www.samajalive.in
Sunday, December 14, 2025
16.1 C
Bhubaneswar

ବେଙ୍ଗାଲୁରୁରେ ୧୦ଦିନ କାଳ ପଡିରହିଛି ଝିଅର ମୃତଦେହ -ଝିଅର ମୃତଦେହ ଓଡିଶା ଆଣିବାକୁ ଭିକ୍ଷା କରୁଛନ୍ତି ବାପା, ମା’

ପିପିଲି :ବେଙ୍ଗାଲୁରୁରେ ପଡିରହିଥିବା ଝିଅର ମୃତଦେହକୁ ଓଡିଶା ଆଣିବା ପାଇଁ ପିପିଲିରେ ଭିକ୍ଷା କରୁଛନ୍ତି କଣାସ ଅଞ୍ଚଳର ଗରୀବ ବାପା-ମାଆ । ‘ମୁଁ ଜଣେ ଗରୀବ ଦିନ ମଜୁରିଆ । ମୋ ଝିଅକୁ ଗତ ୬ ତାରିଖରେ ବେଙ୍ଗାଲୁରୁ ଥାନା ଅଞ୍ଚଳରେ ହତ୍ୟା କରାଯାଇଛି । ତାର ମୃତଦେହ ସେଠାରେ ପଡିରହିଛି । ମୃତଦେହ ଆଣିବା ପାଇଁ ସେଠାକାର ପୁଲିସ ମୋତେ ଡକାଇଛି ।

ସେଠାକୁ ଯାଇ ମୃତଦେହ ଆଣିବା ପାଇଁ ମୋ ପାଖରେ ପଇସା ନାହିଁ । ଆପଣମାନେ ସାହାଯ୍ୟ କଲେ ମୋ ଝିଅର ଶବକୁ ମୁଁ ଓଡିଶା ଆଣିପାରିବି’ ବୋଲି କଣାସ ଅଞ୍ଚଳର ଗଜେନ୍ଦ୍ର ହରିଚନ୍ଦନ ଆକୁଳ ନିବେଦନ କରି ନିଜ ପତ୍ନୀଙ୍କ ସହ ପିପିଲି ବଜାରରେ ବୁଧବାର ଦୋକାନରୁ ଦୋକାନକୁ ବୁଲି ଆର୍ଥିକ ସହାୟତା ମାଗିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଭିନ୍ନ ପରିବେଶ ସୃଷ୍ଟି କରିଥିଲା ।
ପ୍ରାପ୍ତ ସୂଚନା ଅନୁଯାଇ, କଣାସ ଥାନା ଅଞ୍ଚଳର ଜନୈକା ୧୭ ବର୍ଷୀୟା ନାବାଳିକାକୁ ସେହି ଅଞ୍ଚଳର ଜଣେ ଯୁବକ ଗତ ୨୦୨୧ ମସିହା ଅପ୍ରେଲ ୨୬ ତାରିଖରେ କେଉଁ ଆଡେ ନେଇ ଯାଇଥିବା ସଂପର୍କରେ ଝିଅର ବାପା ସେହିମାସ ୩୦ ତାରିଖରେ କଣାସ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ପୁଲିସ ଉକ୍ତ ଅଭିଯୋଗକୁ ଗୁରୁତ୍ୱ ଦେଇନଥିବା ବେଳେ ମାମଲା ପଞ୍ଜିକରଣ ମଧ୍ୟ କରିନଥିବା ଅଭିଯୋଗ ହୋଇଛି । ଅପହରଣକାରୀ ଯୁବକ ଉକ୍ତ ନାବାଳିକାକୁ ପରବର୍ତ୍ତୀ ସମୟରେ ବିବାହ କରି ବେଙ୍ଗାଲୁରୁ ନେଇଯାଇଥିଲା ।

- Advertisement -

ତମ ଝିଅ ମରିଯାଇଛି, ଏଠାକୁ ଆସି ଶବ ନେଇଯାଅ ବୋଲି ଗତ ୬ ତାରିଖ ରାତି ୨ଟା ସମୟରେ ଝିଅର ବାପାଙ୍କ ପାଖକୁ ଫୋନ ଆସିଥିଲା । ୭ ତାରିଖ ଦିନ ଏହି ଘଟଣା ସଂପର୍କରେ ଝିଅର ବାପା କଣାସ ଥାନାରେ ଜଣାଇଥିଲେ । ସେହିଦିନ ପୁନର୍ବାର କର୍ଣ୍ଣାଟକର ବେଙ୍ଗାଲୁର ଅନ୍ତର୍ଗତ ବେଲାନ୍ଦୁର ଥାନାରୁ ଝିଅର ବାପାଙ୍କ ପାଖକୁ ଫୋନ ଆସିଥିଲା ଓ ଏଠାକୁ ଆସି ମୃତଦେହକୁ ନେଇଯିବା ପାଇଁ କୁହାଯାଇଥିଲା । ତେବେ ମୃତାଙ୍କ ବାପା ଜଣେ ଦିନ ମଜୁରିଆ ହୋଇଥିବା ବେଳେ ଆର୍ଥିକ ଅନାଟନ କାରଣରୁ ସେ ଏତେ ଦୂରରୁ ମୃତଦେହ ଆଣିବାରେ ଅକ୍ଷମତା ପ୍ରକାଶ କରିଥିଲେ । ମୃତଦେହକୁ ସେଠାରୁ ଓଡିଶା ଆଣିବା ଦିଗରେ ପୁଲିସ ପ୍ରଶାସନ ସହଯୋଗ କରୁ ବୋଲି ମୃତାଙ୍କ ବାପା, ମାଆ ଏକ ସାମ୍ବାଦିକ ସମ୍ମିଳନୀରେ ଆକୁଳ ନିବେଦନ କରିଥିଲେ । ଜାତୀୟ ଦଳିତ, ଆଦିବାସୀ, ମାଇନୋରିଟି ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ ଉକ୍ତ ଗରୀବ ପରିବାରକୁ ସହଯୋଗ କରିବା ପାଇଁ ସରକାରଙ୍କୁ ଏକ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରିବା ସହ ଏ ସଂପର୍କରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ବିଫଳ ହୋଇଥିବା ସୂଚନା ମିଳିଛି । ସରକାରୀସ୍ତରରେ ସହାୟତା ପାଇବାରୁ ନିରାଶ ହେବା ପରେ ବେଙ୍ଗାଲୁରୁରେ ୧୦ଦିନ କାଳ ପଡି ରହିଥିବା ମୃତା କନ୍ୟାର ଶବକୁ ଓଡିଶା ଆଣିବା ପାଇଁ ଶେଷରେ ବୁଧବାର ଏହି ଗରୀବ ପରିବାର ପିପିଲି ବଜାରରେ ଭିକ୍ଷା ମାଗୁଥିବା ଦେଖିବାକୁ ମିଳିଥିଲା । ମୃତାଙ୍କ ବାପା ଗଜେନ୍ଦ୍ର ଓ ତାଙ୍କ ପତ୍ନୀ ହାତରେ ଏକ ବାକ୍ସ ଧରି ପିପିଲି ବଜାରରେ ଦୋକାନକୁ ଦୋକାନ ବୁଲି ଭିକ୍ଷା ମାଗିଥିଲେ । ‘ମୋ ଝିଅର ଶବକୁ ବେଙ୍ଗାଲୁରୁରୁ ଫେରାଇ ଆଣିବା ପାଇଁ ଆପଣମାନଙ୍କ ସାହାଯ୍ୟ ନିହାତି ଦରକାର’ ବୋଲି ଉକ୍ତ ବାକ୍ସରେ ଲେଖାଥିଲା । ଭିକ୍ଷା ମାଗୁଥିବା ବାପା, ମାଙ୍କ ଦୁଃଖ ଶୁଣି ଲୋକେ ମଧ୍ୟ ନିଜ ସାଧ୍ୟମତେ ସାହାଯ୍ୟ କରିଥିଲେ । ଘଟଣା ସଂପର୍କରେ ତାଙ୍କ ଠାରୁ ପଚାରି ବୁଝିବା ପରେ କେହି ସହାୟତା ଅର୍ଥ ବାକ୍ସରେ ଦେଉଥିବାବେଳେ ଅନ୍ୟ କେତେକ ଲେଖା ପଢି ସହାୟତା କରୁଥିବା ପରିଲକ୍ଷିତ ହୋଇଥିଲା । ଏହି ଘଟଣା ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ବ୍ୟବସାୟୀଙ୍କୁ ବ୍ୟଥିତ କରିଥିଲା । ଜାତୀୟ ଦଳିତ, ଆଦିବାସୀ, ମାଇନୋରିଟି ମହାସଂଘର ରାଜ୍ୟ ସଂପାଦିକା ସୋନୀଲତା ସେଠୀ, ବଳଙ୍ଗା ସଭାନେତ୍ରୀ ମିନତୀ ମଲ୍ଲିକ ଓ ମଙ୍ଗଳପୁର ସଭାନେତ୍ରୀ ମୀନା ସେଠୀଙ୍କ ସମେତ ଅନ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଗଜେନ୍ଦ୍ର ଓ ତାଙ୍କ ପତ୍ନୀ ପିପିଲି ଚାନ୍ଦୁଆ ବଜାର, ପଣ୍ଡାବଜାର, ତରାକାଜ ଛକ ଆଦି ସ୍ଥାନରେ ବ୍ୟବସାୟୀଙ୍କୁ ଆକୁଳ ନିବେଦନ କରି ସହାୟତା ମାଗିଥିଲେ । ଜଣେ ଗରୀବ ଝିଅର ମୃତଦେହକୁ ବେଙ୍ଗାଲୁରୁରୁ ଓଡିଶା ଆଣିବା ଦିଗରେ ସରକାରୀସ୍ତରରେ ସହଯୋଗ ନମିଳିବା ଘଟଣା ସ୍ଥାନୀୟ ବୁଦ୍ଧିଜୀବୀଙ୍କୁ ଆଚମ୍ବିତ କରିଥିଲା । ମୋ ଝିଅର ମୃତଦେହକୁ ଓଡିଶା ଆଣିବା ଦିଗରେ ପୁଲିସ ପ୍ରଶାସନ ଓ ସରକାର ମୋତେ ସହଯୋଗ କରନ୍ତୁ ବୋଲି ଗଜେନ୍ଦ୍ର ଆକୁଳ ନିବେଦନ କରିବା ସହ ଝିଅର ମୃତ୍ୟୁ ରହସ୍ୟ ଉନ୍ମୋଚନ ଓ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।
ଫଟୋ ଆଟାଚ୍‍ ଅଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories