ଉପଭୋକ୍ତା ବିବାଦ ସମାଧାନ ପ୍ରଣାଳୀ

ଡଃ. ନ୍ୟାୟମୂର୍ତ୍ତି ଦୁର୍ଗା ପ୍ରସନ୍ନ ଚୌଧୁରୀ

ପ୍ରତ୍ୟେକ ମଣିଷର ମୁଖ୍ୟତଃ ଘର, ଖାଇବା ଓ ପିନ୍ଧିବା ଦରକାର। ଆଦିମ ଯୁଗରେ ମଧ୍ୟ ମଣିଷ ଶିକାର କରି କ୍ଷୁଧା ମେଣ୍ଟାଉଥିଲା, କୁଡ଼ିଆଟିଏ କରି ରହୁଥିଲା, ଗଛର ବକଳ ପିନ୍ଧି ନିଜର ଶରୀର ଢାଙ୍କୁଥିଲା। କାଳକ୍ରମେ ମଣିଷର ବଂଶବୃଦ୍ଧି ଘଟିଲା। ଗୋଷ୍ଠୀ ଜୀବନ ଆରମ୍ଭ ହେଲା। ତାହାକୁ ‘Clan’ ବୋଲି କୁହାଯାଉଥିଲା। ଧୀରେଧୀରେ ମଣିଷର ଆବଶ୍ୟକତାର ବଢିଲା। ତେଣୁ ଲୋକମାନେ ଅନ୍ୟମାନଙ୍କଠାରୁ ଖାଦ୍ୟ ପଦାର୍ଥ ଓ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ପଦାର୍ଥ କିଣିବାକୁ ପସନ୍ଦ କଲେ। ପ୍ରଥମେ କଉଡ଼ି କିମ୍ବା ଅନ୍ୟାନ୍ୟ ଜିନିଷ କିଣାବିକାର ମାଧ୍ୟମ ଭାବେ ବ୍ୟବହାର କରାଗଲା। ବିଜ୍ଞାନ ତଥା ସଭ୍ୟତାର ଉନ୍ନତି ସଙ୍ଗେସଙ୍ଗେ ମଣିଷ ସମାଜ ସାମୂହିକ ବିକାଶ ପାଇଁ ତତ୍ପର ହୋଇଉଠିଲା।

୧୭୯୦ ଖ୍ରୀଷ୍ଟାବ୍ଦରେ ଡେନ୍‌ମାର୍କରେ ପ୍ରଥମେ ଶିଳ୍ପାନୁଷ୍ଠାନରେ ଦୁଗ୍ଧ ଓ ମାଂସର ପ୍ରଚୁର ବ୍ୟବସାୟ ହେବା ଫଳରେ ଖାଉଟି ଆନ୍ଦୋଳନ ଗଢ଼ି ଉଠିଥିଲା। ଉକ୍ତ ଶିଳ୍ପାନୁଷ୍ଠାନରେ ଖାଉଟିମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇଥିଲା। ୧୯୬୦ରେ ଆମେରିକାରେ କେତେକ ଗୋଷ୍ଠୀ ଯଥା- ଯୁକ୍ତରାଷ୍ଟ୍ର ଆମେରିକା ବ୍ୟାବସାୟିକ ସଂସ୍ଥା (ଚେମ୍ବର ଅଫ୍‌ କମର୍ସ) ଓ ନ୍ୟାସନାଲ ରିଟେଲ ଫେଡେରେସନ୍‌ ଗ୍ରାହକତ୍ବର ସୂତ୍ରପାତ କରି ଖାଉଟି ସୁରକ୍ଷା ପାଇଁ ଖୋରାକ୍‌ ଯୋଗାଇଥିଲେ। ୧୯୬୨ ମସିହା ମାର୍ଚ୍ଚ ୧୫ ତାରିଖ ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ଜନ୍‌ ଏଫ କେନେଡି ଗ୍ରାହକମାନଙ୍କର ନିମ୍ନୋକ୍ତ ଚାରିଟି ଅଧିକାର ଅଛି ବୋଲି ଘୋଷଣା କଲେ। ସେଗୁଡ଼ିକ ହେଉଛି:

(୧) ସୁରକ୍ଷାର ଅଧିକାର, (୨) ଗ୍ରାହକର ଜାଣିବାର ଅଧିକାର, (୩)ଗ୍ରାହକର ପଦାର୍ଥ ବା ସେବା ବାଛିବାର ଅଧିକାର, (୪) ଗ୍ରାହକ କଥାକୁ ସମ୍ମାନ ସହ ଶୁଣିବା।
ଏତଦ୍ଦ୍ବାରା ଯୁକ୍ତରାଷ୍ଟ୍ର ଆମେରିକାରେ ଗ୍ରାହକ ବା ଖାଉଟିର ଅଧିକାର ଉପରେ ପ୍ରକୃତ ତର୍ଜମା କରାଗଲା। ସେଥିପାଇଁ ମାର୍ଚ୍ଚ ୧୫ ତାରିଖକୁ ବିଶ୍ବ ଖାଉଟି ଦିବସ ଆଖ୍ୟା ଦିଆଯାଇଛି। ଗ୍ରାହକଙ୍କ ପ୍ରତ୍ୟେକ ବ୍ୟବହାର୍ଯ୍ୟ ପଦାର୍ଥ ବା ବସ୍ତୁ ବା ସେବାପ୍ରତି ସୁରକ୍ଷା ଦିଆଯିବା ଦରକାର। ସେହିପରି ପ୍ରତ୍ୟେକ ବସ୍ତୁ ବା ପଦାର୍ଥର ଗୁଣାତ୍ମକ ଭାବ ଗ୍ରାହକ ଜାଣିବା ଦରକାର। ଗ୍ରାହକର ମଧ୍ୟ ସମସ୍ତ ପଦାର୍ଥ ଦେଖି ସେଥିରୁ ବାଛିବାର ଅଧିକାର ଅଛି। ଯଦି ଦୋଷ ତ୍ରୁଟି ଥାଏ ତାହା ମଧ୍ୟ ଗ୍ରାହକ ଅଭିଯୋଗ କରିବାର ଅଧିକାର ଉନ୍ମୋଚିତ ହେଲା।

ସେହିପରି ଜାତିସଂଘ ଆମେରିକାର ଗ୍ରାହକଙ୍କ ଅଧିକାରକୁ ପୂର୍ଣ୍ଣ ସମର୍ଥନ କରି ପ୍ରତ୍ୟେକ ମଣିଷ ପାଇଁ ୧୯୮୫ ମସିହାରେ ଆଉ ଚାରିଟି ଅଧିକାର ସ୍ଥାପନ କଲେ।
ଏହା ମଧ୍ୟ ମନେରଖିବା ଉଚିତ୍‌ ଯେ ଭାରତ ସମ୍ବିଧାନର ଧାରା ୨୧ ଅନୁସାରେ ପ୍ରତ୍ୟେକ ନାଗରିକର ଜୀବନ ଓ ଜୀବିକା ନିର୍ବାହ କରିବାର ମୌଳିକ ଅଧିକାର ଅଛି। ଯଦି ଏହା କ୍ଷୁଣ୍ଣ କରାଯାଏ, ତାହା ଆଇନ ଅନୁଯାୟୀ ନିଷିଦ୍ଧ କରାଯିବ। ଉଦାହରଣ ସ୍ବରୂପ ଜେଲ ସଂକ୍ରାନ୍ତ ଆଇନ, ତଥାପି ଯଦି ଦରକାର ପଡ଼େ, ସେଠାରେ ମଧ୍ୟ ତାହା ଅଦାଲତର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ଏଣୁ ପ୍ରତ୍ୟେକ ଗ୍ରାହକଙ୍କର ଜୀବିକା ନିର୍ବାହ ପାଇଁ ନିର୍ମଳ ତଥା ଉପଯୁକ୍ତ ଦ୍ରବ୍ୟ ଓ ସେବା ପାଇବାର ମୌଳିକ ଅଧିକାର ଅଛି।

ଏଣୁକରି, ଲୋକମାନଙ୍କ ମୌଳିକ ଅଧିକାର ତଥା ଗ୍ରାହକଙ୍କର ଆନ୍ତର୍ଜାତିକ ସ୍ତରରେ ଅଧିକାରଗୁଡ଼ିକୁ ଦୃଷ୍ଟିରେ ରଖି ୧୯୮୬ରେ ଭାରତରେ ଖାଉଟି ସୁରକ୍ଷା ଆଇନ ଗଢ଼ାଗଲା। ଏହି ଆଇନ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇ ଆଇନରେ ୨୪ ଡିସେମ୍ବର ୧୯୮୬ରେ କାର୍ଯ୍ୟକାରୀ ହେଲା। ଏହି ଦିନକୁ ଜାତୀୟ ଖାଉଟି ଅଧିକାର ଦିବସ ରୂପେ ପାଳନ କରାଯାଏ। ଖାଉଟି ସୁରକ୍ଷା ଆଇନ ୧୯୮୬ରେ ୪ଟି ଅଧ୍ୟାୟ ଥିଲା। ଉକ୍ତ ଆଇନରେ ମୁଖ୍ୟତଃ ଜିଲା, ରାଜ୍ୟ ତଥା କେନ୍ଦ୍ରୀୟ ଖାଉଟି କମିସନଙ୍କ କାର୍ଯ୍ୟକରିବା ଉପରେ ଚର୍ଚ୍ଚା କରାଯାଇଛି। ସେହି ଆଇନ ଅନୁସାରେ ଯେ କୌଣସି ଗ୍ରାହକ, ଗ୍ରାହକ ସଂସ୍ଥା ତଥା ଅନ୍ୟାନ୍ୟ ବର୍ଗର ଲୋକ ଯଦି ନିଜର ଜୀବିକା ପାଇଁ ନିମ୍ନମାନର ପଦାର୍ଥ ବା ଦ୍ରବ୍ୟ କିଣନ୍ତି ବା କୌଣସି ସାର୍ବଜନୀନ ସେବା ପାଇବାରୁ ବାଦ୍‌ ପଡ଼ନ୍ତି, ତେବେ ସେମାନେ ଆୟୋଗର ଦ୍ବାରସ୍ଥ ହୋଇପାରିବେ।

ଉକ୍ତ ୧୯୮୬ ଆଇନରେ ସୀମିତ ଅଧିକାର ଥିବାରୁ ଓ ସମସ୍ତ ପ୍ରକାର ସୁବିଧା ଆଦିରୁ ଖାଉଟି ବଞ୍ଚିତ ଥିବା ଅନୁଭବ କରି ଆଇନରେ ପରିବର୍ତ୍ତନ ପାଇଁ ସୁପ୍ରିମ୍‌କୋର୍ଟ କେତେକ ପରାମର୍ଶ ଦେଇଥିଲେ। କେନ୍ଦ୍ର ସରକାର ମଧ୍ୟ ଖାଉଟିମାନଙ୍କୁ ଉପଭୋକ୍ତାର ଆଠଟି ଅଧିକାର ସାବ୍ୟସ୍ତ କରିବାକୁ ଖାଉଟି ସୁରକ୍ଷା ଆଇନ ୨୦୧୯ର ପ୍ରଣୟନ କଲେ। ତାହା ୨୦.୭.୨୦ରେ କାର୍ଯ୍ୟକାରୀ ହୋଇଛି। ଏହାଦ୍ବାରା ୧୯୮୬ ଆଇନର ପରିସମାପ୍ତି ଘଟିଛି; କିନ୍ତୁ ଯେଉଁ ମକଦ୍ଦମା ଉକ୍ତ ତାରିଖ ପୂର୍ବରୁ ଚାଲିଛି, ତାହା ସେହି ଆଇନ ମୁତାବକ ଚାଲିବ ବୋଲି ନୂତନ ଆଇନରେ ଉଲ୍ଲେଖ ରହିଛି।

prayash

ଖାଉଟି ସୁରକ୍ଷା ଆଇନ ୨୦୧୯ରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଖାଉଟି କମିସନ ସହ ଏକ କେନ୍ଦ୍ରୀୟ ଖାଉଟି ସୁରକ୍ଷା ଆୟୋଗ (CCPA) ମଧ୍ୟ ଗଠନ କରାଯାଇଛି। ଏହି କେନ୍ଦ୍ରୀୟ କର୍ତ୍ତୃପକ୍ଷ (CCPA) ଖାଉଟିର ସୁରକ୍ଷା ଓ ଅଧିକାର କିପରି ସାବ୍ୟସ୍ତ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବେ। ଏହି ନୂତନ ଆଇନରେ ଉପଭୋକ୍ତା ଅଧିକାରର ସଂଜ୍ଞା ଉଲ୍ଲେଖ ଅଛି।

ଏପରିକି ଆଇନ୍‌ରେ E.commerce (online)ଦ୍ବାରା ଯେଉଁ ପଦାର୍ଥ କିଣାବିକା କରାଯାଏ, ସେଥିରେ ଖିଲାପ କରିବା ମଧ୍ୟ ପରିସରଭୁକ୍ତ ରହିଛି। ବେଆଇନ ଚୁକ୍ତିନାମା ସମ୍ପର୍କରେ ପ୍ରଥମଥର ପାଇଁ ଏହି ଆଇନ ଅନ୍ତର୍ଗତ ବିଚାର ବ୍ୟବସ୍ଥା ରହିଛି। ଯେଭଳି ଭାବରେ ବିଭିନ୍ନ Advertising Agency ଓ କଳାକାର ଯଦି ମିଥ୍ୟା Advertisement କରୁଛନ୍ତି, ସେମାନେ ଦୋଷୀ ହୋଇପାରନ୍ତି। କୌଣସି ପଦାର୍ଥ ଯେତେବେଳେ ତିଆରି ହୁଏ ଏହାର ନିର୍ମାଣ ତଥା ବିକ୍ରୟ, ଦେଉଥିବା ସେବା ଉଚ୍ଚ ମାନଦଣ୍ଡର ହେବା ଦରକାର। ଯଦି ଏଥିରେ ଖିଲାପ ହୁଏ ତେବେ ଏହି ଆଇନ ବଳରେ ଅଭିଯୁକ୍ତକୁ ଦଣ୍ଡ ଦିଆଯାଇପାରେ। ସେଥିପାଇଁ ଉତ୍ପନ୍ନ ପଦାର୍ଥ (Product liability) ବିଷୟ ନୂଆ ଆଇନରେ ପର୍ଯ୍ୟବସିତ ହୋଇଅଛି। ସେହିପରି ଆଇନରେ ମଧ୍ୟସ୍ଥତା ପ୍ରଣାଳୀ ମାଧ୍ୟମରେ ମକଦ୍ଦମାର ବିଚାର ବ୍ୟବସ୍ଥା ଅଛି। ବିଶେଷତ୍ବ ହେଉଛି ଯଦି ଜିଲା ତଥା ରାଜ୍ୟ ଖାଉଟି କମିସନ ଓ ଜାତୀୟ ଖାଉଟି କମିସନଙ୍କ ଆଦେଶ ଅମାନ୍ୟ ହୁଏ ତାହା ହେଲେ ଦଣ୍ଡବିଧାନ ବ୍ୟବସ୍ଥା କରାଯାଇଅଛି।

ଉକ୍ତ ନୂତନ ଆଇନରେ କୌଣସି ଦ୍ରବ୍ୟ ବା ସେବା ପାଇଁ ଯଦି ଗ୍ରାହକ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ (Paid) କରିଥାଏ; କିନ୍ତୁ ଦ୍ରବ୍ୟ କିମ୍ବା ସେବା ପାଇବାରୁ ବଞ୍ଚିତ ହୁଏ, ତାହା ପାଇଁ ଜିଲା ଖାଉଟି କମିସନର ଦ୍ବାରସ୍ଥ ହୋଇପାରିବ। ଯଦି ଗ୍ରାହକ ୫୦ ଲକ୍ଷରୁ ଊର୍ଦ୍ଧ୍ବ ତଥା ୨କୋଟି ମଧ୍ୟରେ ବିକ୍ରି ମୂଲ୍ୟ ତଥା ସେବାର ମୂୂଲ୍ୟ ପ୍ରଦାନ କରିଥାଏ, ରାଜ୍ୟ ଖାଉଟି କମିସନ, ଦ୍ରବ୍ୟ ବା ସେବା ପାଇଁ ୨କୋଟି ଊର୍ଦ୍ଧ୍ବ ଟଙ୍କାର ପ୍ରଦାନ କରାଯାଇଥିଲେ ଜାତୀୟ ଖାଉଟି କମିସନର ଦ୍ବାରସ୍ଥ ହେବେ। ଜିଲା କମିସନର ରାୟ ବିରୋଧରେ ଅପିଲ୍‌ ରାଜ୍ୟ ଖାଉଟି କମିସନରେ ଦାଖଲ କରିପାରିବେ। ସେହିପରି ରାଜ୍ୟ ଖାଉଟି ଅଦାଲତ ବିରୋଧରେ ଜାତୀୟ ଖାଉଟି କମିସନରେ ଆବେଦନ କରିବେ। ଜାତୀୟ ଉପଭୋକ୍ତା କମିସନ ରାୟ ବିରୋଧରେ ସୁପ୍ରିମ୍‌କୋର୍ଟରେ ମଧ୍ୟ ମକଦ୍ଦମା ଦାୟର କରିପାରିବେ।

ନୂତନ ଖାଉଟି ସୁରକ୍ଷା ଆଇନ ୨୦୧୯ ଏକ ଯୁଗାନ୍ତକାରୀ ପଦକ୍ଷେପ। କାରଣ ଏହାଦ୍ବାରା ଉପଭୋକ୍ତା ନିଜର ଅଧିକାର ବା ଦାବି ଅ​‌େ​‌କ୍ଳଶରେ ହାସଲ କରିପାରିବ। ସେଥିପାଇଁ ଗଣମାଧ୍ୟମ ଏନେଇ ସଚେତନତା କରିପାରିବ। ଓଡ଼ିଶାର ରାଜ୍ୟ ଖାଉଟି କମିସନ ତଥା ୩୧ଟି ଜିଲା କମିସନରେ e-filing edaakhil.nic.in ତଥା ଆଭାସିରେ କେସ୍‌ ଦାଖଲ ବ୍ୟବସ୍ଥା କରାଯାଇଛି। ଏଣୁ ଯେ କୌଣସି ଗ୍ରାହକ ନିଜର ଆପତ୍ତି e-filing ମାଧ୍ୟମରେ କରିପାରିବେ। ଏହାର ଅର୍ଥ ନୁହେଁ ଯେ କମିସନକୁ ଆସିବାପାଇଁ କିଛି ବାରଣ ରହିଛି। ଏହି ଦୁଇଟି ମାଧ୍ୟମ ଗ୍ରାହକମାନଙ୍କ ସ୍ବାର୍ଥକୁ ଆଖିରେ ରଖି ବ୍ୟବସ୍ଥା କରାଯାଇଛି। e-filing ବିବାଦର ସମାଧାନ e-despatch ମାଧ୍ୟମରେ ପଠାଇବାର ବ୍ୟବସ୍ଥା ରହିଛି।

ବର୍ତ୍ତମାନ ବିଭିନ୍ନ ଖାଉଟି ସଚେତନତା ଅନୁଷ୍ଠାନ ଖାଉଟିର ବିବାଦ ତ୍ବରିତ ସମାଧାନ ଉପରେ ଗୁରୁତ୍ବ ଦେଉଛନ୍ତି। କେନ୍ଦ୍ର ସରକାର ଓ ଓଡ଼ିଶା ସରକାର ମଧ୍ୟ ମକଦ୍ଦମାର ତ୍ବରିତ ସମାଧାନ ଉପରେ ବିଭିନ୍ନ ସମୟରେ ପରାମର୍ଶ ଦେଇଛନ୍ତି। ଏକ The Aware Consumer ପତ୍ରିକା ମାଧ୍ୟମରେ କମିସନମାନଙ୍କରେ ତ୍ବରିତ ବିଚାର ଉପରେ ଆଲୋଚନା ହୋଇଛି। ଏହାର କାରଣ ଉପରେ ଅନୁଧ୍ୟାନ କଲେ ଜଣାପଡ଼େ ଆବଶ୍ୟକ ସଂଖ୍ୟକ ବିଚାରପତି ଓ ସେମାନଙ୍କର ସମୟାନୁସାରେ ଚୟନ ପ୍ରକ୍ରିୟା ଓ ନିଯୁକ୍ତି ରାଜ୍ୟ ଓ ଜିଲା ଖାଉଟି ଆୟୋଗ ନହେବାରୁ ବିଚାର ନ ହୋଇ ମକଦ୍ଦମା ପଡ଼ିରହିଛି। ଆହୁରି ମଧ୍ୟ ଜଣାପଡ଼େ, ନିଯୁକ୍ତ ସଭାପତି ତଥା ସଭ୍ୟମାନେ ଖାଉଟି ଆଇନ ବିଷୟରେ ବାରମ୍ବାର ପ୍ରଶିକ୍ଷଣ ନେବା ଦରକାର। ଖାଉଟି ସୁରକ୍ଷା ଆଇନ ୨୦୧୯ ଅଧୀନରେ ବିବିଧ ସେବା ଓ ଦ୍ରବ୍ୟ ସଂକ୍ରାନ୍ତ ଆଇନ ବିଷୟରେ ବିଚାର କରାଯାଏ।

ସରକାର ତଥା ସମସ୍ତ ଆୟୋଗର ସଭାପତି ଓ ସଦସ୍ୟମାନଙ୍କୁ ଓ ପକ୍ଷ ତଥା ସେମାନଙ୍କ ଆଇନଜୀବୀମାନେ ସହଯୋଗ କଲେ, ସମୟ ଅନୁସାରେ ବିବାଦଗୁଡ଼ିକର ବିଚାର ହୋଇ ଖାଉଟି ନିଜର ଅଧିକାର ସାବ୍ୟସ୍ତ କରିପାରିବ।

ଭାରତବର୍ଷରେ ପ୍ରଥମଥର ପାଇଁ ଖାଉଟି ସମ୍ବନ୍ଧୀୟ ମକଦ୍ଦମାର ରେକର୍ଡ ( Digitization) ଓଡ଼ିଶା ରାଜ୍ୟ ଖାଉଟି କମିସନରେ କରାଯାଇଛି ଓ କାଗଜ ବିହୀନ ମକଦ୍ଦମାର (Paper less Courts) ବିଚାର ବ୍ୟବସ୍ଥା ଓଡ଼ିଶା ରାଜ୍ୟ ଖାଉଟି କମିସନରେ କରାଯାଇଛି। ଏହି ବ୍ୟବସ୍ଥା ମଧ୍ୟ ଜିଲା ଖାଉଟି କମିସନରେ ଲାଗୁ କରାଯାଇଛି। ଖାଉଟିଙ୍କ ସଚେତନତା ପାଇଁ ବିଭିନ୍ନ ଜିଲାର on-line ଓ Advertisement ହୋର୍ଡିଂ ଦ୍ବାରା ସେମାନଙ୍କର ଅଧିକାର ବିଷୟରେ ସଚେତନ କରାଯାଉଛି।

kalyan agarbati

Comments are closed.