www.samajalive.in
Sunday, December 14, 2025
16.1 C
Bhubaneswar

ନବ ଦାସ ହତ୍ୟା ପ୍ରସଙ୍ଗରେ ପୁଣି ଗୃହ ହୁଲସ୍ତୁଲ : ଆରମ୍ଭରୁ ଅଚଳ

ଭୁବନେଶ୍ବର : ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଥମ କାର୍ଯ୍ୟଦିବସ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅଚଳ ହୋଇପଡ଼ିଥିଲା। ବିରୋଧୀ ପୁନର୍ବାର ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାର ରହସ୍ୟ ଉନ୍ମୋଚନ କରିବାରେ କ୍ରାଇମ ବ୍ରାଞ୍ଚ ବିଫଳ ହୋଇଥିବା ଅଭିଯୋଗ କରିବା ସହିତ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ। ଅଶାନ୍ତ ପରିସ୍ଥିତି ଲାଗି ରହିବାରୁ ବାଚସ୍ପତି ଦୁଇଟି ପର୍ଯ୍ୟାୟରେ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ପୂର୍ବାହ୍ନରେ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ନୋଟିସ ଉପରେ ଆଲୋଚନା ସମ୍ଭବ ହୋଇନଥିଲା। ଅପରାହ୍ଣ ଅଧିବେଶନରେ ବି ବିରୋଧୀ ବିଜେପି ଏବଂ କଂଗ୍ରେସ ସଦସ୍ୟ ହଟ୍ଟଗୋଳ ଜାରି ରଖିଥିଲେ। ବାଚସ୍ପତି ଗୃହକୁ ସ୍ୱାଭାବିକ କରିବା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ ବି ଏଥିରୁ କୌଣସି ନିଷ୍କର୍ଷ ବାହାରି ନଥିଲା। ଏଥିପାଇଁ ଅପରାହ୍ଣରେ ଗୃହକୁ ୪ଥର ମୁଲତବୀ ରଖିବାକୁ ପଡ଼ିଥିଲା। ହଟ୍ଟଗୋଳ ଭିତରେ ପୂର୍ବାହ୍ନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୁରୁବାର ରାଜ୍ୟ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ। ସର୍ବଦଳୀୟ ବୈଠକ ବିଫଳ ହେବା ପରେ ହୋ-ହଲ୍ଲା ଓ ନାରାବାଜି ମଧ୍ୟରେ ବିଭିନ୍ନ ବିଭାଗର କାଗଜ ଏବଂ କମିଟି ରିପୋର୍ଟ ଉପସ୍ଥାପିତ ହୋଇଥିଲା। ପରେ ବାଚସ୍ପତି ଆସନ୍ତା ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ।
ଶୁକ୍ରବାର ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କୁ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ଏକ ପ୍ରଶ୍ନର ଉତ୍ତର ରଖିବାକୁ ଡାକିଥିଲେ। ମନ୍ତ୍ରୀ ଉତ୍ତର ରଖିବାକୁ ଯିବାବେଳେ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟମାନେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲେ। ହେଲେ ବାଚସ୍ପତି ସେଥିପାଇଁ ଅନୁମତି ଦେଇ ନଥିଲେ। ବିରୋଧୀ ଦଳର ସଭ୍ୟମାନେ ଗୃହ ମଧ୍ୟଭାଗକୁ ପ୍ରବେଶ କରି ସରକାରଙ୍କ ବିରୋଧରେ ସ୍ଳୋଗାନ ଦେଇଥିଲେ। ବିରୋଧୀ ବିଜେପି ସଭ୍ୟମାନେ ହତ୍ୟା ପ୍ରସଙ୍ଗରେ ତଦନ୍ତରେ ବିଳମ୍ବ ପାଇଁ ସରକାରଙ୍କୁ ଦାୟୀ
କରିବା ସହ ସିବିଆଇ ତଦନ୍ତ ଦାବି କରି ଧ୍ବନି ଦେଇଥିଲେ। ଉଭୟ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ ମଧ୍ୟଭାଗକୁ ଆସି ସେଇ ଏକା ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ଗର୍ଜିଥିଲେ।
ପ୍ରବଳ ହଟ୍ଟଗୋଳ ଲାଗିରହିବାରୁ ବାଚସ୍ପତି ଗୃହକୁ ୧୦ଟା ୩୨ରୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଗୃହ କାର୍ଯ୍ୟ ପୁନର୍ବାର ଆରମ୍ଭ ହେବା ପରେ ବାଚସ୍ପତି ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗୃହକୁ ଅବଗତ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଅନୁମତି ଦେଇଥିଲେ। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ମନ୍ତ୍ରୀ ଗୃହରେ ବିବୃତି ରଖୁଥିବାବେଳେ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟାମାନେ ପୁନର୍ବାର ଗୃହ ମଧ୍ୟଭାଗକୁ ଆସି ହୋ-ହଲ୍ଲା କରିଥିଲେ। ଗୃହରେ ଅସ୍ବାଭାବିକ ବାତାବରଣ ଲାଗିରହିବାରୁ ବାଚସ୍ପତି ୧୧ଟା ୩୭ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ଣ ଅଧିବେଶନ ଆରମ୍ଭରେ ପୂର୍ବପରି ବିରୋଧୀ ହଟ୍ଟଗୋଳ କରିବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବା ସହ ଗୃହକୁ ୨୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ପରେ ଗୃହକୁ ପୁଣି ୩ଥର ମୁଲତବୀ ଘୋଷଣା କରିଥିଲେ ଉପବାଚସ୍ପତି ରଜନୀକାନ୍ତ ସିଂହ। ପରବର୍ତ୍ତୀ ସମୟରେ ବାଚସ୍ପତି ନିଜ ଆସନକୁ ଆସି କାଗଜ ଓ କମିଟି ରିପୋର୍ଟ ଉପସ୍ଥାପନ ପାଇଁ ଡାକିଥିଲେ। ହୋ-ହଲ୍ଲା ଏବଂ ନାରାବାଜି ମଧ୍ୟରେ ବିଭିନ୍ନ ବିଭାଗର କାଗଜ ଓ ବିଭାଗୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପିତ ହୋଇଥିଲା।
ଗୃହ ବାହାରେ ବିଜେପି ମୁଖ୍ୟ ସଚେତକ ମୋହନଚରଣ ମାଝି ଗଣମାଧ୍ୟମକୁ କହିଥିଲେ ଯେ ଜଣେ ବରିଷ୍ଠ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ୪୧ଦିନ ପୂରିଲାଣି। କ୍ରାଇମ ବ୍ରାଞ୍ଚ ଏପର୍ଯ୍ୟନ୍ତ ହତ୍ୟା ଷଡ଼ଯନ୍ତ୍ରର ରହସ୍ୟ ଉନ୍ମୋଚନ କରିପାରିଲା ନାହିଁ। ରାଜ୍ୟ ସରକାର ଆଇନଶୃଙ୍ଖଳା ରକ୍ଷାରେ ବିଫଳ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଏ ଘଟଣାରେ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ। କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଥିଲେ ଯେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଜାଣିବା ପାଇଁ ଜନତା ଦାବି କରୁଛନ୍ତି। ଘଟଣାର ତଦନ୍ତ କରୁଥିବା କ୍ରାଇମ ବ୍ରାଞ୍ଚ ଏ ପର୍ଯ୍ୟନ୍ତ ରହସ୍ୟ ଉନ୍ମୋଚନ କରିପାରୁ ନଥିବାରୁ ବାସ୍ତବରେ ଘଟଣା ପାଇଁ କିଏ ଦାୟୀ ସରକାର ଏ ବିଷୟରେ ସ୍ପଷ୍ଟ କରିବାକୁ ଦାବି କରିଥିଲେ। ଅନ୍ୟପକ୍ଷରେ ଶାସକ ଦଳର ସଭ୍ୟ ବିଧାୟକ ସୁଧୀର ସାମଲ କହିଥିଲେ ଯେ ବିରୋଧୀ ସଦସ୍ୟମାନେ ରାଜ୍ୟର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଗୃହରେ କୌଣସି ଆଲୋଚନା ନକରି ଏ ପ୍ରସଙ୍ଗ ଉଠାଇ ନାଟକବାଜି କରୁଛନ୍ତି। ସରକାର ପୂର୍ବରୁ ଏଥିନେଇ ସ୍ପଷ୍ଟୀକରଣ ଦେଇସାରିଛନ୍ତି। ଘଟଣାର ତଦନ୍ତ ଚାଲିଥିବାରୁ ଏଥିରେ ‌େ‌ଧୖର୍ଯ୍ୟ ନଧରି ଅଯଥାରେ ବିଭ୍ରାନ୍ତ କରାଯାଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories