ଚେଇଁ ଶୋଇଥିବ ଯିଏ

ରାଜସ୍ବ ବଢ଼ାଇବା ନାଁରେ ଯଦି ସରକାର ମଦ ବିପଣୀ ଖୋଲିବେ ତେବେ ତ କଥା ସଇଲା

ଜୀବନର ବା ବଞ୍ଚିବାର ମୂଳାଧାର ଖାଦ୍ୟ ଓ ପାନୀୟ ବିଧି ନିର୍ଦିଷ୍ଟ, ପ୍ରକୃତି ପ୍ରାୟୋଜିତ। ପ୍ରାକୃତିକ ସମ୍ପଦରେ ଭରପୂର ଏ ସଂସାରରେ ଖାଦ୍ୟ ପାନୀୟ ଅଭାବରୁ ମରିବା ଅସମ୍ଭବ। ମାତ୍ର ଇନ୍ଦ୍ରିୟାନୁଗତ ରୁଚିଗତ, ପ୍ରାୟୋଜିତ ବା ପ୍ରସ୍ତୁତ ଖାଦ୍ୟ ନ ମିଳିବା ଭିନ୍ନ ଏକ ପ୍ରସଙ୍ଗ। ସୁନ୍ଦର ଝଲମଲିଆ ମିରିଗଟେ ବିରିଆନି ଖାଉଚି ନା କଚମ୍ବର (ଦହି ପିଆଜ ପାଣି) ପିଉଚି? ଆମେ କୁଦୁଥିବା ଦୂବଘାସ ଓ ଡାଳପତ୍ର ସେ ଖାଏ। ଏଥିରେ ବି କି ଚେହେରା ହୋଇଛି ଦେଖୁନା ! ସେମିତି ହାତୀ କଥା, କେଡେ ପ୍ରକାଣ୍ଡ ଜୀବଟେ। ଗଁାଟା ଯାକ ମଣିଷର ଖାଦ୍ୟ ଖାଇଯିବ ଯେମିତି! କୋଉ ହରଲିକ୍ସ କି ଟନିକ୍‌ ଖାଉଚି? ମାତ୍ର ସଭ୍ୟ ବୋଲି ଦାବି କରୁଥିବା ମଣିଷର ପ୍ରକୃତି ଉପରୁ ନିର୍ଭରଶୀଳତା ଯେତେ କମିଲା, କୃତ୍ରିମତାର ଅଧୀନସ୍ଥ ସେତିକି ବଢିଲା। ତା’ ପରେ ଖେଳ ଚାଲିଲା। କିଏ ରାସ୍ତାକଡ଼ରେ ତ କିଏ ଡାକ୍ତରଖାନାରେ ବଦହଜମିରେ କି କଲିଜା ପୋଡ଼ି ଯିବାରେ ଗଲେ। ଏମାନେ ଇନ୍ଦ୍ରିୟାନୁଗତ ହୋଇ ଅଖାଦ୍ୟକୁ ଖାଦ୍ୟ ଓ ପାନୀୟ ମଣିଲେ, ବିଷ ପିଇଲେ। ପିଉନ କିଏ ମନା କଲା। ଆରେ ପ୍ରଥମ ବିଶ୍ବଯୁଦ୍ଧ ବେଳେ ଜାର୍‌ଙ୍କ ପରାମର୍ଶଦାତା ଥିଲେ ରାଜପୁତିନ ମ୍ୟାଡ ମଙ୍କ ଅଫ୍‌ ଋଷିଆ। ସେ ମିଳୁଥିଲେ ବେଶ୍ୟାଳୟରେ ବା ମଦ ଦୋକାନରେ। ଏହା ସତ୍ତ୍ବେ ପୃଥିବୀର ସର୍ବଶ୍ରେଷ୍ଠ ସମ୍ରାଟ ଜାର୍‌ଙ୍କର ପରାମର୍ଶଦାତା ଓ ରକ୍ଷକ ଥିଲେ। ତାଙ୍କୁ ମାରି ଦିଆଗଲା। ସେମିତି ଶିବ ବି ବିଷ ପିଇଥିଲେ, ଦେବତାମାନଙ୍କୁ ଓ ସୃଷ୍ଟିକି ରକ୍ଷା କରିଦେଲେ। ଖାଲି କଣ୍ଠଟା ଯାହା ନେଳି ପଡ଼ିଗଲା। ସେଥିପାଇଁ ତାଙ୍କୁ ନୀଳକଣ୍ଠ କହିଲେ। ଆପଣେ ଯିଏ ଏମିତି ତାରକା ହୋଟେଲରେ କି ଗଁା ଦେଶୀ ମଦ ଢାବାରେ ପିଉଚନ୍ତି, ପିଅନ୍ତୁ। ମାତ୍ର ଆପଣେ ତ ନଷ୍ଟ ହେଲେ, ସ୍ବୀୟ ପରିବାରକୁ ଉଜୁଡ଼େଇ ଦେଲେ, ସମାଜକୁ ବିଶୃଙ୍ଖଳ କରିଦେଲେ। କୃଷ୍ଣ ତନୟ ଶାମ୍ବଜୀ ଓ ଅନ୍ୟ ଭାଇ କାଦମ୍ବରୀ (ଏକ ଭୟଙ୍କର ନିଶା) ପାନ କରି ପରସ୍ପର ମଧ୍ୟରେ ଲଢ଼ି କେମିତି ନିଜ ସହ ଯାଦବ ବଂଶକୁ ବି ଧ୍ବଂସ କରିଦେଲେ ତା କିଏ ନ ଜାଣେ।

ୟେ ସବୁ ବ୍ୟକ୍ତିଗତ ଆଚାର ବିଚାରରେ ସୀମିତ ଥିଲା। ନା ରାଜା, ନା ସରକାର ଲୋକଙ୍କୁ ସ୍ବୀୟ ସ୍ବୀକୃତିରେ ନିଶା ପିଆଉଥିଲେ ବା ଏକୁ ବିକି ପଇସା ରୋଜଗାର କରୁଥିଲେ। କାଦମ୍ବରୀ, ସୁରା ବା ସୋମରସ ନିଶାସ୍ତରୀୟ ଥିଲେ ବି ତା’ ସାଧାରଣଙ୍କ ପାଇଁ ନିଷିଦ୍ଧ ଥିଲା। ଗୋରା ସରକାର ଓ ମୁସଲମାନ ରାଜତ୍ବକାଳ​‌େ​‌ର ମଦ୍ୟପାନ ‘ଖାନଦାନି’ ବନିଗଲା। ସୁରାସାକୀ ଜୀବନାଦର୍ଶ ହୋଇଗଲା। କ୍ରମେ ତା’ ରାଜସ୍ବର ମୁଖ୍ୟସ୍ରୋତରେ ମିଶିଗଲା। ଗାନ୍ଧୀ ନିଶାନିବାରଣ କଥା କହି କହି ମଲେ ସିନା; ତାଙ୍କୁ ଖତେଇ ହେଲା ପରି ସରକାର ମଦ ଲାଇସେନ୍ସ ଦେଲେ। ଏବେ ଗଁା ଗଁାରେ ମଦ ଦୋକାନ ଫିଟିଲାଣି। ସ୍ବଭାବତଃ କୌତୂହଳୀ ଇସ୍କୁଲ ଛାତ୍ରଟିଏ ବି ଏକୁ ପିଇଲା। ପିଇଲା ପରେ ବିଦ୍ୟାଳୟ ପରିସ୍ରାଗାରରେ ସହପାଠିନୀ ପ୍ରତି ଅସଦାଚରଣ କରିବ ହିଁ କରିବ। କରୁଚି ବି ତ! କିନ୍ତୁ ସେ ମଦ ଖାଇ ଏପରି କାଣ୍ଡ କରିଛି ପ୍ରମାଣିତ ହେଲେ ଏ ଦୋଷରୁ ଛାଡ଼ ପାଇବ ବୋଲି ଆଇନ କହିଲା। କାରଣ ମଦ ପିଇଲାବେଳେ ଜଣେ ବିଚାର ଓ ବିବେକ ହରେଇଥାଏ। ଆରେ ଏମିତି ଅବସ୍ଥା ଯେ ଜାଣି ଶୁଣି ସୃଷ୍ଟି କରି ଅନ୍ୟର କ୍ଷତି ପହଞ୍ଚାଇଚି ତାକୁ ଦ୍ବିଗୁଣା ଦଣ୍ଡ ଦେବା କଥା। ମାତ୍ର ଇୟେ, ମଦ ପାଇଁ ଫିରିଙ୍ଗିଆଙ୍କ ଆମ ଉପରେ ଲଦା ଯାଇଥିବା ଆଇନ। ସେମାନଙ୍କୁ ଗାନ୍ଧୀ ସିନା ବିଦା କଲେ ଆମେ କିନ୍ତୁ ଅଖା ଧୋଉଛୁ ଓ ଗୁଣ ଗାଉଛୁ। ଏ ଅବକାରୀ ପ୍ରୀତି ତାଙ୍କର। ଶତକଡ଼ା ଷାଠିଏ ଏବେ ମଦୁଆ। କିଏ ଗୋପନରେ ତ କିଏ ଖୋଲାଖୋଲି। ଗାଁ ଗଣ୍ଡାରେ ଏବେ ସେନାବାହିନୀରେ ଯିବାକୁ ସୁଠାମ ଯୁବକଙ୍କ ଅଭାବ। ଶାସ୍ତ୍ର କହିଲା ମଦ୍ୟପାଃ କିଂ ନ ଜଳ୍ପନ୍ତି କିଂ ନ ଭକ୍ଷ୍ୟନ୍ତି ବାୟସାଃ!

ସରକାର ଏବେ ଜମିଦାର ନୁହନ୍ତି, ରଜା ନୁହନ୍ତି। ଜନତାଙ୍କ ନିର୍ବାଚିତ ସରକାର। ମଣିମା ଯୋଉ ସିଂହାସନରେ ବସୁଥିଲେ, ମଧୁଆ ଏବେ ଭୋଟ ପାଇ ସେ ସ୍ଥାନରେ ବସୁଛି। ଏ ସରକାରକୁ ଜନ ମଙ୍ଗଳକାରୀ ସରକାର କୁହାଗଲା (ୱେଲ୍‌ଫେୟାର ଗଭର୍ଣ୍ଣମେଣ୍ଟ); ମାତ୍ର ରାଜସ୍ବ ବଢ଼ାଇବା ନଁାରେ ଯଦି ସରକାର ମଦ ବିପଣୀ ଖୋଲିବେ ତେବେ ତ କଥା ସଇଲା। ଏ ପଟେ ପୁଷ୍ଟିକର ଖାଦ୍ୟ ଖୁଆଇବାର ବାହାଦୁରି ନେଉଥିବା ସରକାର ମଦ ତାଙ୍କୁ ପିଆଇଲେ, ସେଥିପାଇଁ କି ବାହାଦୁରି ନେବେ? ଏବେ ନିଶା ଚାଲାଣ ତରିକା ଅଦ୍ଭୁତ। ସିଲିଣ୍ଡର ଭିତରେ ଗଞ୍ଜେଇ, ଖାତା ଗାଡ଼ି ତଳେ କାଶ ସିରପ୍‌, କାର୍‌ ଗାଲିଚା ତଳେ ସ୍ବତନ୍ତ୍ର ନିର୍ମିତ ବାକ୍ସରେ ଅଫିମ ଓ ବ୍ରାଉନ ସୁଗର କାରବାର ଚାଲିଛି, କିଏ ଓ କେମିତି ଧରୁଚ ଧର। ରାବଣଙ୍କ ମାୟା ମିରିଗ ଜାଲିଆତିକୁ ଇୟେ ବଳିଗଲା। ଦକ୍ଷିଣ ଓଡ଼ିଶା ଏବେ ଗଞ୍ଜେଇର ଚରାଭୂଇଁ ପାଲିଟିଛି। ସାରା ଦେଶରେ ବି ଏଇ ଅବସ୍ଥା।

ତେବେ ଓଡ଼ିଶା ରାଜ୍ୟ ଓ ରାଜ୍ୟବାସୀ ଭିନ୍ନ ରୁଚି ଓ ଭାବର ଜନତା। ସେମାନେ ଅଳ୍ପ ବହୁତେ ରକ୍ଷଣଶୀଳ ବି। ଆଧୁନିକତାର ଅନ୍ଧାନୁସରଣ ପ୍ରାୟ କରନ୍ତିନି। ଏପରି ଏକ ରାଜ୍ୟରେ ଦୀର୍ଘ ୨୩ ବର୍ଷ ଧରି ଏକ ନିର୍ବାଚିତ ସରକାରଙ୍କ ଲୋକପ୍ରିୟତା ରାଜନୀତିର ଏକ ବିସ୍ମୟ। ବିକାଶର ଏକ ସ୍ରୋତ ରାଜ୍ୟରେ ଚାଲିଛି। ଲୋକେ ଏବେ ରାଜ୍ୟ ମୁଖ୍ୟଙ୍କ ବଦଳିଆ କିଏ ଆଉ ଆବିର୍ଭାବ ହେବ ବୋଲି ସନ୍ଦେହ କରୁଛନ୍ତି। ଏମିତି ଏକ ବ୍ୟକ୍ତିତ୍ବ କ’ଣ ମଦ୍ୟ ଓ ନିଶାପାନର ଅପକାରିତା ଓ ଭୟାବହତା ଜାଣିନାହାନ୍ତି ??? ତେବେ ପ୍ରିୟ ଜନତାର ବିକାଶ ପାଇଁ, ଏ ଜନତାକୁ, ରାଇଜକୁ ବିକାଶ ଢିରା ଲଗାଇ ସ୍ବର୍ଗ ଉଚ୍ଚା କରି ଦେବାର ଏକ ପ୍ରବଣତାରେ ସରକାର ମାଡ଼ି ଚାଲିଛନ୍ତି। ଏ ରାଜ୍ୟରେ ଆକର୍ଷଣୀୟ ଆୟ ଅବକାରୀରୁ ଅର୍ଥାତ୍‌ ନାନାଜାତୀୟ ନିଶାରୁ ଆସୁଛି। ୨୦୨୧-୨୨ ଆର୍ଥିକ ବର୍ଷରେ ସରକାର କେବଳ ମଦରୁ ଟିକସ ବାବଦ ୫୫୨୯ କୋଟି ଟଙ୍କା ପାଖାପାଖି ରାଜସ୍ବ ଆୟ କରିଛନ୍ତି। ସେଥିପାଇଁ ସହରରେ ଦୋକାନ ବଜାର ରାତି ଦଶଟାରୁ ବନ୍ଦ ହେଉଥିବାବେଳେ କିନ୍ତୁ ମଦ ଦୋକାନ ରାତି ୧୨ଟା ଯାଏ ଖୋଲାରହୁଛି। ଅଧିକ ମଦ ବିକ୍ରେତାକୁ ପୁରସ୍କାର ବ୍ୟବସ୍ଥା ମଦ ପ୍ରସାରଣକୁ ପ୍ରୋତ୍ସାହିତ କରୁନି କି? ତେବେ ଓଡ଼ିଶା ସରକାର ଅବକାରୀ ନୀତିର ପୁନର୍ବିଚାର ସହ ବିହାର ଓ ଗୁଜରାଟ ଭଳି ମଦ ବିକ୍ରି ନିଷିଦ୍ଧ କରିପାରିଲେ ଯଶବାନା ଅକ୍ଷତ ଓ ଦାଗହୀନ ହୁଅନ୍ତା। ମାତ୍ର ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ?

Comments are closed.