ଣର ୫୫.୮୫ ଆଭ୍‌ରେଜରେ ୩୯୧ ରନ୍‌ କରିଛନ୍ତି। କେ.ଏଲ୍‌. ରାହୁଲ ଟେଷ୍ଟ ଦଳରେ ସ୍ଥାନ ହରାଇଥିଲେ ହେଁ ଦିନିକିଆରେ ୫୦ରୁ ଅଧିକ ଆଭ୍‌ରେଜ୍‌ରେ ୧୬ଟି ଇନିଂସରୁ ୬୫୮ ରନ୍‌ କରିଛନ୍ତି। ୨୦୧୯ ଦିନିକିଆ ବିଶ୍ବକପ୍‌ ପରଠାରୁ ଟ୍ରେଣ୍ଟ ବୋଲ୍‌ଟଙ୍କ ପରେ ମହମ୍ମଦ ସିରାଜ୍‌ଙ୍କ ଦିନିକିଆ ବୋଲିଂ ଆଭ୍‌ରେଜ୍‌ ସବୁଠାରୁ ଭଲ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories